ଚଳିତ ମାସ ୨୪ରୁ ଗଡ଼ିବ ଭୁବନେଶ୍ୱର-ମହୀପୁର ପାସେଞ୍ଜର ଟ୍ରେନ

ନୟାଗଡ଼,୨୧/୦୪: ଚଳିତ ମାସ ୨୪ରୁ ପ୍ରଥମ ଥର ପାଇଁ ଭୁବନେଶ୍ୱରରୁ ମହୀପୁର ଗଡ଼ିବ ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ସମୟ ସାରଣୀକୁ ନେଇ ଜିଲ୍ଲାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଟ୍ରେନ ନଂ-୦୮୪୨୯ ଭୁବନେଶ୍ୱର-ମହୀପୁର ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ଭୁବନେଶ୍ୱରରୁ ସକାଳ ୯ଟା ୨୫ରୁ ବାହାରି ନୟାଗଡ଼ ଟାଉନରେ ୧୧ଟା ୨୩ରେ ପହଞ୍ଚିବ ଏବଂ ମହୀପୁରରେ ୧୧ଟା ୪୫ରେ ପହଞ୍ଚିବ ।

ସେହିପରି ମହୀପୁରରୁ ଟ୍ରେନ ନଂ-୦୮୪୩୦ ମହୀପୁର-ଭୁବନେଶ୍ୱର ସ୍ୱତନ୍ତ୍ର ପାସେଞ୍ଜର ଅପରାହ୍ଣ ୩ଟା ୩୫ରେ ଛାଡ଼ି ଭୁବନେଶ୍ୱରରେ ସନ୍ଧ୍ୟା ୬ଟା ୧୫ରେ ପହଞ୍ଚିବା ତେବେ ଉଭୟ ଯିବା ଆସିବା କ୍ଷେତ୍ରରେ ନୟାଗଡ଼ ଟାଉନରେ ମାତ୍ର ୧ମିନିଟର ରହଣି ଧାର୍ଯ୍ୟ କରାଯାଇଛି । ନୟାଗଡ଼ ଏକ ଜିଲ୍ଲା ସଦର ମହକୁମା ହୋଇଥିବା ବେଳେ ମାତ୍ର ଏଠାରେ ୧ ମିନିଟର ରହଣି ସମୟକୁ ନେଇ ଆପତ୍ତି ଉଠାଇଛି ନୟାଗଡ଼ ନାଗରିକ ମଞ୍ଚ ।

ସେହିପରି ଉଭୟ ଯିବା ଆସିବା ସମୟକୁ ନେଇ ସମଗ୍ର ଜିଲ୍ଲାରେ ଅସନ୍ତୋଷ ପ୍ରକାଶ ପାଇଛି । କାରଣ ଏହି ସମୟରେ କୌଣସି ସରକାରୀ କିମ୍ବା ବେସରକାରୀ କର୍ମଚାରୀ ଭୁବନେଶ୍ୱରରୁ ନୟାଗଡ଼ କିମ୍ବା ନୟାଗଡ଼ରୁ ଭୁବନେଶ୍ୱର ଯିବା ଆସିବା କରିବା ସମ୍ଭବପର ନୁହେଁ । ଫଳରେ ଜିଲ୍ଲାବାସୀ ଏହାର ସୁଫଳ ପାଇବାରୁ ବଞ୍ଚିତ ହେବା ସହ ଏହି ସମୟରେ ଯାତ୍ରୀମାନଙ୍କ ଯିବା ଆସିବା କମ ରହିବ । ତେବେ ଭୁନେଶ୍ୱରରୁ ୧ଘଣ୍ଟା ପୂର୍ବରୁ ଅର୍ଥାତ ୮ଟା ୨୫ରୁ ଏବଂ ମହୀପୁରରୁ ଏକଘଣ୍ଟା ବିଳମ୍ବ ୪ଟା ୩୫ ରୁ ବାହାରି ଭୁବନେଶ୍ୱର ଛାଡ଼ିଲେ ଯାତ୍ରୀମାନେ କିଛି ମାତ୍ରାରେ ଉପକୃତ ହୋଇପାରନ୍ତେ ।

ଅନ୍ୟପକ୍ଷରେ ରେଳ ବିଭାଗର ଏପରି ସମୟ ସାରଣୀ ଘରୋଇ ବସ ମାଲିକଙ୍କୁ ସୁହାଉଥିବା ବେଳେ ଜିଲ୍ଲାବାସୀ ଏହାର ସୁଫଳ ପାଇବାରୁ ବଞ୍ଚିତ ହେବେ ବୋଲି ନୟାଗଡ଼ ନାଗରିକ ମଞ୍ଚ ଅଭିଯୋଗ କରିବା ସହ ତୁରନ୍ତ ସମୟ ସାରଣୀ ପରିବର୍ତ୍ତନ କରିବା ପାଇଁ ନାଗରିକ ମଞ୍ଚ ପକ୍ଷରୁ ଆବାହକ ପ୍ରମୋଦ କୁମାର ପଟ୍ଟନାୟକ, ଲକ୍ଷ୍ମୀଧର ସାହୁ, ଶେଖ ଅବଦୁଲ ଖାଲିକ, ପ୍ରଦୀପ କୁମାର ସାହୁ, ଅଶୋକ ମଲ୍ଲ, ତ୍ରିନାଥ ସାହୁ, ଗୋବିନ୍ଦ ମିଶ୍ର, ଉମାକାନ୍ତ ମିଶ୍ର ପ୍ରମୁଖ ରେଳ ବିଭାଗ ନିକଟରେ ଦାବି ଜଣାଇଛନ୍ତି ।

nis-ad
Leave A Reply

Your email address will not be published.