ମୋଦିଙ୍କ ଗସ୍ତ ପୂର୍ବରୁ ଗୁଜରାଟରେ ହିଂସା, ୧୦ ଗିରଫ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଗୁଜରାଟରେ ହିଂସା। ଗୁଜରାଟର ବଡୋଦରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଛି। ବଡୋଦରାର ରାୱପୁରା ଟାୱାର ପାଖରେ ଗତ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରସ୍ପର ଉପରକୁ ପଥର ମାଡ ମଧ୍ୟ କରିଥିଲେ। ଏଥିରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଘଟଣାରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି।
ସୂଚନା ମୁତାବକ, ନିକଟରେ ଥିବା ଏକ ମନ୍ଦିରର ମୂର୍ତ୍ତିକୁ ମଧ୍ୟ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି। ଫଳରେ ପୂରା ଅଞ୍ଚଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲ। କୁହାଯାଉଛି ଯେ ଦୁଇଟି ମୋଟର ସାଇକେଲ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ଯେଉଁ କାରଣରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ପରେ ଏହି ସାମାନ୍ୟ ଘଟଣା ଉଗ୍ର ରୂପ ନେଇଥିଲା। ଗୋଟିଏ ଗୋଷ୍ଠୀ ଅନ୍ୟକୁ ପଥର ଫିଙ୍ଗିଥିବା ଅଭିଯୋଗ କରିଛନ୍ତି। ୧୦୦ରୁ ଅଧିକ ଗାଡି ଭଙ୍ଗାରୁଜା କରାଯାଇଛି। ଘଟଣା ପରେ ପୁଲିସ ଏହି ଅଞ୍ଚଳକୁ ବ୍ୟାରିକେଡ୍‌ କରିଛି। ବଡୋଦରା ପୁଲିସ କମିଶନର କହିଛନ୍ତି, ରାୱପୁର ଅଞ୍ଚଳରେ ଦୁର୍ଘଟଣା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ଟିମ୍ ପାଟ୍ରୋଲିଂ କରୁଛନ୍ତି। ଅନ୍ୟ ବାହିନୀକୁ ମଧ୍ୟ ସତର୍କ କରାଯାଇଛି। କୌଣସି ପ୍ରକାରର ଗୁଜବକୁ ବିଶ୍ୱାସ ନକରିବାକୁ ଲୋକମାନେ ସେ ନିବେଦନ କରିଛନ୍ତି।
ଏହାପୂର୍ବରୁ ଗୁଜରାଟର ହିମତନଗର ଏବଂ ଖମ୍ବତ ସହରରେ ରାମନବମୀ ଶୋଭାଯାତ୍ରା ସମୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଘଟିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ।
ଉଲ୍ଲେଖ ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ତିନି ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି। ସେଠାରେ ସେ ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ସହ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଡ. ଟେଡ୍ରୋସ୍ ଗେବ୍ରେଏସସ ମଧ୍ୟ ତିନି ଦିନିଆ ଗୁଜରାଟ ଗସ୍ତରେ ଆସିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କିଛି କାର୍ଯ୍ୟକ୍ରମରେ ସାମିଲ ହେବେ।

nis-ad
Leave A Reply

Your email address will not be published.