ଦିଲ୍ଲୀ ହିଂସା ମାମଲା: ଆଉ ୬ ଅଭିଯୁକ୍ତ ଗିରଫ

ଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ପୁଲିସ ଆଉ ୬ ଜଣଙ୍କୁ ଗିରଫ କରିଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ୨୦ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ସେମାନଙ୍କଠାରୁ ୫ଟି ଖଣ୍ଡା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଅନ୍ୟପଟେ ଦିଲ୍ଲୀ ଜାହାଙ୍ଗିରପୁରୀ ହିଂସାକାଣ୍ଡ ପରେ ବଢ଼ିଛି ସୁରକ୍ଷା ବ୍ୟବସ୍ଥା । ଦିଲ୍ଲୀ ପୁଲିସ ପକ୍ଷରୁ ଆଜି ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଜାହାଙ୍ଗିରପୁରୀ ଅଞ୍ଚଳରେ ପୁଲିସ ପଇନ୍ତରା ମାରିଛି । ଏବେ ଯାଏଁ ମାମଲାରେ ୨୦ ଜଣଙ୍କୁ ଗିରଫ କରିଛି ପୁଲିସ। ହିଂସାକାଣ୍ଡ ଭିଆଇବା ଓ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ତେଜିଥିବା କିଛି ବ୍ୟକ୍ତିଙ୍କୁ ଚିହ୍ନଟ ବି କରାଯାଇଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଏମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି । ସମ୍ପୂର୍ଣ୍ଣ ଅଞ୍ଚଳରେ ପୁଲିସ ଫୋର୍ସ ସଂଖ୍ୟାକୁ ବଢ଼ାଯାଇଛି ।
ଯେପରି କୌଣସି ଅପ୍ରୀତିକର ସ୍ଥିତି ଉପୁଜିବନି ସେ ନେଇ କଡ଼ା ନଜର ରଖାଯାଇଛି। ଗତକାଲି ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା। ଶୋଭାଯାତ୍ରା ବେଳେ ପଥରମାଡ଼, ଭଙ୍ଗାରୁଜା ଓ ଜଳାପୋଡା ବି ହୋଇଥିଲା । ହିଂସାକାଣ୍ଡରେ କିଛି ପୁଲିସ କର୍ମଚାରୀଙ୍କ ସମେତ ବହୁ ସାଧାରଣ ଲୋକ ଆହତ ହୋଇଛନ୍ତି ।
ପଥରମାଡ଼ରେ ଅନେକ ଗାଡ଼ି ମଧ୍ୟ ଭାଙ୍ଗି ଯାଇଛି । ତେବେ ଏହି ଘଟଣାରେ ସିସିଟିଭି ଫୁଟେଜ୍ ଦେଖି ଅନ୍ୟମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ଡ୍ରୋନ୍ ଓ ଫେସ୍ ରେକଗନିସନ୍ ସିଷ୍ଟମର ବି ବ୍ୟବହାର ହେଉଥିବା ସେ କହିଛନ୍ତି । ଏହାସହ ଶାନ୍ତି କମିଟି ବୈଠକରେ ଅଂଚଳରେ ଶାନ୍ତି ବଜାୟ ରଖିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିବା ସେ କହିଛନ୍ତି । ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦିଲ୍ଲୀ ପୋଲିସକୁ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି।

nis-ad
Leave A Reply

Your email address will not be published.