ଦୁର୍ବତ୍ତଙ୍କ ବର୍ବୋରଚିତ ଆକ୍ରମଣରେ ଗଡିଲା ୪ ମୁଣ୍ଡ :ଦୋଷୀଙ୍କୁ ଫାଶୀଦଣ୍ଡ ଓ ୨ ମଦଭାଟି ଉଚ୍ଛେଦ ଦାବିରେ ୫୯ ନଂ ଜାତୀୟ ରାଜପଥ ଅବରୋଧ…

ହିଞ୍ଜିଳିକାଟୁ : ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡରେ ଗଞ୍ଜାମ ଜିଲ୍ଲା ଅଶାନ୍ତ ହୋଇ ଉଠିଛି । ଗାଙ୍ଗପୁର ଓ ପୋଲାସରା ଥାନା ଇଲାକାରେ ୨ଟି ରାଜନୈତିକ ହିଂସାକାଣ୍ଡ ଘଟି ୨ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ବୁଧବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଂଚଳରେ ପୁଣି ଘଟିଛି ଏକ ଲୋମଟାଙ୍କୁରା ଘଟଣା । ଗୋଟିଏ କିମ୍ବା ଦୁଇଟି ନୁହେଁ ଏକାଥରକେ ୪ଟି ଯୁବକଙ୍କ ଜୀବନ ଦୀପ ଲିଭିଯାଇଛି । ହିଞ୍ଜିଳି ଥାନା ପିତଳ ଛକ ୫୯ ନଂ ଜାତୀୟ ରାଜପଥ ଉପରେ ମଙ୍ଗଳବାର ବିଳମ୍ବିତ ରାତିରେ ଏଭଳି ଲୋମହର୍ଷକ ଘଟଣା ଘଟିଛି । ଦୁବୃର୍ତ୍ତଙ୍କ ଖଣ୍ଡା, ଲୁହାରଡ୍ ଓ ବିଭିନ୍ନ ମାରଣାସ୍ତ୍ରରେ ସଂଘବଦ୍ଧ ଆକ୍ରମଣରେ ଗୋଟିଏ ପରିବାରର ୩ଭାଇ ଓ ସର୍ମ୍ପକୀୟ ଜଣେ ଭାଇଙ୍କ ମୁଣ୍ଡ ଗଡିଛି । ଏହି ଚର୍ଚ୍ଚିତ ହତ୍ୟାକାଣ୍ଡରେ ପ୍ରତିପକ୍ଷ ଗୋଷ୍ଠୀର ଜଣେ ଆକ୍ରମଣକାରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ଘଟଣା ପରେ ଘଟଣା ସ୍ଥଳରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ମୃତକ ମାନେ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ରାଜା ସ୍ୱାଇଁ (୨୮), ଶମ୍ଭୁ ସ୍ୱାଇଁ (୨୫), ପାଣ୍ଡବ ସ୍ୱାଇଁ (୨୩) ଓ ଅନ୍ୟ ଜଣଙ୍କ ମଙ୍ଗୁଳୁଙ୍କ ନାବାଳକ ପୁତୁରା ପୁତୁରା ବଉଳଘାଇ ଗ୍ରାମର ଚନ୍ଦନ ସ୍ୱାଇଁ (୧୬) । ଗୁରୁତର ଆହତ ହେଲେ ପ୍ରତିପକ୍ଷ ଗୋଷ୍ଠୀର ଆକ୍ରମଣକାରୀ ଅମିୟ ସ୍ୱାଇର୍ ଓରଫ୍ ସାଧୁ (୩୫) । ମୃତକଙ୍କ ବାପା ମଙ୍ଗୁଳୁଙ୍କ ଅଭିଯୋଗ କ୍ରମେ ହିଞ୍ଜିଳି ଥାନାରେ ନଂ- ୧୪୧/୨୨ରେ ହିଞ୍ଜିଳି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ସରଜମିନ୍ ତଦନ୍ତ ଆରମ୍ଭ କରିଛି । ଉତ୍ତ୍ୟକ୍ତ ଗ୍ରାମବାସୀ ଦୋଷୀଙ୍କୁ ଫାଶିଦଣ୍ଡ ଓ ସଂପୃକ୍ତ ଗ୍ରାମ ନିକଟରେ ଥିବା ୨ ମଦ ଦୋକାନ ଉଚ୍ଛେଦ ଦାବି କରି ଅଡି ବସିବା ସହ ବୁଧବାର ସକାଳ ୯ଟାରୁ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା ପୂର୍ବରୁ କେବେ ହିଞ୍ଜିଳି ଥାନା ଅଂଚଳରେ ଘଟିନଥିବା ବେଳେ ନିର୍ବାଚନ ପରବର୍ତ୍ତୀ ସମୟରେ ପ୍ରଥମ କରି ଘଟି ପରିସ୍ଥିତି ଅଣାୟତ ହୋଇଛି ।
ମିଳିଥିବା ସୂଚନା ପ୍ରକାରେ, ମଙ୍ଗଳବାର ରାତି ପ୍ରାୟ ସାଢେ ୧୧ଟାରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଛକ ଠାରେ ଥିବା ମା ଖମ୍ବେଶ୍ୱରୀ ଫାଷ୍ଟଫୁଡ ଦୋକାନ ମାଲିକ ରାଜାଙ୍କ ସହ ଅମିୟ ଓ କିଛି ସହଯୋଗୀ ଖାଇବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ଅମିୟ ସମାନ୍ୟ ଆହତ ହୋଇଥିଲେ । କିଛି ସମୟ ପରେ ଅମିୟଙ୍କ ସହଯୋଗୀ ମାନେ ବିଭିନ୍ନ ମାରଣାସ୍ତ୍ର ଧରି ରାଜା ଓ ତାଙ୍କ ଭାଇ ଶମ୍ଭୁ, ପାଣ୍ଡବ ଓ ଚନ୍ଦନଙ୍କୁ ଅର୍ତକିତ ଆକ୍ରମଣ କରିଥିଲେ । ଖଣ୍ଡା, ଲୁହାରଡ ଓ ବିଭିନ୍ନ ମାରଣାସ୍ତ୍ରରେ ଘଟଣା ସ୍ଥଳ ରକ୍ତରଞ୍ଜିତ ହୋଇପଡିଥିଲା । ଆକ୍ରମଣରେ ୪ଭାଇ ଓ ପ୍ରତିପକ୍ଷ ଗୋଷ୍ଠୀର ଜଣେ ଗୁରୁତର ଆହତ ହୋଇ ଜାତୀୟ ରାଜନଥ ଉପରେ ପଡିଥିଲେ । କୌଣସି ସୁତ୍ରରୁ ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସମସ୍ତଙ୍କୁ ବ୍ରହ୍ମପୁର ବଡ ଡକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ୪ଭାଇଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ବୁଧବାର ସକାଳ ୯ଟାରୁ ଉତ୍ୟକ୍ତ ଗ୍ରାମବାସୀ ୫୯ ନଂ ଜାତୀୟ ରାଜପଥର ବ୍ରହ୍ମପୁର- ଆସିକା ମୁଖ୍ୟ ରାସ୍ତାର ଉଭୟ ପ୍ୱାଶ୍ୱର୍ରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପରେ ସାଇଂଟଫିକ୍ ଟିମ୍ ଘଟଣା ସ୍ଥଳରେ ପଂହଚି ରକ୍ତଭିଜା ସ୍ଥଳ ପରିଦର୍ଶନ କରି ନମୁନା ସଂଗ୍ରହ କରିଥିଲେ । ଘଟଣା ସ୍ଥଳରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ପ୍ରୋବେସନ ଆପିଏସ ଅଫିସର ନଚିକେତ ଶେଲ୍କା, ଗଞ୍ଜାମ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦୀନ ଦଳାଇ, ଶେରଗଡ ତହସିଲଦାର ଡଃ. ଦୟାସିନ୍ଧୁ ପରିଡା, ଆସିକା ଏସଡିପିଓ ଉମାଶଙ୍କର ସିଂ, ଆସିକା ଆଇଆଇସି ପ୍ରଶାନ୍ତ କୁମାର ସାହୁ, ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ, ପାଟପୁର ଆଇଆଇସି ସବ୍ୟସାଚି ମଲ୍ଲ, ଶେରଗଡ ଆଇଆଇସି ମନୋଜ ପ୍ରଧାନ ଓ ୨ ପ୍ଳାଟୁନ ପୋଲିସ ଫୋର୍ସ ମୃତୟନ ରହିଛନ୍ତି । ଘଟଣା ପାଇଁ ମଦବିକ୍ରିକୁ ଦାୟୀ କରି ଏଭଳି ଗଟଣା ଘଟିଥିବା ନେଇ ଉତ୍ୟକ୍ତ ଗ୍ରାମବାସୀ ସଂପୃକ୍ତ ଅଂଚଳରେ ଥିବା ୨ ମଦ ମଦଦୋକାନକୁ ଉଚ୍ଛେଦ ନେଇ ଅଡି ବସିଛନ୍ତି । ୪ଭାଇଙ୍କ ଆକ୍ରମଣକାରୀଙ୍କୁ ଫାଶୀ ଦଣ୍ଡ ଦେବା ଦାବିରେ ଜିଦରେ ଅଟଳ ରହି ଖବର ଲେଖା ହେବା ସୁଦ୍ଧା ୫୯ ନଂ ଜାତୀୟ ରାଜପତ ଉପରେ ଟାୟାର ଜାଳି ରାସ୍ତା ଅବରୋଧ ଜାରୀ ରଖିଛନ୍ତି । ପ୍ରଶାସନ ପକ୍ଷରୁ ଉତ୍ୟକ୍ତ ଅବରୋଧକାରୀଙ୍କୁ ବୁଝାସୁଝା କରୁଥିବା ବେଳେ ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଅଣାୟତ ରହିଛି । ସଂପୃକ୍ତ ଛକରେ ପ୍ରତ୍ୟହ ମଦ୍ୟପ ଓ ଅସାମାଜିକ ବ୍ୟକ୍ତିଙ୍କ ବିଳମ୍ବିତ ରାତି ପର୍ଯ୍ୟନ୍ତ ଆଡ୍ଡା ଜମି ରହୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥି ସହ ନରେନ୍ଦ୍ରପୁର, କିର୍ତ୍ତୀପୁର, ରାଜେନ୍ଦ୍ରପୁର, ରାମଚନ୍ଦ୍ରପୁର, ବି ନୁଆଁପଲ୍ଲୀ ଗ୍ରାମରେ ମଦବିକ୍ରି ପାଇଁ ନିଷେଦ୍ଧ ହୋଇଥିବା ବେଳେ ପିତଳ ଛକରେ ରହିଥିବା ୨ ମଦ ଦୋକାନ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିକ୍ରିବଟା ହେଉଥିବା ନେଇ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବି ମାନେ ଅଭିଯୋଗ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଦୁର୍ଭାଗ୍ୟପୁର୍ଣ୍ଣ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କ୍ଷତିପୁରଣ ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରାଯ୍ଧବ ଆଇନଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଘଟଣା ନେଇ ହିଞ୍ଜିଳି ପୋଲିସ ୨ଜରଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି ।

nis-ad
Leave A Reply

Your email address will not be published.