ପରଲୋକରେ ପ୍ରଫୁଲ୍ଲ କର, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ପ୍ରଖ୍ୟାତ ଗାୟକ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କର ୮୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ବର ସତ୍ୟନଗର ସ୍ଥିତ ତାଙ୍କ ବାସଭବନରେ ରବିବାର ରାତିରେ ପ୍ରଫୁଲ୍ଲ କରଙ୍କ ପରଲୋକ ଘଟିଛି। ଜଣେ ସୁନାମଧନ୍ୟ ଗାୟକ ଓ ସଙ୍ଗୀତ ନିର୍ଦେଶକ ଭାବେ ସେ ବେଶ ପରିଚିତ ଥଲେ । ସଙ୍ଗୀତ ଜଗତଙ୍କୁ ବିଶେଷ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା।ଅନେକ ଚଳଚ୍ଚିତ୍ରରେ ନିଜେ ଗୀତ ଗାଇବା ସହ ସଙ୍ଗୀତ ନିର୍ଦେଶନା ଦେଇ ସେ ଓଡ଼ିଶାର ଘରେ ଘରେ ପରିଚିତ ଥିଲେ। ପ୍ରଫୁଲ୍ଲ କରଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।ଆସନ୍ତା କାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।୧୯୩୯ ମସିହା ଫେବୃୟାରୀ ୧୬ ତାରିଖରେ ପ୍ରଫୁଲ୍ଲ କର ଜନ୍ମ ଗ୍ରହଣ କରିଥିଲେ। ସେ ୭୦ରୁ ଅଧିକ ଓଡ଼ିଆ ଫିଲ୍ମରେ କଣ୍ଠଦାନ କରିଥିଲେ। ୪ଟି ବଙ୍ଗଳା ଫିଲ୍ମରେ ମଧ୍ୟ ସେ କଣ୍ଠଦାନ କରିଥିଲେ। ୨୦୦୪ରେ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ​ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡ଼ି.ଲିଟ୍ ଉପାଧି ପ୍ରଦାନ କରାଯାଇଥିଲା।

ଯଶସ୍ବୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର  ଶୋକ  ପ୍ରକାଶ କରିଛନ୍ତି। ଏକ  ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ କରଙ୍କୁ   ଜଣେ  ଯଶସ୍ବୀ କଳାକାର ଭାବରେ ବର୍ଣନା  କରିଛନ୍ତି । ଜଣେ  ଗୀତିକାର  ସଂଗୀତଜ୍ଞ  ତଥା  ସଂଗୀତ  ନିର୍ଦେଶକ ଭାବରେ  ସେ ଅନେକ ଗୌରବଜ୍ବଳ  କୀର୍ତ୍ତି ସ୍ଥାପନ  କରିଯାଇଛନ୍ତି । ତାଙ୍କ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଯୁଗର ଅବସାନ ଘଟାଇଛି। ତାଙ୍କର ସ୍ୱତନ୍ତ୍ର ସଙ୍ଗୀତ ରଚନା ଶୈଳୀ ଓ ନିର୍ଦେଶନା ଲୋକଙ୍କ ହୃଦୟରେ ତାଙ୍କୁ ସର୍ବଦା ଅମର କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ   କହିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସ୍ବର୍ଗତ କରଙ୍କ ଶେଷକୃତ୍ୟ  ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ  ହେବ  ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା  କରିଛନ୍ତି । ଶେଷକୃତ୍ୟ ସମୟରେ  ରାଜ୍ୟ ସରକାରଙ୍କ  ପକ୍ଷରୁ ଦୁଇ  ଜଣ ମନ୍ତ୍ରୀ ଉପସ୍ଥିତ  ରହି  ଶେଷ  ସମ୍ମାନ ଜଣାଇବେ  ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.