ଯୋଡ଼ାରେ ଆସନ୍ତାକାଲି ଦିନ ୧୦ଟା ଯାଏ ୧୪୪ ଧାରା ଜାରି

ଯୋଡ଼ା: ରାମନବମୀ ଝଣ୍ଡା ‌ଶୋଭାଯାତ୍ରାକୁ ନେଇ ଯୋଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପ୍ରଶାସନର ମଧ୍ୟସ୍ଥତା ପରେ ସ୍ଥିତିରେ ସୁଧାର ଆସିଥିଲେ ବି ଚାପା ଉତ୍ତେଜନା ଲାଗିରହିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ପାଖାପାଖି ୧୪ ପ୍ଲାଟୁନ ଫୋର୍ସ ସହରର ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି। ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି।

ପ୍ରତିଷେଧକମୂଳକ ପଦକ୍ଷେପସ୍ୱରୂପ ଗତକାଲି ରାତି ୨ଟା ଠାରୁ ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ସେହିପରି ଗତକାଲିଠାରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ, ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଆସନ୍ତାକାଲି ଦିନ ୧୦ଟା ପର୍ଯ୍ୟନ୍ତ ବଳବତ୍ତର କରାଯାଇଥିବା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ରାହିଛି। ସହରରେ ପ୍ରାୟତଃ ଦୋକାନ ବଜାର ବନ୍ଦ ରହିଛି। ସହରର ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ପଇଁତରା ମାରୁଛନ୍ତି। ଆସନ୍ତାକାଲି ସକାଳ ୧୦ଟା ସମୟରେ ଶାନ୍ତି କମିଟି ବୈଠକ ବସିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ରାମନବମୀ ପାଇଁ ଯୋଡ଼ାରେ ଝଣ୍ଡା ଓ ଆଖଡ଼ା ଶୋଭାଯାତ୍ରା କରାଯାଇଥିଲା। ୪ ନମ୍ବର ୱାର୍ଡରେ ଥିବା ଶିବମନ୍ଦିରକୁ ରମନବମୀ ଝଣ୍ଡା ନେଇଯିବାକୁ କିଛି ଶ୍ରଦ୍ଧାଳୁ ଚାହିଁଥିଲେ। କିନ୍ତୁ ପୁଲିସ ସେମାନଙ୍କୁ ଅନୁମତି ଦେଇନଥିଲା। ଗତକାଲି ସକାଳେ ମାତ୍ର ୫ଜଣ ବ୍ୟକ୍ତି ଝଣ୍ଡା ନେଇଯିବେ ବୋଲି ପୁଲିସକୁ କୁହାଯାଇଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳି ନଥିଲା। ଏହାକୁ କେନ୍ଦ୍ରକରି ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିକଟସ୍ଥ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରିଥିଲେ। ପରେ କିଛିଲୋକ ଝଣ୍ଡା ନେଇ ଶିବମନ୍ଦିର ଆଡ଼କୁ ଯାଉଥିବା ବେଳେ ବଜାର ଗଳିରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଲୋକ ବିରୋଧ କରିଥିଲେ। ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା।

ଉଭୟ ପକ୍ଷ ବ୍ୟାପକ ଭଙ୍ଗାରୁଜା କରିବା ସହ ପ୍ରବଳ ଟେକାପଥର ଓ କାଚ ବୋତଲ ମାଡ଼ ହୋଇଥିଲା। ଲୋକଙ୍କ ଘରକୁ ପଥର ମାଡ଼ ହେବାରୁ ଝରକା, କବାଟ ଏବଂ ଗାଡ଼ିମୋଟର ଭାଙ୍ଗି ଯାଇଥିଲା। ଲୋକେ ଭୟରେ ଘରର କବାଟ, ଝରକା ବନ୍ଦ କରି ରହିଥିଲେ। ପଥର ମାଡ଼ରେ କିଛି ପୁଲିସ, ସାମ୍ବାଦିକଙ୍କ ସମେତ ସାଧାରଣ ଲୋକେ ଆହତ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା। ଖବରପାଇ ଘଟଣାସ୍ଥଳରେ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର, ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ବଡ଼ବିଲ ଏସ୍‌ଡିପିଓ ହିମାଂଶୁ ଭୂଷଣ ବେହେରା, ତହସିଲଦାର ଆଲୋକ ପଟେଲ, ଯୋଡ଼ା ବିଡିଓ ଜଗନ୍ନାଥ ହନୁମାନ, ବିଭିନ୍ନ ଥାନାର ଆଇଆଇସି ଓ ପୁଲିସ ଫୋର୍ସ ପହଞ୍ଚିଥିଲେ। କେନ୍ଦୁଝର ଏସ୍‌ପି ଶ୍ରୀ ମହାପାତ୍ରଙ୍କ ନେତୃତ୍ବରେ ପୁଲିସ ଫୋର୍ସ ଏକ ପେଟ୍ରୋଲ ପମ୍ପ ପାଖରେ ହେଉଥିବା ଦୋକାନ ଭଙ୍ଗାରୁଜା ଓ ବାଇକ୍‌ ପୋଡ଼ାଜଳା ସ୍ଥାନରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।

nis-ad
Leave A Reply

Your email address will not be published.