ପୁରୀ: ଶ୍ରୀମନ୍ଦିର ରୋଷ ଘରେ ଅଘଟଣ। ଦୁର୍ବୃତ୍ତ ରୋଷଘର ଚୁଲି ଭାଙ୍ଗି ଦେଇଛନ୍ତି। ୭ଟି କୋଠ ଭୋଗ ଚୁଲି ସମେତ ପାଖାପଖି ୧୦୦ ଚୁଲି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ତାଲା ପଡି ରହିଥିବା ଉତ୍ତରପାର୍ଶ୍ବ ଚୁଲି , ଏମାର ଚୁଲି, ଓଡିଆ ଚୁଲି ସୁରକ୍ଷିତ ରହିଛି ।ଅନ୍ୟ ସମସ୍ତ ଚୁଲି ଭାଙ୍ଗି ଦେଇଛନ୍ତି ଦୁର୍ବୃତ୍ତ।ରବିବାର ଭୋରୁ ଚୁଲି ଗୁଡିକ ଭାଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ଏହି ଚୁଲିଗୁଡିକ କେହି ଆକ୍ରୋଶମୂଳକ ଭାବେ ଭାଙ୍ଗି ଦେଇଥିବା ଆଶଙ୍କା କରାଯାଉଛି।
ପୁରୀ ରୋଷଘରେ ଚୁଲି ଭଙ୍ଗା ଘଟଣାରେ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମନ୍ଦିର ନୀତି ପ୍ରଶାସକ ଓ ଅତିରିକ୍ତ ଏସ.ପି (ମନ୍ଦିର ସିକ୍ୟୁରିଟୀ)ଙ୍କ ଦ୍ବାରା ଯୁଗ୍ମ ତଦନ୍ତ ଆରମ୍ଭ ହୋଇଛି । ଚୁଲି ଭଙ୍ଗା ହୋଇଥିବା ଯୋଗୁଁ ଠାକୁରଙ୍କ ମହାପ୍ରସାଦ କିଭଳି ଲାଗିହେବ ସେ ନେଇ ବ୍ୟବସ୍ଥା କରାଯାଇଛି । ଏହି ଘଟଣା ପାଇଁ ସାଧାରଣ ଭକ୍ତଙ୍କ ଲାଗି ପ୍ରସ୍ତୁତ କରାଯାଉଥିବା ଅବଢ଼ାର ପରିମାଣ କମ୍ କରାଯାଇଛି । ଯୁଗ୍ମ ତଦନ୍ତ କମିଟି ରୋଷଘର ଦାୟୀତ୍ବରେ ଥିବା ଲୋକଙ୍କୁ ପଚରାଉଚରା କରିଛି । ଏହି ଘଟଣାରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।