ନୂଆଦିଲ୍ଲୀ,୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ଗାନ୍ଧି ନଗରରେ ତିନି ଦିବସୀୟ ଗ୍ଲୋବାଲ ଆୟୁଷ ଆଣ୍ଡ ଇନୋଭେସନ୍ ସମ୍ମିଳନୀର ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଡବ୍ଲୁଏଚଓର ନିର୍ଦେଶକ ଡା. ଟେଡ୍ରସ୍ ଗେବ୍ରେୟେସସ୍ଙ୍କ ଗୁଜରାଟୀ ନାମକରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଖୁବ୍ ମଜାଳିଆ ଅନ୍ଦାଜରେ କହିଛନ୍ତି, ଡବ୍ଲୁଏଚଓ ଡାଇରେକ୍ଟର ଡା. ଟେଡ୍ରସ୍ ଗେବ୍ରେୟେସସ୍ ମୋର ଖୁବ୍ ଭଲ ବନ୍ଧୁ। ସେ ମୋତେ କହୁଥିଲେ, ତାଙ୍କୁ ଭାରତର ଶିକ୍ଷକ ପଢାଇଛନ୍ତି। ଆଜି ଡା. ଟେଡ୍ରସ୍ କହୁଛନ୍ତି ମୁଁ ପକ୍କା ଗୁଜରାଟୀ ହୋଇଯାଇଛି। ମୋର କୌଣସି ଗୁଜରାଟୀ ନାଁ ରଖନ୍ତୁ। ଆଜିଠାରୁ ମୁଁ ନିଜର ସାଙ୍ଗଙ୍କର ନାଁ ‘ତୁଳସୀ ଭାଇ’ ରଖୁଛି।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ, ଆୟୁଷ କ୍ଷେତ୍ରରେ ବିନିଯୋଗ ଏବଂ ଉଦ୍ଭାବନର ଅସୀମିତ ସମ୍ଭାବନା ରହିଛି। ୨୦୧୪ ରେ ଯେଉଁଠି ଆୟୁଷ ସେକ୍ଟର ତିନି ବିଲିୟନ ଡଲାରରୁ କମ୍ ଥିଲା, ଆଜି ଏହା ବଢି ୧୮ ବିଲିୟନ ଡଲାର ପାର ହୋଇଯାଇଛି। ଆୟୁଷ ଔଷଧ, ସପ୍ଲିମେଣ୍ଟ ଓ କସମେଟିକ୍ ଉତ୍ପାଦନରେ ଆମେ ପୂର୍ବରୁ ହିଁ ଅଦ୍ଭୁତପୂର୍ବ ବିକାଶ ଦେଖିବାକୁ ପାଇଛୁ। ଆୟୁଷ ମନ୍ତ୍ରଣାଳୟ ଟ୍ରାଡିସନାଲ ମେଡିସିନ୍ କ୍ଷେତ୍ରରେ ଷ୍ଟାର୍ଟଅପ୍ କଲ୍ଟରକୁ ପ୍ରୋତ୍ସାହନ ଦେବା ପାଇଁ ବଡ ପଦକ୍ଷେପ ଗ୍ରହଣ କରିଛି। କିଛି ଦିନ ପୂର୍ବରୁ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍ୟୁବେଦ ଦ୍ବାରା ବିକଶିତ ଏକ ଇନବ୍ୟୁକେସନ୍ ସେଣ୍ଟର ଉଦଘାଟନ କରାଯାଇଥିଲା।