ଜୟରାମ ଠାକୁରଙ୍କ ନେତୃତ୍ୱରେ ହିମାଚଳରେ ଲଢ଼ିବ ବିଜେପି: ଜେ.ପି. ନଡ୍ଡା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଜୟରାମ ଠାକୁର ଏଥର ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ।ତାଙ୍କ ନେତୃତ୍ୱରେ ବିଜେପି ହିମାଚଳରେ ନିର୍ବାଚନ ମଇଦାନକୁ ଓହ୍ଲାଇବ। ଆଜି ଏହା ସ୍ପଷ୍ଟ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ହିମାଚଳ ପ୍ରଦେଶରେ ଏବର୍ଷ ବିଧାନସଭା ନିର୍ବାଚନ ହେବାର ଅଛି । ନଡ୍ଡା କହିଛନ୍ତି, ହିମାଚଳରେ ଡବଲ ଇଞ୍ଜିନ ସରକାର ଅନେକ ବିକାଶମୂଳକ କାମ କରିଛନ୍ତି । ଆଜି ରାମନବମୀ ଅବସରରେ ନଡ୍ଡା ସିମ୍ଲାର ଜାଖୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ।
ଗତ ୬ ତାରିଖରୁ ରାଜ୍ୟରେ ବିଜେପି ମହାସଂପର୍କ ଅଭିଯାନ ଆରମ୍ଭ କରିଛି । ଏହି ଅବସରରେ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରାଯିବ ବୋଲି ନଡ୍ଡା କହିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବଦଳିବେ ନାହିଁ କିମ୍ବା କୌଣସି ମନ୍ତ୍ରୀ ବଦଳିବେ ନାହିଁ। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନେତୃତ୍ୱରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଜୁନ୍ ୨୫ ରୁ ୩୦ ମଧ୍ୟରେ ଏକ ଲକ୍ଷରୁ ଅଧିକ ଯୁବକଙ୍କୁ ନେଇ ଏକ ରାଲି ହେବ | ଶିମଲାର ପିଟରହୋଫରେ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ନଡ୍ଡା କହିଛନ୍ତି ଯେ ସଂଗଠନ କଥା କହିବାକୁ ଗଲେ ହିମାଚଳପ୍ରଦେଶରେ ସରକାର ଏବଂ ସଂଗଠନ ମଧ୍ୟରେ ଭଲ ସମନ୍ୱୟ ରହିଛି।
ସେହିପରି ମହାସମ୍ପର୍କ ଅଭିଯାନ ୩୦ ଏପ୍ରିଲ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ସରକାରୀ ଯୋଜନାଗୁଡିକ ଲୋକଙ୍କ ନିକଟରେ ପହଞ୍ଚୁଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରାଯାଉଛି । ସୂଚନା ଅନୁଯାୟୀ, କିଛି ଦିନ ତଳେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଦାବି କରିଥିଲେ ଯେ ହିମାଚଳ ପ୍ରଦେଶରେ ବିଜେପି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ। ମନୀଷ ସିସୋସିଆ କହିଥିଲେ ଯେ ରାଜ୍ୟରେ ତାଙ୍କର(ଜୟରାମ ଠାକୁର) ଲୋକପ୍ରିୟତା ହ୍ରାସ ପାଇଛି, ଯାହାକୁ ନେଇ ବିଜେପି ଏଭଳି ପଦକ୍ଷେପ ନେଇପାରେ।

nis-ad
Leave A Reply

Your email address will not be published.