ଶ୍ରୀମନ୍ଦିରର ୧୦୦ ମିଟର ଭିତରେ କାମ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା : ଅପରାଜିତା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ପରିକ୍ରମା ପ୍ରକଳ୍ପ ନିର୍ମାଣ କରୁଥିବା ଓଡ଼ିଶା ବ୍ରିଜ୍ କନଷ୍ଟ୍ରକସନ୍ କମ୍ପାନୀ ‘ଓବିସିସି’କୁ ଏଏସଆଇ ଲେଖିଥିବା ଏକ ଚିଠିକୁ ଟ୍ୱିଟ୍ କରି ମନ୍ଦିରର ସୁରକ୍ଷା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି ।

ଶ୍ରୀ ଜଗନ୍ନାଥ ମନ୍ଦିରର ୧୦୦ ମିଟର୍ ଭିତରେ କାର୍ଯ୍ୟ ବନ୍ଦ କରିବା ପାଇଁ ଏଏସଆଇ ଫେବୃଆରୀ ମାସରେ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କାମ ବନ୍ଦ କରିନାହାନ୍ତି । ଏହା ବେଆଇନ୍ ବୋଲି କହିଛନ୍ତି ଅପରାଜିତା ।
ଏହାପୂର୍ବରୁ ଆଜି ବରିଷ୍ଠ ନେତା ବିଜୟ ମହାପାତ୍ର କହିଥିଲେ, , ରାଜ୍ୟ ସରକାର ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ଅବମାନନା କରିଛନ୍ତି । କେବଳ ଆର୍ଥିକ ସ୍ୱାର୍ଥ ପାଇଁ ବେଆଇନ କାମ ହେଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ମଧ୍ୟ ରାଜ୍ୟ ସରକାର, ଏଏସଆଇ ଓ ଏନଏମଏକୁ କାଠ ଗଡାକୁ ଟାଣିଛନ୍ତି ବିଜୟ ମହାପାତ୍ର ।

ଅନ୍ୟପଟେ ପୁରୀ ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସମ୍ବିତ ପାତ୍ର ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏ ନେଇ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ଯୁଗ ଯୁଗ ଧରି ଚାଲିଆସିଥିବା ପରମ୍ପରା ହଠାତ୍ ବନ୍ଦ ହେବା ଏବଂ ୪୦ରୁ ଅଧିକ ଚୁଲି ଭାଙ୍ଗିବା ନିଶ୍ଚିତ ଭାବେ ଚିନ୍ତାଜନକ । ଏହା କେବଳ ଓଡ଼ିଆ ନୁହେଁ ସମଗ୍ର ହିନ୍ଦୁଙ୍କୁ ଏହା ଆଘାତ ଦେଇଛି ବୋଲି କହିଛନ୍ତି ସମ୍ବିତ୍ । ଏହି ଘଟଣାକୁ ନେଇ ସମ୍ବିତ ରାଜ୍ୟ ସରକାରଙ୍କୁ ମଧ୍ୟ ଘେରିଛନ୍ତି । ଶ୍ରୀମନ୍ଦିରର ଏହି ପରମ୍ପରା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ଚିନ୍ତାଜନକ । ଏହାର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି ସମ୍ବିତ ପାତ୍ର । ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅନୁରୋଧ କରିଛନ୍ତି ।

nis-ad
Leave A Reply

Your email address will not be published.