ଗହୀରମଥାରେ ଅଲିଭରିଡଲେଙ୍କ ଅଣ୍ଡାଦାନ

ରାଜନଗର: ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ କେନ୍ଦ୍ରାପଡା ଉପକୂଳର ଗହୀରମଥା ଠାରେ କଇଁଛଙ୍କ ଗଣ ଅଣ୍ଡାଦାନ ପକ୍ରିୟା ଆରମ୍ଭ ହୋଇଛି। ୨୩ ତାରିଖ ଦିନ ୧୫ଟି, ୨୪ ତାରିଖ ଦିନ ୧୬୨ଟି ଓ ୨୫ ତାରିଖ ଦିନ ଗୋଟିଏ ଦିନରେ ୨ ଲକ୍ଷ ୪୫ ହଜାର ୧୮୮ ଅଲିଭରିଡଲେ କଇଂଛ ଗଣ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଛନ୍ତି। ଅଲିଭରିଡଲେ ମାଆ କଇଁଛମାନେ କୂଳ ଠାରୁ ୧ କିମି ଭିତରେ ଦୀର୍ଘ ୧ ମାସ ହେଲା ଭିଡ ଜମାଇଥିଲେ ମଧ୍ୟ ପାଗ ଅନୁକୂଳ ହେଉନଥିବାରୁ ଗଣ ଅଣ୍ଡାଦାନ ପକ୍ରିୟାରେ ସାମିଲ ହେଉନଥିଲେ।

ଗତକାଲି ପାଗ ଶୁଖିଲା ସାଙ୍ଗକୁ ଦକ୍ଷିଣା ପବନ ବୋହିବାରୁ ଗୋଟିଏ ଦିନରେ ୨ ଲକ୍ଷ ୪୫ ହଜାର ୧୮୮ ମାଆ ଅଲିଭରିଡଲେ ଗଣ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଛନ୍ତି।

ଗତକାଲି ସଂଧ୍ୟାରୁ ହଠାତ୍ ଦଳ ଦଳ ହୋଇ ମାଆ କଇଁଛମାନେ ଗହୀରମଥାର ନାସୀ-୨ ବାଲୁକା ଶଯ୍ୟାକୁ ଉଠି ଗଣ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଥିଲେ। ଆଜି ଭୋର ଯାଏଁ ଏହି ପକ୍ରିୟା ଜାରି ରହିଥିଲା। ମାଆ କଇଁଛମାନେ ବେଳାଭୂମିର ନରମ ବାଲିରେ ପଛପଟ ଗୋଡରେ ୧ ଫୁଟ ରୁ ଦେଢ ଫୁଟ ଗଭୀରର ଆଠିଆ ଆକୃତିର ଗାତ ଖୋଳିଥାଏ । ଗାତ ଖୋଳିବା ପରେ ମାଆ କଇଁଛ ପ୍ରାୟ ୧୦୦ଟି ଉପରେ ଅଣ୍ଡା ଦେଇଥାଏ। ପ୍ରତ୍ୟେକ ଅଣ୍ଡାର ଆକାର ଗୋଟିଏ ପିଙ୍ଗ ପିଙ୍ଗ ବଲ ପରି। ଅଣ୍ଡାର ଖୋଳପା ନମନୀୟ ହୋଇଥିବାରୁ ଅଣ୍ଡା ଗଳିବା ସମୟରେ ତାହା ଫାଟିନଥାଏ। ଅଣ୍ଡା ଦେଇ ସାରିବା ପରେ ମାଆ କଇଁଛ ତାର ଗାତକୁ ବାଲି ଗୋଡାଇ ଲୁଚାଇ ପକାଏ ଓ ସମୁଦ୍ରକୁ ଫେରିଯାଏ। ସୂର୍ଯ୍ୟଙ୍କ ଉତାପରେ ଉଷୁମ ହୋଇ ଅଣ୍ଡା ଗୁଡିକରୁ ୪୫ ରୁ ୬୦ ଦିନ ମଧ୍ୟରେ କଇଁଛ ଶାବକ ବାହାରିଥାନ୍ତି। ବିରଳ ଅଲିଭରିଡଲେ କଇଁଛଙ୍କ ଗଣ ଅଣ୍ଡାଦାନ ପକ୍ରିୟା ଆରମ୍ଭ ହୋଇଥିବାରୁ ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୩ କିମି ଯାଏଁ ବାଡ ବୁଲାଯିବା ସହ ବନକର୍ମଚାରୀମାନେ ଅଣ୍ଡାଦାନ ସ୍ଥଳକୁ ଜଗି ରହିଛନ୍ତି। ରାଜନଗର ଓ ଭଦ୍ରକ ଡିଭିଜନ ପକ୍ଷରୁ ଅଲିଭରିଡଲେଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ରାଜନଗର ଡିଏଫଓ ଡଃ. ଯଜ୍ଞଦତ ପତି, ଭଦ୍ରକ ଏସିଏଫ ଶ୍ୟାମା ଭାରତୀ, କନିକା ରେଂଜ ଅଫିସର ମାନସ କୁମାର ଦାସ ପ୍ରମୁଖ ଅଣ୍ଡାଦାନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଅଲିଭରିଡଲେଙ୍କ ମୃତ୍ୟୁ ଉଦ୍ବେଗ ସୃଷ୍ଟି କରିଥାଏ। ମାତ୍ର ଚଳିତ ବର୍ଷ ରାଜନଗର ଡିଏଫଓ ଡଃ. ପତିଙ୍କ କଡା ପଦକ୍ଷେପ ବିରଳ ଅଲିଭରିଡଲେ କଇଁଛଙ୍କ ମୃତ୍ୟୁ ସଂଖ୍ୟା ହ୍ରାସ କରାଇବାରେ ସହାୟକ ହୋଇପାରିଛି। ପୂର୍ବରୁ ଅଲିଭରିଡଲେ କଇଂଛଙ୍କ ସୁରକ୍ଷା ପାଇଁ କେବଳ ଗହୀରମଥା ରେଂଜର ରେଂଜ ଅଫିସର ଓ ଷ୍ଟାଫ୍ ମାନେ ପାଟ୍ରୋଲିଂ କରିଥାନ୍ତି। ଏହି ପାଟ୍ରୋଲିଂ ନାଁରେ ବ୍ୟବସାୟୀକରଣର ଅଭିଯୋଗ ହୋଇଥାଏ। ପାଟ୍ରୋଲିଂ ସତ୍ୱେ ଶହ ଶହ ଟ୍ରଲର ବେଧଡକ ଭାବେ ନିଷିଦ୍ଧାଂଚଳରେ ମାଛ ମାରୁଥିବାର ଚିତ୍ର ସାମ୍ନାକୁ ଆସିଥାଏ। ମାତ୍ର ଚଳିତ ବର୍ଷ ଡିଏଫଓ ଡଃ. ପତି କେବଳ ଗହୀରମଥା ପରିବର୍ତେ ରାଜନଗର ଡିଭିଜନ ଅଧିନରେ ଥିବା ରାଜନଗର, କନିକା, ଗହୀରମଥା, ମହାକାଳପଡା ଓ କୁଜଙ୍ଗ ରେଂଜର ରେଂଜ ଅଫିସର ଓ କର୍ମଚାରୀମାନେ ଚଳିତବର୍ଷ ବିରଳ ଅଲିଭରିଡଲେ କଇଂଛଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ ପକ୍ରିୟାରେ ସାମିଲ ହୋଇଛନ୍ତି।

