ଅବିବାହିତ ଝିଅ ମଧ୍ୟ ବାପା-ମା’ଙ୍କ ଠାରୁ ବାହାଘର ଖର୍ଚ୍ଚ ମାଗିପାରିବେ: ହାଇକୋର୍ଟ

ରାୟପୁର: ବାପା ମା’ମାନେ ଝିଅର ବାହାଘର କରିବାକୁ ଅନେକ ଧନସମ୍ପତ୍ତି ସଞ୍ଚୟ କରି ରଖନ୍ତି। ଝିଅର ବାହାଘର ଧୂମଧାମରେ କରିବା ସବୁ ବାପା ମା’ଙ୍କ ସ୍ୱପ୍ନ। ତେବେ ଅନେକ ସମୟରେ ଝିଅମାନେ ଅବିବାହିତ ଅବସ୍ଥାରେ ବାପା ମା’ଙ୍କ ଠାରୁ ସେମାନଙ୍କ ବାହାଘରରେ ଖର୍ଚ୍ଚ କରିବାକୁ ଥିବା ଅର୍ଥ ମାଗନ୍ତି। ହେଲେ ବାପା ମା’ମାନେ ଏହାକୁ ହାଲୁକା ଭାବେ ନେଇ ଅଣଦେଖା କରି ଦିଅନ୍ତି। ଏହା ବିରୋଧରେ କେହି ବି ଆଇନର ଆଶ୍ରୟ ନେବାର ନଜିର ନାହିଁ।
ହେଲେ ଏବେ ଛତିଶଗଡ଼ ହାଇକୋର୍ଟ ଏହି ଘଟଣାରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ରାୟ ଦେଇଛନ୍ତି। ଜଣେ ଅବିବାହିତ ଝିଅ ନିଜ ବାପା ମା’ଙ୍କ ଠାରୁ ବାହାଘର ଖର୍ଚ୍ଚ ବାବଦ ଅର୍ଥ ମାଗି ପାରିବେ। ଏହା ସେମାନଙ୍କ ଆଇନଗତ ଅଧିକାର ବୋଲି କୋର୍ଟ କହିଛନ୍ତି। ହିନ୍ଦୁ ଆଡପସନ ଓ ମେଣ୍ଟନାନ୍ସ ଆକ୍ଟ ୧୯୫୬ ଅନୁଯାୟୀ ଅବିବାହିତ ଝିଅଟିଏ ବାହାଘର ଖର୍ଚ୍ଚ ଦାବି କରିପାରିବେ ବୋଲି କୋର୍ଟ ରାୟ ଦେଇଛନ୍ତି।
ଛତିଶଗଡ଼ର ଦୁର୍ଗ ଜିଲ୍ଲାର ଜଣେ ୩୫ ବର୍ଷୀୟ ମହିଳାଙ୍କ ଆବେଦନର ଶୁଣାଣି କରି ବିଳାସପୁରରେ ଥିବା ହାଇକୋର୍ଟର ଡିଭଜନାଲ ବେଞ୍ଚ ଏପରି କଥା କହିଛନ୍ତି। ମାର୍ଚ୍ଚ ୨୧ରେ ଜଷ୍ଟିସ ଗୌତମ ବାହାଦୂରୀ ଓ ଜଷ୍ଟିସ ସଞ୍ଜୟ ଏସ୍‌ ଅଗ୍ରୱାଲ ମହିଳାଙ୍କ ଆବେଦନକୁ ଗ୍ରହଣ କରିଥିଲେ। ହିନ୍ଦୁ ଆଡପସନ ଓ ମେଣ୍ଟନାନ୍ସ ଆକ୍ଟ ୧୯୫୬ ଅନୁଯାୟୀ ଅବିବାହିତ ଝିଅଟିଏ ବାହାଘର ଖର୍ଚ୍ଚ ଦାବି କରିପାରିବେ ବୋଲି କୋର୍ଟ କହିଥିବା ଆବେଦନକାରୀ ଓକିଲ ଏକେ ତିୱାରୀ ସୂଚନା ଦେଇଛନ୍ତି।
ହାଇକୋର୍ଟ ୨୦୧୬ ମସିହାରେ ଦୁର୍ଗ ସ୍ଥିତ ଫ୍ୟାମିଲି କୋର୍ଟର ପ୍ରିନ୍ସିପାଲ ଜଜଙ୍କ ରାୟକୁ ଖାରଜ କରିଛନ୍ତି। ହିନ୍ଦୁ ଆଡପସନ ଓ ମେଣ୍ଟନାନ୍ସ ଆକ୍ଟ ୧୯୫୬ରେ ଅବିବାହିତ ଝିଅ ବାପା ମା’ଙ୍କ ଠାରୁ ବାହାଘର ରାଶି ମାଗି ପାରିବ ବୋଲି ଉଲ୍ଲେଖ ନଥିବା ଫ୍ୟାମିଲି କୋର୍ଟ କହିଥିଲେ। ଏବେ ହାଇକୋର୍ଟ ଏହାକୁ ଖାରଜ କରି ଉଭୟ ପକ୍ଷଙ୍କ ପୁଣି ଫ୍ୟାମିଲି କୋର୍ଟରେ ଆବେଦନ କରିବାକୁ କହିଛନ୍ତି।
