ଖୁବଶୀଘ୍ର ନୂଆ ପିସିସି ସଭାପତି ଚୟନ: ଚେଲ୍ଲା କୁମାର

ଭୁବନେଶ୍ବର: କିଏ ଧରିବେ ପ୍ରଦେଶ କଂଗ୍ରେସ କମିଟି ମଙ୍ଗ? ରାଜ୍ୟରେ କଂଗ୍ରେସର ସ୍ଥିତି ଦିନକୁ ଦିନ ତଳକୁ ଯାଉଥିବା ବେଳେ ମୁହଁ ଖୋଲିଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ଚେଲ୍ଲା କୁମାର କହିଛନ୍ତି, ‘ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ।

ଆସନ୍ତା ସପ୍ତାହରେ ଓଡିଶା ଯାଇ ବିଧାୟଙ୍କ ସହକଥା ହେବି । ସମସ୍ତ ବିଧାୟକଙ୍କ ସହିତ ମୁହାଁମୁହିଁ ଆଲୋଚନା କରିବ। ବିଧାୟକମାନେ ଦିଲ୍ଲୀ ଆସିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ରାଜ୍ୟ କଂଗ୍ରେସ ନେତାମାନଙ୍କର ମେରିଟ୍‌ ଏବଂ ଡିମେରିଟ୍‌ ଦେଖାଯିବ । ଯିଏ ଗ୍ରହଣୀୟ ହେବେ ସେ ପରବର୍ତ୍ତୀ ସଭାପତି ହେବେ।’

ସୂଚନାଯୋଗ୍ୟ, ଗତ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିବା ପରେ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି ପଦରୁ ହଟାଇବାକୁ ଚର୍ଚ୍ଚା ଜୋର ଧରିଥିଲା । ବାରମ୍ବାର ଦିଲ୍ଲୀ ଯାଇ ଦଳୀୟ ହାଇ କମାଣ୍ଡକୁ ଭେଟିଥିଲା ତୁଙ୍ଗ ନେତା । ଅନେକ ମାନସମନ୍ଥନ ପରେ ବି ନିରଞ୍ଜନ ହିଁ ସଭାପତି ପଦରେ ପୁଣି ରହିଥିଲେ । ତେବେ ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଦଳ ପୁଣି ଶୋଚନୀୟ ଭାବେ ପରାଜିତ ହୋଇଥିଲା । ପୁଣି ରାଜ୍ୟ ନେତୃତ୍ବ ଦିଲ୍ଲୀ ଗସ୍ତରେ ଯାଇ ସଭାପତି ପରିବର୍ତ୍ତନ ପାଇଁ ଦାବି କରିଥିଲେ ।

ଏବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଶେଷରେ ମୁହଁ ଖୋଲିଛନ୍ତି । ଚେଲ୍ଲା କୁମାରଙ୍କ ବୟାନ ପରେ ଖୁବଶୀଘ୍ର ପିସିସି ସଭାପତି ପରିବର୍ତ୍ତନ ହେବ ତାହା ସ୍ପଷ୍ଟ ହୋଇଯାଇଛି । ଆସନ୍ତା ସପ୍ତାହରେ ହିଁ ନୂଆ ପ୍ରଦେଶ କଂଗ୍ରେସ ସଭାପତି ଚୟନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ସଭାପତି ରେସ୍‌ରେ ଆଗରେ ରହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି । ତାଙ୍କ ବ୍ୟତିତ କଟକ ବାରବାଟି ବିଧାୟକ ମହମ୍ମଦ ମୋକ୍କିମ, ଜଟଣୀ ବିଧାୟକ ସୁର ରାଉତରାୟ ଏବଂ ଜୟଦେବ ଜେନାଙ୍କ ନାଁ ମଧ୍ୟ ଶୁଣିବାକୁ ମିଳୁଛି ।

nis-ad
Leave A Reply

Your email address will not be published.