ପୂର୍ବରୁ ଦୁଇଟି ବୋଟ ପାଟ୍ରୋଲିଂରେ ସାମିଲ ହୋଇଥିବା ବେଳେ ଚଳିତ ବର୍ଷ ପ୍ରଥମଥର ପାଇଁ ରାଜନଗର ଡିଭିଜନର ଗୋଟିଏ ସ୍ପିଡ ବୋଟ, ଅଲିଭିୟା ଟ୍ରଲର ସହିତ ୪ଟି ଟ୍ରଲରକୁ ଭଡାରେ ଅଣାଯାଇ ପାଟ୍ରୋଲିଂ ରେ ସାମିଲ କରାଯାଇଥିଲା। ଏହାବାଦେ କେବଳ ଶାସନପେଟାରୁ ପାଟ୍ରୋଲିଂ ଟିମ ବାହାରିବା ପରିବର୍ତେ ଚଳିତବର୍ଷ ଶାସନପେଟା ସହିତ କାଳିଭଞ୍ଜଡିଆ, ବାବୁବାଲି, ମାଦଳିମାଉଥ ନିକଟରୁ ପାଟ୍ରୋଲିଂ ଟିମ ବାହାରୁଥିଲା। କେଉଁ ଟିମ କେତେବେଳେ ପାଟ୍ରୋଲିଂରେ ଯାଇଛି ଅନ୍ୟ ଟିମ ଜାଣି ପାରୁନଥିଲେ। ଏହାବାଦେ ପୂର୍ବରୁ ପାଟ୍ରୋଲିଂ ବାହାରୁଥିବା ଟିମର କେତେକ କର୍ମଚାରୀ ମାଫିଆ ମାନଙ୍କୁ ଖବର ଦେଉଥିବାର ଅଭିଯୋଗ ଆସିଥାଏ। ଚଳିତବର୍ଷ ପାଟ୍ରୋଲିଂ କଡାକଡି, ବିଭିନ୍ନ ସ୍ଥାନରୁ ପାଟ୍ରୋଲିଂ ଟିମ ବାହାରିବା ଓ ବିଭିନ୍ନ ରେଂଜର ରେଂଜ ଅଫିସର ଓ କର୍ମଚାରୀ ମାନେ ପାଟ୍ରୋଲିଂରେ ସାମିଲ ହେବା ହେତୁ ବେଆଇନ ମାଛ ମାରୁଥିବା ଟ୍ରଲର ଗୁଡିକ ପୂର୍ବରୁ ପାଉଥିବା ସୂଚନା ଚଳିତ ବର୍ଷ ପାଇପାରୁନଥିଲେ। ପାଟ୍ରୋଲିଂ କଡାକଡି ହେତୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଂଚଳରେ ବେଆଇନ ଟ୍ରଲର ଚଳାଚଳ ଏକପ୍ରକାର ବନ୍ଦ ରହି ପାରିଛି।

nis-ad
Leave A Reply

Your email address will not be published.