ବୁନୁ ରାମ ନାମକ ଜଣେ ବ୍ୟକ୍ତି ବିଏସ୍‌ପି ପ୍ଲାଣ୍ଟରେ କାମ କରନ୍ତି। ତାଙ୍କ ଝିଅ ୨୦୧୬ ମସିହାରେ ଦୁର୍ଗ ସ୍ଥିତ ଫ୍ୟାମିଲ କୋର୍ଟରେ ଆବେଦନ କରିଥିଲେ। ହିନ୍ଦୁ ଆଡପସନ ଓ ମେଣ୍ଟନାନ୍ସ ଆକ୍ଟ ୧୯୫୬ ଅନୁଯାୟୀ ସେ ବାପା ମା’ଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଦାବି କରିଥିଲେ।
ବାପା ମା’ ତାଙ୍କ ବାହାଘର ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଥିବାରୁ ସେ ଏହାକୁ ମେଣ୍ଟନାସ ଖର୍ଚ୍ଚ ଭାବେ ଦେବାକୁ କହିଥିଲେ। ତେବେ ୨୦୧୬ ମସିହା ଜାନୁଆରୀ ୭ରେ କୋର୍ଟ ଏହି ଆବେଦନକୁ ଖାରଜ କରିଥିଲେ। ଏଥିସହ ଆଇନରେ ଝିଅ ନିଜ ବାହାଘର ପାଇଁ ଆଗୁଆ ଖର୍ଚ୍ଚ ମାଗିପାରିବ ବୋଲି ପ୍ରାବଧାନ ନଥିବା କହିଥିଲେ।
ଝିଅ ରାଜେଶ୍ୱରୀ କହିଥିଲେ ଯେ ତାଙ୍କ ବାପା ଖୁବଶୀଘ୍ର ଅବସର ଗ୍ରହଣ କରିବେ। ଏହାପରେ ତାଙ୍କୁ ୫୫ ଲକ୍ଷ ଟଙ୍କା ମିଳିବ। ଏହି ଅବସର କାଳୀନ ପାଉଣାରୁ ୨୦ ଲକ୍ଷ ଟଙ୍କା ଝିଅ ହିସାବରେ ତାଙ୍କୁ ବାପା ବୁନୁ ରାମ ଦିଅନ୍ତୁ ବୋଲି କହିଥିଲେ।
ଫ୍ୟାମିଲି କୋର୍ଟ ଉକ୍ତ ଆବେଦନକୁ ଅଗ୍ରାହ୍ୟ କରିଥିବାରୁ ରାଜେଶ୍ୱରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ କୋର୍ଟ ଏହାକୁ ଗ୍ରହଣ କରି ଅବିବାହିତ ଝିଅ ବାପା ମା’ଙ୍କ ଠାରୁ ନିଜ ବାହାଘର ସମ୍ପର୍କିତ ଅର୍ଥ ମାଗି ମାରିବେ ବୋଲି କହିଛନ୍ତି। ଏଥିସହ ସବୁ ରୁଲ ବୁକ୍‌ରେ ଏପରି ନିୟମକୁ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମଥର ପାଇଁ କୌଣସି ହାଇକୋର୍ଟ ଏପରି ରାୟ ଦେଇଥିବା ରାଜେଶ୍ୱରୀଙ୍କ ଓକିଲ ଶ୍ରୀ ତିୱାରୀ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.