୬ରୁ ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ବର : ବଙ୍ଗୋପସାଗରରେ ବାତ୍ୟା ଋତୁ ଆରମ୍ଭ ହୋଇଯାଇଛି । ଗତ ମାର୍ଚ୍ଚ ମାସରେ ଦୁଇଟି ବାତ୍ୟା ସୃଷ୍ଟି ହୋଇଥିଲେ ବି ତାହା ଭାରତୀୟ ଉପକୂଳ ପର୍ଯ୍ୟନ୍ତ ଆସିନଥିଲା । ଏବେ ଏପ୍ରିଲ ମାସର ପ୍ରଥମ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଲକ୍ଷଣ ଦେଖାଦେଇଛି । ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି ।

ପରବର୍ତ୍ତୀ ଦୁଇଦିନରେ ଏହା ଆହୁରି ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରିଛନ୍ତି ।

ତେବେ ସ୍କାଏମେଟ ଆଉ ଏକ ପାଦ ଆଗକୁ ଯାଇ କହିଛି ଯେ ପାଣିପାଗର ସ୍ଥିତି ଦୃଷ୍ଟିରୁ ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ମାତ୍ର ଏହା ବାତ୍ୟାରୂପ ନେବ କି ନାହିଁ, ତାହା ଏବେଠାରୁ ଜଣାପଡ଼ି ନାହିଁ । ତେବେ ଏହି ଲଘୁଚାପ ଉପରେ ପାଣିପାଗ ବିଜ୍ଞାନୀମାନେ ସତର୍କ ଦୃଷ୍ଟି ରଖିଛନ୍ତି । ଏପ୍ରିଲ ୬ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ୪୮ ଘଣ୍ଟା ଏହି ଲଘୁଚାପ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ହିଁ ଲଘୁଚାପ ବାତ୍ୟା ରୂପ ନେବ କି ନାହିଁ, ଓ ଏହାର ଗତିପଥ କିପରି ରହିବ ତାହା ଜଣାପଡ଼ିବ ବୋଲି ସ୍କାଏମେଟ କହିଛି ।

nis-ad
Leave A Reply

Your email address will not be published.