ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭାପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର : ଗଣତନ୍ତ୍ରରେ ସାଧାରଣ ନାଗରିକଟିଏ ପ୍ରକୃତ ମାଲିକ। ସେମାନଙ୍କୁ ସମସ୍ତ ସରକାରୀ ସହାୟତା ଅନାୟସରେ ଯୋଗାଇ ଦେବା ତୃଣମୂଳ ପ୍ରତିନିଧିମାନଙ୍କ ପ୍ରାଥମିକ ଦାୟିତ୍ୱ। ପ୍ରକୃତ ହିତାଧିକାରୀଙ୍କ ପାଇଁ ଯୋଜନା ସୁନିଶ୍ଚିତ କରିବା ସହ ଦୁର୍ନୀତିକୁ ରୋକିବା, ଗ୍ରାମାଞ୍ଚଳ ବିକାଶରେ ‘୫-ଟି କାର୍ଯ୍ୟକ୍ରମ’କୁ ସଫଳ ଭାବେ ଲାଗୁ କରିବା ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ନିର୍ବାଚିତ ଜିଲ୍ଲା ପରିଷଦ ଗୁଡ଼ିକର ଅଧ୍ୟକ୍ଷ/ଅଧ୍ୟକ୍ଷା, ଉପାଧ୍ୟକ୍ଷ/ଉପାଧ୍ୟକ୍ଷାଙ୍କୁ ପରାମର୍ଶ ଦେଇଛନ୍ତି।

ନିର୍ବାଚିତ ହେବା ପରେ ପ୍ରଥମ ଥର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପ୍ରତିନିଧିଙ୍କୁ ଭେଟିଛନ୍ତି। ସବୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷା ସହ ମୁଖ୍ୟମନ୍ତ୍ରୀ ଜିଲ୍ଲାୱାରୀ ୧୦ରୁ ୧୫ ମିନିଟ୍‍ ଆଲୋଚନା କରିବା ସହ ଗ୍ରାମାଞ୍ଚଳ ବିକାଶରେ ଡିଆରଡିଏର ଭୂମିକାକୁ ଅଧିକ କ୍ରିୟାଶୀଳ କରିବାକୁ ପରାମର୍ଶ ଦେଇଛନ୍ତି। ପ୍ରଥମ ବର୍ଷ କି କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିର୍ବାଚିତ ପ୍ରତିନିଧିମାନେ ଚିନ୍ତା କରିଛନ୍ତି, ସେ ସମ୍ପର୍କରେ ମଧ୍ୟ ସଂକ୍ଷିପ୍ତ ଆଲୋଚନା କରାଯାଇଥିଲା। କୌଣସି ଅସୁବିଧା ହେଲେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର(ସିଏମଓ)ଙ୍କୁ ଯୋଗାଯୋଗ କରିବାକୁ ପ୍ରତିନିଧିମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ଅବସରରେ କେତେକ ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷ ଭର୍ଚୁଆଲ ମୋଡରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ନବୀନ ନିବାସରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷ ପ୍ରତ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ସଚିବ ଭି.କେ ପାଣ୍ଡିଆନ୍‍ ମଧ୍ୟ ଉପସ୍ଥିତ ରହିଥିଲେ।
ପ୍ରଥମ ଥର ପାଇଁ କୌଣସି ଏକ ରାଜନୈତିକ ଦଳ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପରିଷଦ ନିରଙ୍କୁଶ ସଂଖ୍ୟାଗରିଷ୍ଠତାର ସହ ଗଠନ କରିଛି। ଚଳିତ ଥର ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦମାନଙ୍କ ହାରାହାରି ବୟସସୀମା ୪୧ ବର୍ଷ। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଜଣେ ମହିଳା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି।

୫୦ ପ୍ରତିଶତ ସଂରକ୍ଷଣ ଥିଲେ ବି ରାଜ୍ୟର ୭୦ ପ୍ରତିଶତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମହିଳା ହୋଇଛନ୍ତି। ସେହିପରି ଅଣସଂରକ୍ଷିତ ଏବଂ ମହିଳାଙ୍କ ପାଇଁ ଥିବା ଆସନର ୬୭ ପ୍ରତିଶତ ଅନ୍ୟାନ୍ୟ ପଛୁଆବର୍ଗ(ଓବିସି)କୁ ଯାଇଛି। ସରସ୍ୱତୀ ମାଝୀ(୨୩) ରାୟଗଡ଼଼ା ଭଳି ଆଦିବାସୀ ଅଧୁଷିତ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ସରସ୍ୱତୀ ଜଣେ ବିଜ୍ଞାନ ଗ୍ରାଜୁଏଟ୍‍। ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପୂର୍ବରୁ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ସରକାରୀ ଯୋଜନାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଦୁର୍ଗମ ଅଞ୍ଚଳ ତଥା ମାଲକାନଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶ୍ରୀ ସମାରି ଟାଙ୍ଗୁଲଙ୍କୁ ଚୟନ କରିଛନ୍ତି। ନିର୍ବାଚିତ ପ୍ରତିନିଧି ମାନଙ୍କ ଅନ୍ୟତମ ପ୍ରମୁଖ ବୈଶିଷ୍ଟ୍ୟ ହେଉଛି- ମନୋନୀତ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା।

୧୮ ଜିଲ୍ଲା ପରିଷଦ ସଭାପତି ସ୍ମାତକ ଶିକ୍ଷା କରିଛନ୍ତି। ୩୦ ଜିଲ୍ଲାରୁ ୨୬ ଜଣ ସର୍ବନିମ୍ନ ଯୁକ୍ତ ୨ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ସତର୍କତାର ସହ ଜିଲ୍ଲା ଗୁଡ଼ିକରେ ଉତ୍ତମ ଲୋକ ସମ୍ପର୍କ ଥିବା ଏବଂ କୌଣସି ଆପରାଧିକ ମାମଲା ନ ଥିବା ଜିଲ୍ଲାର ଶିକ୍ଷିତ ପ୍ରାର୍ଥୀମାନଙ୍କୁ ମନୋନୀତ କରି ସେମାନଙ୍କ ହାତରେ ନେତୃତ୍ୱ ପ୍ରଦାନ କରିଛନ୍ତି। ପ୍ରଥମଥର ପାଇଁ ପ୍ରାୟ ୭୦% ମହିଳା ଜିଲ୍ଲା ପ୍ରଶାସନର ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି। ଯାହା ବୋଧହୁଏ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକରେ ଦେଖାଯାଇନାହିଁ। ରାଜ୍ୟର ବଡ଼ ଜିଲ୍ଲା ତଥା ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ଼଼, ସମ୍ବଲପୁର ଏବଂ ଅବିଭକ୍ତ କୋରାପୁଟ(କେବଳ ନବରଙ୍ଗପୁର) ବ୍ୟତୀତ ଜିଲ୍ଲାରେ ମହିଳା ମାନେ ଅଧ୍ୟକ୍ଷା ପଦ ଅଳଙ୍କୃତ କରିଛନ୍ତି।

nis-ad
Leave A Reply

Your email address will not be published.