ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ନମ୍ବରକୁ ନେଇ ବିବାଦ

ବାଣପୁର ପଲଟଣ ପଡିଆରେ ଶୋଭାଯାତ୍ରାବେଳେ ଗାଡି ଚଢ଼ାଇବାକୁ ନେଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଜେଲ ଯାଇଥିବାବେଳେ, ସେହି ଗାଡିକୁ ନେଇ ଏବେ ନୂଆ ବିବାଦ ଦେଖାଦେଇଛି । ସର୍ବ ସମ୍ମୁଖରେ ପ୍ରଶାନ୍ତ ଜଗଦେବ ସେଦିନ ଯେଉଁ ଗାଡି ଲୋକଙ୍କ ଉପରେ ଚଢ଼ାଇଥିଲେ, ସେହି ଗାଡିର ନମ୍ବର କିଏ ବଦଳାଇଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏହି ଦୁର୍ଘଟଣାବେଳେ ହଜାର ହଜାର ଲୋକ ନିଜ ମୋବାଇଲରେ କଏଦ କରିଥିଲେ, ଏହା ବାରମ୍ବାର ଗଣମାଧ୍ୟମରେ ମଧ୍ୟ ପ୍ରସାରିତ ହୋଇଥିଲା ।

ଯେଉଁଥିରେ ବିଧାୟକ ଚଲାଉଥିବା ଦାମି ଲ୍ୟାଣ୍ଡରୋଭର ଡିସକଭରୀ ଗାଡିର ନମ୍ବର ଥିଲା, ଓଡି-୨୫-କେ- ୫୭୭୫ । କିନ୍ତୁ ପୁଲିସର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଏହି ଗାଡିର ନମ୍ବର ବଦଳିଯାଇଛି । ପୁଲିସର ରିପୋର୍ଟ ଅନୁସାରେ ଗାଡିର ନମ୍ବର ହୋଇଯାଇଛି, ଓଡି-୦୨-ଏୱାଇ- ୫୭୭୫ । ଯାହାକି ଏକ ହ୍ୟୁଣ୍ଡାଇ କ୍ରେଟା ଗାଡିର ନମ୍ବର । ପରିବହନ ବିଭାଗର ତଥ୍ୟ ଅନୁସାରେ ଏହି ଗାଡିଟି ଶିବାନୀ ଫୁଡ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡ୍ ନାଁରେ ପଞ୍ଜିକୃତ ହୋଇଛି । ବିବାଦ ବଢ଼ିବା ପରେ ଖୋର୍ଦ୍ଧା ଏସପି ଅଲେଖ ପହି କହିଛନ୍ତି, ଗାଡିକୁ ଘଟଣାସ୍ଥଳରୁ ଆଣିବାବେଳେ ଏହି ନମ୍ବର ଲାଗିଥିଲା ।

nis-ad
Leave A Reply

Your email address will not be published.