ରାଉରକେଲାରେ ଗଞ୍ଜେଇ ଚାଲାଣ ରେ ଝିଅ ମାନଙ୍କୁ ନିୟୋଜିତ କରୁଛନ୍ତି ଡ୍ରଗ୍ସ ବ୍ୟବସାୟୀ…!


ରେଳ ଷ୍ଟେସନ ପରିସରରୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଝିଅ ଗିରଫ।

ରାଉରକେଲା : ରାଉରକେଲା ସହରରେ ଏବେ ଡ୍ରଗ୍ସ କାରବାର ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ନିୟମିତ ବ୍ୟବଧାନରେ ପୋଲିସ , ଅବକାରୀ ବିଭାଗ , ଆର ପି ଏଫ , ରେଳବାଇ ପୋଲିସ ନିଶା ଦ୍ରବ୍ୟ କାରବାର କରୁଥିବା ବେପାରୀଙ୍କୁ ଧରୁଛନ୍ତି।
କିନ୍ତୁ ସୋମବାର ଦିନ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଦୁଇଜଣ ଝିଅ ଗିରଫ ହେବା ଘଟଣା ଡ୍ରଗ୍ସ କାରବାର ବାବଦରେ ନୂତନ ତଥ୍ୟ ଉଜାଗର କରୁଛି। ଗିରଫ ଝିଅ ଦ୍ୱୟ କମ ବୟସର ହୋଇଥିବା ବେଳେ ଜଣେ ରାଉରକେଲା ର ଏବଂ ଅନ୍ୟ ଜଣେ କୁତ୍ରା ଅଞ୍ଚଳର। ଜଣଙ୍କର ବୟସ ୨୩ ଏବଂ ଅନ୍ୟ ଜଣଙ୍କ ୧୯। ଏତେ କମ ବୟସ ଝିଅ ନିଜ ଇଚ୍ଛାରେ ଡ୍ରଗ୍ସ ବ୍ୟବସାୟ କରୁଥିବା ବିଶ୍ୱାସଯୋଗ୍ୟ ନୁହେଁ। ଏହା ପଛରେ ବଡ଼ ରାକେଟ ଥିବା ନିଶ୍ଚିତ। ଏବେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଡ୍ରଗ୍ସ ବେପାରୀଙ୍କ ଉପରେ ନିଜର ପଞ୍ଜା ଟାଇଟ କରିଥିବା ବେଳେ ନିଶା କାରବାରୀ ମାନେ ଡ୍ରଗ୍ସ ଚାଲାଣ ଲାଗି ନୂତନ କୌଶଳ ଅବଲମ୍ବନ କରୁଛନ୍ତି। ପୋଲିସ୍ ସନ୍ଦେହ ଏଡାଇବାକୁ ଏହି ବେପାରରେ କମ ବୟସର ଝିଅ ମାନଙ୍କୁ ନିୟୋଜିତ କରୁଛନ୍ତି। ଗିରଫ ଝିଅ ମାନେ ସୁନ୍ଦରଗଡ଼ ର କନିକା ଅଞ୍ଚଳରୁ ଗଞ୍ଜେଇ ଆଣିଥିବା ତଦନ୍ତରୁ ଜଣା ପଡ଼ିଛି। ତାଙ୍କ ନିକଟରୁ ୨୧ କେଜି ରୁ ଅଧିକ ଗଞ୍ଜେଇ ଜବତ ହୋଇଛି। ଛତିଶଗଡ଼ ର ବିଳାସପୁରକୁ ଗଞ୍ଜେଇ ଟ୍ରେନ ରେ ନେଇ ଯିବାକୁ ଅପେକ୍ଷା କରିଥିବା ବେଳେ ଧରପଡିଥିଲେ। ତେବେ ଏହି ଝିଅମାନେ କେବଳ ମୋହରା। ଅଧିକ ତଦନ୍ତ କରି ଡ୍ରଗ୍ସ ବେପାର କରୁଥିବା କିଙ୍ଗପିନ ଧରାଗଲେ ଗଞ୍ଜେଇ ଚାଲାଣ ଉପରେ ଅଙ୍କୁଶ ଲାଗିବାର ଆଶା ରହିଛି। ପୂର୍ବରୁ କମ ବୟସର ପିଲାମାନେ ଡ୍ରଗ୍ସ ସେବନ କରୁଥିବାର ନଜିର ରହିଛି। କିନ୍ତୁ ଏବେ କମ ବୟସର ଝିଅ ମାନେ ଡ୍ରଗ୍ସ କାରବାର ରେ ସଂଶ୍ଳିଷ୍ଟ ରହିବା ନିଶ୍ଚିତ ଭାବେ ସମାଜ ଲାଗି ଚିନ୍ତାଜନକ।

nis-ad
Leave A Reply

Your email address will not be published.