ଟୁଇଟରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିବାଦରେ ଦୁତି, ଜବାବ ଦେଲେ ଦିଲ୍ଲୀପ ତିର୍କୀ

ଭୁବନେଶ୍ବର : ଟ୍ବିଟରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ବିବାଦରେ ଫସିଯାଇଛନ୍ତି ଅନ୍ତର୍ଜାତୀୟ ଆଥଲେଟ୍ ଦୁତି ଚାନ୍ଦ । ନିଜର ଟୁଇଟରେ ସେ ରାଜ୍ୟ ସରକାର ହକିକୁ ଅତ୍ୟଧିକ ଗୁରୁତ୍ବ ଦେବାକୁ ଯାଇ ଆଥଲେଟିକ ଓ ଅନ୍ୟ ଖେଳଗୁଡ଼ିକୁ ଅବହେଳା କରୁଥିବା ନେଇ ସମାଲୋଚନା କରିଥିଲେ । ସେ ଅଳ୍ପ ସମୟ ମଧ୍ୟରେ ନିଜର ଟୁଇଟ୍ ଡିଲିଟ୍ କରିଦେଇଥିଲେ ବି ତାହାର ସ୍କ୍ରିନ ସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ନିଜର ଟୁଇଟରେ ସେ ଲେଖିଥିଲେ “ ଓଡ଼ିଶା ସରକାର ରାଜ୍ୟରେ ଖେଳାଳିଙ୍କ ପାଇଁ କୋଟି କୋଟି ଟଙ୍କାର ଭିତ୍ତିଭୂମି ତିଆରି କରିବାରେ ବ୍ୟସ୍ତ, କିନ୍ତୁ ଏପଟେ କ୍ରୀଡ଼ାବିତମାନେ ଦିନକୁ ଦିନ ହଜିଗଲେଣି। ଖାଲି ଯାହା ଖେଳକୁ ନେଇ ଏଠି ସବୁ ରାଜନୀତି ଚାଲିଛି। ଆପଣ ଖାଲି ସେହି ହକି ଇଣ୍ଡିଆ ଟିମ୍‌କୁ ଧରି ନାଚୁ ଆନ୍ତୁ। ବାକି ଖେଳ ବିଭାଗ ସବୁ ଚୁଲିକୁ ଯାଉ। ହକି ଟିମ୍‌ ଇଣ୍ଡିଆ ପାଇଁ କୋଟି କୋଟି ଟଙ୍କାର ଅର୍ଥ ଅଛି। କିନ୍ତୁ ଆଥଲେଟିକ୍ସ ପାଇଁ କିଛି ନାହିଁ। ଏ ହକି ବାଡ଼ି କେତେଦିନ ଲାଷ୍ଟିଂ କରିବ? ପୁରୁଣା ହେଲେ ଆପେ ଆପେ ଫାଟିଯିବ। ସବୁ ପ୍ରହସନ ।“
ଅନ୍ୟପକ୍ଷରେ ଦୁତିଙ୍କ ଏହି ଟୁଇଟ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ । ଏକ ଟୁଇଟ କରି ସେ ଲେଖିଛନ୍ତି ଯେ “ଜଣେ ଖେଳାଳି ଭାବେ ମୁଁ ଆଉ ଜଣେ ଖେଳାଳିଙ୍କ ଏହି ଭଳି ମନ୍ତବ୍ୟକୁ ଘୋର ନିନ୍ଦା କରୁଛି। ରାଜ୍ୟ ସରକାର ପ୍ରତ୍ୟେକ ଖେଳକୁ ସମାନ ଗୁରୁତ୍ଵ ଦେଇ ଆସୁଛନ୍ତି। ସେ ହକି ହେଉ କିମ୍ବା କୌଣସି ଖେଳ। ଅଲମ୍ପିକ୍ସରେ ମେଡାଲ ଜିତିବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ। ଆଜି ଭୁବନେଶ୍ୱରକୁ (ଓଡ଼ିଶା) କାହିଁକି ସ୍ପୋର୍ଟସ କ୍ୟାପିଟାଲ କୁହାଯାଉଛି ତାହା କାହାକୁ ଅଛପା ନାହିଁ। କ୍ରୀଡା କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ପ୍ରଥମ ପରିଚୟ ହକି ହିଁ ଦେଇଛି । ବୋଧ ହୁଏ ଅନେକ ଖେଳାଳି ଏହା ଜାଣି ନାହାନ୍ତି। ଏହି ଭଳି ମନ୍ତବ୍ୟ ଅନ୍ୟ ଖେଳାଳିଙ୍କ ପ୍ରତି ଗ୍ରହଣୀୟ ନୁହେଁ ।ନିଜେ ଜଣେ ଖେଳାଳି ହେଇ ଅନ୍ୟ ଖେଳାଳିଙ୍କୁ ସମ୍ମାନ ଦେଇ ଶିଖିବା ଉଚିତ୍।“

nis-ad
Leave A Reply

Your email address will not be published.