ଇସଲାମ ଅନୁସାରେ କିଛି ହେଉନି : ପାକିସ୍ତାନ ସୁପ୍ରିମକୋର୍ଟ

ଇସଲାମାବାଦ: ପାକିସ୍ତାନ ହେଉଛି ଗୋଟିଏ ଇସଲାମିକ ରିପବ୍ଲିକ। କିନ୍ତୁ ଇସଲାମର ନିୟମ ଅନୁସାରେ ଏଠାରେ କିଛି ବି ହେଉନି। ଏପରି ବୟାନ ଦେଇ ସରକାର ଓ ପ୍ରଶାସନ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ କାଜି ଫୈଜ ଇସା।
ପାକିସ୍ତାନ ସଂଘୀୟ ସରକାରୀ କର୍ମଚାରୀ ହାଉସିଂ ଫାଉଣ୍ଡେସନରେ ପ୍ଲଟ ଆବଣ୍ଟନକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି କରିବା ବେଳେ ଜଷ୍ଟିସ କାଜି ଫୈଜ ଏପରି କଥା କହିଛନ୍ତି। ସେ କହିଛନ୍ତି, ଦେଶରେ ଜେନେରାଲ ମାନଙ୍କୁ ପ୍ଲଟ ଦିଆଯାଇଥିଲା। କ’ଣ ସେମାନେ ଦରମା ପାଆନ୍ତି ନାହିଁ? ଗରିବ ଲୋକମାନେ ବସ୍ତି ଅଞ୍ଚଳରେ ବହୁତ କଷ୍ଟରେ ରହିବା ପାଇଁ ଛୋଟଛୋଟ ଘର ତିଆରି କରୁଛନ୍ତି। ଦେଶରେ ଧନୀ ଲୋକମାନଙ୍କୁ ପ୍ଲଟ ଦିଆଯାଇଛି। ହେଲେ ଗରିବଙ୍କୁ କୌଣସି ପ୍ରକାରର ପ୍ଲଟ ମିଳୁନାହିଁ ବୋଲି ସେ କହିଛନ୍ତି।
ପାକିସ୍ତାନ ସୁପ୍ରିମକୋର୍ଟ ଗୁରୁବାର କେମିତି ପ୍ରଧାନମନ୍ତ୍ରୀ ସରକାରୀ କର୍ମଚାରୀମାନଙ୍କୁ ଦୁଇଟି ଲେଖାଏ ପ୍ଲଟ ଦେଇଥିଲେ, ତା’ ଉପରେ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଗରିବ ଲୋକମାନେ ଗୋଟିଏ ହେଲେ ପ୍ଲଟ ପାଉ ନଥିବା ବେଳେ ଧନୀ ବ୍ୟକ୍ତିମାନେ ଏକାଧିକ ପ୍ଲଟ ପାଉଛନ୍ତି।
ଜଷ୍ଟିସ କାଜି ଫୈଜ ଗୋଟିଏ ଖବରକାଗଜରେ ପ୍ରକାଶିତ ରିପୋର୍ଟ କଥା ମଧ୍ୟ ଶୁଣାଣି ବେଳେ ଉଠାଇଥିଲେ। ଯେଉଁଥିରେ ଜଣେ ସଚିବଙ୍କୁ ଦୁଇଟି ପ୍ଲଟ ମିଳିବା କଥା ଦାବି କରାଯାଇଥିଲା। ସେ କହିଛନ୍ତି, “ଦେଶରେ ପ୍ଲଣ୍ଟ ବାଣ୍ଟିବା ପାଇଁ କୌଣସି ନିୟମ ନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀ ନିଜ ଇଚ୍ଛା ଅନୁସାରେ ଜମି ବାଣ୍ଟିଛନ୍ତି।”
ଏହାର ଉତ୍ତର ରଖି କର୍ମଚାରୀ ହାଉସିଂ ଫାଉଣ୍ଡେସନର ଓକିଲ କହିଥିଲେ ଯେ “ଦୁଇଟି ପ୍ଲଣ୍ଟ ଅତୀତରେ ଦିଆଯାଇଥିଲା। କିନ୍ତୁ ୨୦୦୬ ପରେ କାହାକୁ ଦୁଇଟି ପ୍ଲଟ ଦିଆଯାଇନି।” ଶୁଣାଣି ବେଳେ ଆବେଦନକାରୀ ମହମ୍ମଦ ସିଦ୍ଦିକ କହିଥିଲେ ଯେ “ମୁଁ ଗୋଟିଏ ପ୍ଲଟରେ ଘର ତିଆରି କରିଥିଲି। ହେଲେ ଏହାକୁ ମୋ ଠାରୁ ପୁଣି ଫେରାଇ ନିଆଯାଇଛି।” ଏହାଶୁଣି ଜଷ୍ଟିସ କାଜି ଫୈଜ ପଚାରିଥିଲେ ଯେ କ’ଣ ତାଙ୍କୁ ଆଉ ଗୋଟିଏ ପ୍ଲଟ ପୂର୍ବରୁ ଦିଆଯାଇଥିଲା। ଏହାପରେ ସେ ସିଦ୍ଦିକଙ୍କ ଆବେଦନ ଖାରଜ କରିଥିଲେ।

nis-ad
Leave A Reply

Your email address will not be published.