ବ୍ୟାଘ୍ର ସଂରକ୍ଷଣରେ ଭୟଙ୍କର ନିଆଁ, ଆୟତ୍ତ କରିବା କାମରେ ବାୟୁସେନା

ଜୟପୁର: ହୁହୁ ହୋଇ ଜଳୁଛି ରାଜସ୍ଥାନର ପ୍ରସିଦ୍ଧ ସାରିସ୍କା ବ୍ୟାଘ୍ର ସଂରକ୍ଷଣ। ନିଆଁ ଏତେ ଭୟଙ୍କର ବେଗରେ ବ୍ୟାପୁଛି ଯେ ଏହାକୁ ଆୟତ୍ତ କରିବା ପାଇଁ ବାୟୁସେନାର ଏକାଧିକ ହେଲିକପ୍ଟର ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ନିଆଁ ୧୦ ବର୍ଗ କିମି ଅଞ୍ଚଳ ବ୍ୟାପିଛି। ଅର୍ଥାତ ୧୮୦୦ ଫୁଟବଲ ପଡ଼ିଆ ପାଇଁ ଯେମିତି ଜମି ଦରକାର, ତା’ଠାରୁ ଅଧିକ ଅଞ୍ଚଳ ନିଆଁର ପଞ୍ଝାରେ ପଡ଼ିଛି।
ନିଆଁକୁ ଆୟତ୍ତ କରିବା ପାଇଁ ଯୁଦ୍ଧକାଳିନୀ ଭିତ୍ତିରେ ବାୟୁସେନାର ଦୁଇଟି ହେଲିକପ୍ଟର ନିୟୋଜିତ ହୋଇଛନ୍ତି। ସେମାନେ ଆକାଶ ମାର୍ଗରୁ ପାଣି ପକାଇ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ, ସୋମବାର ସନ୍ଧ୍ୟାରେ ସାରିସ୍କା ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ନିଆଁ ଲାଗିଥିଲା। ପ୍ରାଥମିକ ଅବସ୍ଥାରେ ବନ ଅଧିକାରୀମାନେ ଏହାକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ।
ତେବେ ନିଆଁ ଆୟତ୍ତ ନ ହେବାରୁ ବାୟୁସେନାର ସହାୟତା ନିଆଯାଇଛି। ବାୟୁସେନାର ହେଲିକପ୍ଟରଗୁଡ଼ିକ ସିଲିସେର ହ୍ରଦରୁ ପାଣି ଆଣି ନିଆଁ ଲାଗିଥିବା ଅଞ୍ଚଳରେ ପକାଉଛନ୍ତି। ଏହି ହ୍ରଦଟି ଜଙ୍ଗଲ ଠାରୁ ୪୩ କିମି ଦୂର। ଜଙ୍ଗଲରେ ନିଆଁ ଲାଗିବା ଯୋଗୁ ନିକଟସ୍ଥ ୩ଟି ଗାଁ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି।
ତେଣୁ ଗାଁ ଲୋକଙ୍କୁ ଆଲର୍ଟରେ ରହିବାକୁ କୁହାଯାଇଛି। ଅଗ୍ନିକାଣ୍ଡକୁ ୨୪ ଘଣ୍ଟା ବିତିଥିଲେ ମଧ୍ୟ ଏହା ଆୟତ୍ତ ନ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏସ୍୧୭(କୋଡ ନାଁ) ବାଘୁଣୀ ରହୁଥିବା ଅଞ୍ଚଳ ପ୍ରତି ମଧ୍ୟ ନିଆଁ ବିପଦ ସୃଷ୍ଟି କରିଛି। ଏଠାରେ ବାଘୁଣୀଟି ତା’ର ଦୁଇ ଛୁଆଙ୍କ ସହ ରହିଥିବା ବନ ଅଧିକାରୀମାନେ କହିଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିଲେ ମଧ୍ୟ କିଛି ଦିନ ହେବ ଦେଶର ଉତ୍ତର ପ୍ରାନ୍ତରେ ପ୍ରବଳ ହିଟୱେଭ ଅନୁଭୂତ ହେଉଛି। ଏହି ହିଟ ୱେଭ ଯୋଗୁ ଜଙ୍ଗଲରେ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।

nis-ad
Leave A Reply

Your email address will not be published.