ଜିଲ୍ଲା ସ୍ତରୀୟ ଓଡିଶା ଦିବସ ପାଳନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…


ସୁନ୍ଦରଗଡ଼,: ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଜିଲ୍ଲା ସ୍ତରୀୟ ଓଡିଶା ଦିବସ ସ୍ଥାନୀୟ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ବଳିଦାନ ଦେଇଥିବା ମହାମନୀଷୀ ମାନଙ୍କୁ ସ୍ମରଣ କରି ସେମାନଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସାଂସଦ ଶ୍ରୀଯୁକ୍ତ ଜୁଏଲ ଓରାମ, ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଭୈରବ ସିଂ ପଟେଲଙ୍କ ସମେତ ସୁନ୍ଦରଗଡ଼ ପୌରାଞ୍ଚଳର ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ପ୍ରମୁଖ ଉପସ୍ଥିତ ରହି ବିବିଧ କଳା, ସଂସ୍କୃତି, ଐତିହ୍ୟକୁ ନେଇ ସମୃଦ୍ଧ ଓଡ଼ିଶା ପ୍ରଦେଶ ଗଠନ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥିମାନେ ମାତୃଭାଷା, ମାତୃଭୂମି ପ୍ରୀତି ସମସ୍ତେ ନିଜ ମନରେ ଜାଗ୍ରତ କରି ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ଦିଗରେ କାର୍ଯ୍ୟକଲେ ବଳିଦାନ ଦେଇଥିବା ମହାପୁରୁଷଙ୍କ ପାଇଁ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ।
ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ “ଆଜାଦୀ କୀ ଅମୃତ ମହୋତ୍ସବ” ପାଳନ ଅବସରରେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ଏକାଡେମୀ ଏବଂ ସୁନ୍ଦରଗଡ଼ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ସହଯୋଗରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଏଥି ସହ କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲାକୁ ଗୌରବମଣ୍ଡିତ କରିଥିବା ବ୍ୟକ୍ତିମାନଙ୍କୁ ପୁରସ୍କୃତ କରାଯାଇଥିଲା। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ କିଶୋର ଷଡଙ୍ଗୀ, ନାଟ୍ଯକାର ତଥା ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଯୁକ୍ତ ପ୍ରଦୀପ ଭୋଳ, ଶାସ୍ତ୍ରୀୟ ସଙ୍ଗୀତ ପାଇଁ ସୁଶ୍ରୀ ସସ୍ମିତା ସାହୁ ଏବଂ ଚିତ୍ରକଳା ପାଇଁ ରାଜେନ୍ଦ୍ର ମେହେରଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥି ସହ ବିଦ୍ୟାଳୟ ସ୍ତରରେ ହୋଇଥିବା ଓଡ଼ିଆ ପ୍ରବନ୍ଧ, ଓଡ଼ିଆ ତର୍କ, ଦେଶାତ୍ମବୋଧକ ସଙ୍ଗୀତ ପାଇଁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ କଳାକାର ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଶେଷ କରି ଓଡ଼ିଶୀ ନୃତ୍ୟ ଉପସ୍ଥିତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଅନନ୍ତ ଆଚାର୍ଯ୍ୟ ଏବଂ ପ୍ରିୟଙ୍କା ଜେନା ମଞ୍ଚ ସଂଯୋଜନା କରିଥିବା ବେଳେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଡଃ ସୁପ୍ରିୟା ପାଲ ଓ ସାହିତ୍ୟିକ ଗୋପକୃଷ୍ଣ ନାୟକ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶେଷରେ ସୁନ୍ଦରଗଡ଼ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ୟବାଦ ଅର୍ପଣ କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ, ପ୍ରତ୍ୟୁଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପ୍ରସାରଣ କରାଯାଇଥିଲା ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରଭାତ ଫେରି କରାଯାଇଥିଲା ଏବଂ ପବିତ୍ର ଓଡ଼ିଶା ଦିବସ ଅବସରରେ ସୁନ୍ଦରଗଡ଼ ସହର ମଧ୍ୟରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।

nis-ad
Leave A Reply

Your email address will not be published.