ଲଖିମପୁର ହିଂସା: ଆଶିଷ ମିଶ୍ରଙ୍କ ଜାମିନ ବାତିଲ ମାମଲା; ଆସନ୍ତାକାଲି ରାୟ ଘୋଷଣା କରିବେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଲଖିମପୁର- ଖେରୀ ହିଂସା ମାମଲାରେ ଅଭିଯୁକ୍ତ ଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ବାତିଲ କରିବାକୁ ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମ କୋର୍ଟ ନିଜର ରାୟ ଘୋଷଣା କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ ଭି ରମଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ସୋମବାର ସକାଳ ୧୦ଟା ୩୦ରେ ରାୟ ଶୁଣାଇବାର ସମ୍ଭାବନା ରହିଛି। ଏପ୍ରିଲ ୪ ରେ ଶୀର୍ଷ ଅଦାଲତ ଆଶିଷ ମିଶ୍ରଙ୍କୁ ଜାମିନ ବାତିଲ କରିବାକୁ କୃଷକମାନଙ୍କ ପକ୍ଷରୁ କରାଯାଇ ଥିବା ଆବେଦନର ଶୁଣାଣି ଶେଷ କରି ନିଜର ରାୟକୁ ସଂରକ୍ଷିତ ରଖିଥିଲେ।
ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ଆଶିଷ ମିଶ୍ରଙ୍କୁ ଜାମିନ ପ୍ରଦାନ କରିଥିବା ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ ଶୁଣାଣି ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଅନ୍ୟ ଅନାବଶ୍ୟକ ବିବରଣୀ ଭିତରକୁ ଯିବା ଉଚିତ ନୁହେଁ। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ହିମା କୋହଲିଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ କହିଥିଲେ ଯେ ଏ ମାମଲାରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ନିଯୁକ୍ତ ଏସଆଇଟିଙ୍କ ପରାମର୍ଶକୁ ଅଦାଲତ ଗୁରୁତ୍ୱ ଦେବେ।
କୃଷକମାନଙ୍କ ପାଇଁ ହାଜର ହୋଇଥିବା ବରିଷ୍ଠ ଓକିଲ ଦୁଷ୍ୟନ୍ତ ଡେଭ୍‌ ଏବଂ ପ୍ରଶାନ୍ତ ଭୂଷଣଙ୍କ ଦାଖଲକୁ ଶୁଣାଣି କରି ଖଣ୍ଡପୀଠ କହିଥିଲେ ଯେ ହାଇକୋର୍ଟ ବ୍ୟାପକ ଚାର୍ଜସିଟ୍‌ ଉପରେ ବିଚାର କରିନାହାଁନ୍ତି ଏବଂ ବରଂ ଏଫଆଇଆର ଉପରେ ନିର୍ଭର କରିଥିଲେ ଯେଉଁଠାରେ ଜଣେ ବ୍ୟକ୍ତି ଗୁଳିରେ ଆଘାତ ପାଇଥିବା ଅଭିଯୋଗ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୩ ରେ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମଯ୍ୟଙ୍କ ଏହି ଅଞ୍ଚଳ ଗସ୍ତକୁ କୃଷକମାନେ ବିରୋଧ କରୁଥିବା ବେଳେ ଘଟିଥିବା ହିଂସା ସମୟରେ ଲଖିମପୁର ଖେରୀରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ଆଶିଷ ମିଶ୍ର ତାଙ୍କର ଗାଡ଼ି ଚଢ଼ାଇ ୪ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

nis-ad
Leave A Reply

Your email address will not be published.