ଦାୟିତ୍ବଗ୍ରହଣ ପରେ ଯୋଗୀ ମାଗଣା ରାସନ ଯୋଜନାର ଅବଧି ବଢାଇଲେ

ଲକ୍ଷ୍ନୌ: ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଯୋଗୀ ଆଦିତ୍ୟନାଥ। ଦ୍ୱିତୀୟ ଥର ପାଇଁ ୟୁପିର ମଙ୍ଗ ଧରି ସେ ସୃଷ୍ଟି କରିଛନ୍ତି ରେକର୍ଡ। ତେବେ ୟୁପିରେ ନିଜ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିବା ପରେ ଆଜି ଏକ ବଡ ଘୋଷଣା କରିଛନ୍ତି ଯୋଗୀ। ଶନିବାର ସେ ରାଜ୍ୟବାସୀଙ୍କୁ ଦେଇଛନ୍ତି ଖୁସିଖବର।
ପୂର୍ବରୁ ଏଠିକାର ଗରୀବ ଶ୍ରେଣୀ ଲୋକଙ୍କୁ ଯେଉଁ ମାଗଣା ରାସନ୍ ସାମଗ୍ରୀ ମିଳୁଥିଲା ଏହି ଯୋଜନାକୁ ଆଉ ୩ ମାସ ଆଗୁକୁ ବଢାଇ ଦିଆଯିବାକୁ ଯୋଗୀ ଘୋଷଣା କରିଛନ୍ତି। ସାମ୍ୱାଦିକ ସମ୍ମିଳନୀରେ ସୂଚନାଦେଇ ସେ କହିଛନ୍ତି, ଏହି ଯୋଜନା କରୋନା ସମୟରେ ଆରମ୍ଭ କରାଯାଇଥିଲା। ଗରୀବ ଲୋକମାନଙ୍କୁ ସାହାଜ୍ୟ କରିବା ଏହାର ଥିଲା ମୂଳ ଲକ୍ଷ । ଏହି ମାଗଣା ରାସନ ଯୋଜନାରେ ପାଖାପାଖି ୩ ହଜାର ୨୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ଯୋଜନା ଆଗକୁ ମଧ୍ୟ ଜାରି ରହିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ରାଜ୍ୟର ୧୫ କୋଟି ଲୋକ ଉପକୃତ ହେବେ। ‘
ସୂଚନା ମୁତାବକ, ଏହି ଯୋଜନାକୁ ଏକାସାଙ୍ଗରେ ନବଢ଼ାଇ ଦୁଇରୁ ତିନୋଟି ପର୍ଯ୍ୟାୟରେ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିରେ ସରକାର ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନରେ ଦିଆଯାଉଥିବା ରାସନରେ ଗହମ-ଚାଉଳ ବ୍ୟତିତ ଏକ ଲିଟର ତେଲ, ଏକ କିଲୋ ଚଣା ଓ ଲୁଣ ମଧ୍ୟ ଦିଆଯିବ।
କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯିବ ବୋଲି ଆଶା କରାଯାଉଥିଲା। କ୍ୟାବିନେଟ ବୈଠକ ପରେ ସେ ବରିଷ୍ଠ ଅଧିକାରୀଙ୍କ ସହ ପରବର୍ତ୍ତୀ କାର୍ଯ୍ୟ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରିବେ। ୟୁପି ସରକାରଙ୍କ ଏହି ବୈଠକ ଅନେକ କ୍ଷେତ୍ରରେ ବେଶ୍‌ ଖାସ୍‌ ବୋଲି କୁହାଯାଉଛି। ରାଜ୍ୟରେ ବିଜେପି ସରକାର ଗଠନ ହୋଇଛି ଏବଂ ନିର୍ବାଚନ ସମୟରେ ଦଳ ଜନସାଧାରଣଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲା। ଏଭଳି ପରିସ୍ଥିତିରେ ଯୋଗୀ ସରକାର ଜନସାଧାରଣଙ୍କୁ ପ୍ରଥମ ଉପହାର ଦେଇଛନ୍ତି।

nis-ad
Leave A Reply

Your email address will not be published.