ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌର ପରିଷଦରେ ସ୍ୱାର୍ଟ ରୋଡ଼ ନିର୍ମାଣରେ ବ୍ୟାପକ ଦୁର୍ନୀତି ଓ ନିମ୍ନ ମାନର କାମ ଅଭିଯୋଗ କରି ଏହାର ତଦନ୍ତ ପାଇଁ ୧୯ନଂ ୱାର୍ଡ଼ ବାସୀ ମଙ୍ଗଳବାର ହିଞ୍ଜିଳିକାଟୁ ପୌର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଠିକାଦାର ଓ ଯନ୍ତ୍ରୀ ଅଫିସ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଏପରି ନିମ୍ନ ମାନର କାମ ହେତୁ ୱାର୍ଡ଼ବାସୀ ହନ୍ତସନ୍ତ ହେବା ସହ ଦୀର୍ଘ ଦିନ ଧରି ସମସ୍ୟାର ସମ୍ମୁଖୀନ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ୧୯ନଂ ୱାର୍ଡ଼ର ବହୁ ମହିଳା ଓ ପୁରୁଷ ପୌର କାର୍ଯ୍ୟାଳୟକୁ ଆସି ସେମାନଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ । ପୂର୍ବରୁ ଉକ୍ତ ନିମ୍ନ ମାନର କାମ ନେଇ ବାରମ୍ବାର ଅଭିଯୋଗ ସତ୍ୱେ ଏହା ଉପରେ ମ୍ୟୁନିସପାଲଟି କତୃପକ୍ଷ କୌଣସି ପଦକ୍ଷେପ ନେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ଗତବର୍ଷ ଡ଼ିସେମ୍ବର ମାସରେ ପୌର ପରିଷଦର ୱାର୍ଡ଼ ୧୯ ଓ ୧୪କୁ ସଂଯୋଗ କରୁଥିବା କହ୍ନେଇ ମାର୍ଗ ଠାରୁ ଗୋପବନ୍ଧୁ ମାର୍ଗ ଏବଂ ୱାର୍ଡ଼ ନଂ ୯ ମଙ୍ଗଳା ମନ୍ଦିର ଠାରୁ ଓମ ସାଇମାର୍ଗ ପର୍ଯ୍ୟନ୍ତ ୨ଟି ଅତ୍ୟାଧୁନିକ ରାସ୍ତା ଓ ନାଳ ନିର୍ମାଣ କାର୍ଯ୍ୟାଦେଶ ନଂ ୪୩୫୦ ଓ ୪୩୫୨ ଠିକାଦାର ବାଉରୀ ବନ୍ଧୁ ଖଟେଇଙ୍କୁ ପ୍ରଦାନ କରାଯାଇଥିଲା । ୱାର୍ଡ଼ ୧୯ ଓ ୧୪କୁ ସଂଯୋଗ କରୁଥିବା କହ୍ନେଇ ମାର୍ଗ ଠାରୁ ଗୋପବନ୍ଧୁ ମାର୍ଗ ପର୍ଯ୍ୟନ୍ତ ରାସ୍ତା କାମ ଅଟକଳ ମୂଲ୍ୟ ୧କୋଟି ୨୭ଲକ୍ଷ ୮ହଜାର ୮୭୫ଟଙ୍କା ଓ ୱାର୍ଡ଼ ନଂ ୯ ମଙ୍ଗଳା ମନ୍ଦିର ଠାରୁ ଓମ ସାଇମାର୍ଗ ପର୍ଯ୍ୟନ୍ତ ରାସ୍ତା କାମ ଅଟକଳ ମୂଲ୍ୟ ୧କୋଟି ୧୫ଲକ୍ଷ ୪୫ହଜାର ୬୯୦ଟଙ୍କା ହୋଇଛି । ମଙ୍ଗଳବାର ୧୯ନଂ ୱାର୍ଡ଼ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ, ରାସ୍ତା ଓ ନାଳ କାମ ନିର୍ମାଣ ବେଳେ ନିମ୍ନ ମାନର ସିମେଂଟ, ଲୁହା ଛଡ଼ ବ୍ୟବହାର ହେଉଛି । ସିମେଂଟ ଗୁଡି ବାଲିର ମିଶ୍ରଣ ସଠିକ ଅନୁପାତରେ ହେଉନାହିଁ । ରଡ଼ ଗୁଡ଼ିକ ନିୟମ ଅନୁସାରେ ଯୋଡ଼େଇ କରାଯାଉନାହିଁ । ନାଳର କଂକ୍ରିଟ ବେଡ ଓ ବାଲି ଫିଲିଂ ପ୍ରତ୍ୟେକ ଼ ୪ଇଂଚ ବଦଳରେ ୨ଇଂଚ ଲେଖାଏଁ ପକାଯାଇଛି । ନାଳ କ଼ଂକ୍ରିଟ ୱାଲ ପାଶ୍ୱର୍ରେ ବାଲି ବଦଳରେ ଅବର୍ଜନା ଭର୍ତି କରାଯାଇ ଫିଲିଂ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ କାମ ବେଳେ ୱାର୍ଡ଼ ବାସିନ୍ଦାଙ୍କ ଗୃହର ନିରାପତା ଉପରେ ଠିକାଦାର ଗୁରୁତ୍ୱ ନ ଦେଇ କିଛି ଲୋକଙ୍କ ଗୃହକୁ ବେଖାତିର ଭାବେ ଭଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ୧୯ନଂ ୱାର୍ଡ଼ର ଆବାସ ଯୋଜନାରେ ଘର କରିଥିବା ଅନୂସୂଚିତ ଜାତି ମହିଳା ରୀନା ଦାସଙ୍କ ଘରକୁ ବେଖାତିର ଭାବେ ଠିକା ସଂସ୍ଥା ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏଥିନେଇ ଅଭିଯୋଗ ହୋଇଥିଲେ ମଧ୍ୟ ଅଫିସରେ କେହି ଏଥି ପ୍ରତି କର୍ଣ୍ଣପାତ କରିନଥିବା ୱାର୍ଡ଼ବାସୀ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଅଧ୍ୟକ୍ଷ ପଲେଇ ଏହାର ତୁରନ୍ତ ତଦନ୍ତ କରି ରିପୋର୍ଟ କରିବାକୁ ଆଦେଶ ଦେଇଥିବା ପ୍ରକାଶ ।
Sign in
Sign in
Recover your password.
A password will be e-mailed to you.