କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯୋଗ ଦେଲେନି ଜିଲ୍ଲାପାଳ ! ଅସନ୍ତୋଷ ଝାଡିଲେ ମନ୍ତ୍ରୀ

କୋରାପୁଟ : କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ କୁମାର ବଲ୍ୟାନ ଆଜି ସକାଳେ ଦିନିକିଆ କୋରାପୁଟ ଗସ୍ତ ରେ ଆସି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ତେବେ ମନ୍ତ୍ରୀଙ୍କ ଗସ୍ତ ନେଇ ଚାରିଦିନ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଜିଲ୍ଲାପାଳ ଅନୁପସ୍ଥିତ ରହିବା କୁ ନେଇ ମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି । ଡିଆରଡିଏ ପ୍ରକଳ୍ପ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ଆବାସ ଯୋଜନା , ନରେଗା , କିଷାନ ସମ୍ମାନ ନିଧି ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଯୋଜନା ସମ୍ପର୍କରେ ତଥ୍ୟ ଦେବାରେ ଅସମର୍ଥ ହୋଇଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନର ଅସହଯୋଗ ! ଅସନ୍ତୋଷ ଝାଡିଲେ ମନ୍ତ୍ରୀପ୍ରଶାସନ ଯେଉଁ ହିତାଧିକାରୀଙ୍କୁ ତାଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ସେମାନଙ୍କ ମାଧ୍ୟମରେ ପ୍ରଶାସନ କଣ ଜଣାଇବାକୁ ଚାହିଁଥିଲେ ସେ ନେଇ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ବିଜେଡିର ସ୍ଥାନୀୟ ବିଧାୟକ ଏବଂ ବିରୋଧୀ ଦଳର ବିଧାୟକ ଓ ସାଂସଦଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲେ ସୁଦ୍ଧା ସମୀକ୍ଷା ବୈଠକରେ ଯୋଗନଦେବା ତାଙ୍କୁ ଦୁଃଖ ଦେଇଥିବା ମନ୍ତ୍ରୀ କହିଛନ୍ତି ।ରାଜ୍ୟ ସରକାର 2024 ନିର୍ବାଚନ ପାଇଁ କରୁଥିବା ରାଜନୀତି ଆଜିଠାରୁ ଆରମ୍ଭ କରିଦେଇଥିବା ଫଳରେ ଆକାଂକ୍ଷା ଜିଲ୍ଲାର ସମୀକ୍ଷା କରିବା ପାଇଁ ତାଙ୍କ ଗସ୍ତକୁ ଏପରି ଅସହଯୋଗ କରିଥିବା ସେ ଅଭିଯୋଗ କରିଛନ୍ତି । କୋରାପୁଟ ଅଞ୍ଚଳରେ ମତ୍ସ୍ୟ ଓ ପଶୁ ସମ୍ପଦକୁ ନେଇ ଜୀବନ ଜୀବିକାକୁ ସୁଦୃଢ କରିବାର ସମ୍ଭାବନା ଥିବା ବେଳେ ରାଜ୍ୟ ସରକାର ଏଦିଗରେ ନିଜେ କିଛି ପଦକ୍ଷେପ ନେଉନଥିବା ବେଳେ କେନ୍ଦ୍ର ସରକାରଙ୍କ ଯୋଜନାକୁ କେତେଦୂର କାର୍ଯ୍ୟକାରୀ କରାଉଛନ୍ତି ତାର ତଥ୍ୟ ଜାଣିବାର ସୁଯୋଗ ସରକାରୀ କଳ ଦେଇନଥିଲେ ବୋଲି ସେ କହିଛନ୍ତି ।
ସ୍ଥାନୀୟ ବିଧାୟକ ତଥା ସାଂସଦଙ୍କ ଅନୁପସ୍ଥିତି ଯୋଗୁଁ ସମୀକ୍ଷା ବୈଠକରେ ପୂର୍ବତନ ସାଂସଦ ବଳଭଦ୍ର ମାଝୀଙ୍କ ଉପସ୍ଥିତିରେ ଅଞ୍ଚଳର ବିକାଶର ସମୀକ୍ଷା କରିବା ପାଇଁ ମନ୍ତ୍ରୀ କରିଥିବା ଅନୁରୋଧକୁ ମଧ୍ୟ ପ୍ରାଶାସନିକ ଅଧିକାରୀ ପ୍ରତ୍ୟାଖ୍ୟାନ କରିଦେଇଥିବା ଯୋଗୁଁ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ତାଙ୍କ ପ୍ରଶ୍ନ ର ଜବାବ ମିଳିପାରିନଥିଲା ବୋଲି ମନ୍ତ୍ରୀ କହିଛନ୍ତି। ଏହି ବୈଠକ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଫଟୋ ମଧ୍ୟ ଉଠାଇବାକୁ ମନା କରି ପ୍ରାଶାସନିକ ଅଧିକାରୀ ହଲ ମଧ୍ୟରୁ ଠେଲି ଦେଇ ବାହାର କରିଦେବା ଘଟଣାକୁ ମନ୍ତ୍ରୀ ନିନ୍ଦା କରିବା ସହ ପ୍ରାଶାସନିକ ଅଧିକାରୀ ଅସହଯୋଗ କରିଥିବା ସମୟରେ ଅନେକ ତଥ୍ୟ ସେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରି ଜାଣିବାକୁ ପାଇଥିବା ସ୍ପଷ୍ଟ କରିଛନ୍ତି ।ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିବା ପ୍ରଶାସନିକ ଅସହଯୋଗ ଫଳରେ ତାଙ୍କ ଏହି ଗସ୍ତ ସଂପୂର୍ଣ୍ଣ ରୂପେ ବିଫଳ ହୋଇଥିବା ବେଳେ ଜିଲ୍ଲାର ବିକାଶ ସମ୍ବନ୍ଧରେ ବିଜେପି କର୍ମକର୍ତ୍ତା ଓ ସାମ୍ବାଦିକଙ୍କ ଠାରୁ ମିଳିଥିବା ତଥ୍ୟକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.