ତୈଳଦର ବୃଦ୍ଧି ପ୍ରଶ୍ନରେ ସାମ୍ବାଦିକଙ୍କୁ ଗାଳିଦେଲେ ରାମଦେବ

ନୂଆଦିଲ୍ଲୀ: ଦେଶରେ ଦୈନିକ ତୈଳଦର ବୃଦ୍ଧି ପାଉଥିବାରୁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହେଲେ ଏସବୁ ଭିତରେ ଯୋଗଗୁରୁ ବାବା ରାମଦେବ ସରକାରଙ୍କୁ ପରୋକ୍ଷରେ ସମର୍ଥନ କରିଛନ୍ତି। ଏଥିସହ ତୈଳଦର ବଢ଼ୁଥିବାରୁ ସେ ଲୋକମାନଙ୍କୁ ଅଧିକ ପରିଶ୍ରମ କରି ଅର୍ଥ ରୋଜଗାର କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଏହାବାଦ ସାମ୍ବାଦିକମାନେ ତାଙ୍କୁ ତୈଳଦର ବୃଦ୍ଧି ସମ୍ପର୍କରେ ପଚାରିବାରୁ ସେ ସର୍ବସମ୍ମୁଖରେ ନାଲିଆଖି ଦେଖାଇଛନ୍ତି।
ହରିଆଣାର କର୍ଣ୍ଣାଲରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ସାମ୍ବାଦିକମାନେ ରାମଦେବ ପୂର୍ବରୁ ତୈଳଦର ଉପରେ ଦେଇଥିବା ବୟାନ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଲୋକମାନେ ୪୦ ଟଙ୍କାରେ ପେଟ୍ରୋଲ ଓ ୩୦୦ ଟଙ୍କାରେ ଗ୍ୟାସ ଯୋଗାଇ ଦେଉଥିବା ସରକାର ଦେଶରେ ଚାହୁଁଥିବା ରାମଦେବ କହିଥିଲେ।
୨୦୧୪ ପୂର୍ବରୁ ସେ ଏପରି ବୟାନ ଦେଇଥିଲେ। ଏବେ ଉକ୍ତ ବୟାନ ସମ୍ପର୍କରେ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କରିଥିଲେ। ବାସ୍ ଏହି ପ୍ରଶ୍ନ ଶୁଣି ସେ ରାଗି ଯାଇଥିଲେ। ରାମଦେବ ବିରକ୍ତ ପ୍ରକାଶ କରି କହିଥିଲେ ଯେ “ହଁ, ମୁଁ କହିଥିଲି। ତୁମେ କ’ଣ କରିବ? ସେପରି ପ୍ରଶ୍ନ ମୋତେ ପଚାରନି।
କ’ଣ ମୁଁ ତମର ଠିକାଦାର? ତମେ ଯାହା ପଚାରିବ ମୁଁ ତା’ର ଉତ୍ତର ଦେବାକୁ ବାଧ୍ୟ?” ସାମ୍ବାଦିକ ଜଣଙ୍କ ପୁଣି ଏହି ପ୍ରଶ୍ନ ପଚାରିବାରୁ ରାମଦେବ ଅତ୍ୟଧିକ ରାଗି ଯାଇଥିଲେ। ସେ କହିଥିଲେ, “ମୁଁ ବୟାନ ଦେଇଛି। ଏବେ ତୁ କ’ଣ କରିବୁ ମୋର? ଚୁପ ହେଇକି ରହ। ଯଦି ତୁମେ ପୁଣି ପ୍ରଶ୍ନ କରିବ, ତା’ହେଲେ ଭଲ ହେବନି। ଏପରି କଥାବାର୍ତ୍ତା କରନି। ମୋର ଆଶ ତୁମେ ଜଣେ ଭଲ ବାପାମା’ଙ୍କ ପୁଅ ହୋଇଥିବ।”
ଏହାପରେ ରାମଦେବ ଲୋକମାନଙ୍କୁ କଠିନ ସମୟରେ ଅଧିକ ପରିଶ୍ରମ କରିବାକୁ କହିଛନ୍ତି। ସେ କହିଛନ୍ତି, “ସରକାର କହୁଛନ୍ତି ତୈଳଦର କମ ରହିଲେ, ସେମାନେ ଟିକସ ପାଉନାହାନ୍ତି। ଏପରି ସ୍ଥିତିରେ ସେମାନେ ଦେଶ କେମିତି ଚଳାଇବେ? ଦରମା କେମିତି ଦେବେ? କେମିତି ରାସ୍ତା ତିଆରି କରିବେ? ହଁ ଦରଦାମ ବୃଦ୍ଧି ହ୍ରାସ ପାଇବା ଦରକାର। ମୁଁ ମଧ୍ୟ ଏଥିରେ ଏକମତ। କିନ୍ତୁ ଲୋକମାନେ ଏହି ସମୟରେ କଠିନ ପରିଶ୍ରମ କରିବା ଦରକାର।
ମୁଁ ମଧ୍ୟ ଭୋର ୪ଟାରୁ ଉଠୁଛି ଓ ରାତି ୧୦ଟା ଯାଏ କାମ କରୁଛି। ତେଣୁ ଲୋକମାନେ ମଧ୍ୟ ପରିଶ୍ରମ କରନ୍ତୁ।” ଏହା ଶୁଣି ତାଙ୍କ ପଛରେ ବସିଥିବା ସମର୍ଥକମାନେ ତାଳିମାରି ରାମଦେବଙ୍କୁ ଉତ୍ସାହିତ କରିଥିଲେ।

nis-ad
Leave A Reply

Your email address will not be published.