ଜେଲ୍‌ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ଗତ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ ଅଭିଯୋଗରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲ୍ ଗଲେ । ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଗତକାଲି ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

ସେଠାରେ ଜାମିନ ନାମଞ୍ଜୁର ହେବାରୁ ଗତକାଲି ବାଣପୁର୍ ସବ୍ ଜେଲ୍‌ରେ ପ୍ରଥମ ରାତି କାଟିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ଜେଲ୍‌ରେ ବିଧାୟକଙ୍କ ସହ ଜଣେ ଆଟେଣ୍ଡାଣ୍ଟ ରହିପାରିବେ ବୋଲି ଅନୁମତି ପ୍ରଦାନ କରାଯାଇଛି । ଏହା ସହ ଜେଲର ଯଦି ଅନୁଭବ କରନ୍ତି ଯେ, ବିଧାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉଛି ତେବେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇ ପାରିବ । ସେପଟେ କୋର୍ଟରେ ବିଧାୟକଙ୍କ ଜାମିନ ଆବେଦନ ଖାରଜ ପରେ ଉପର କୋର୍ଟକୁ ଯିବାକୁ କହିଛନ୍ତି ଜଗଦ୍ଦେବଙ୍କ ଓକିଲ ।

ମାର୍ଚ୍ଚ ୧୨ତାରିଖରେ ଚିଲିକାର ବିଧାୟକ ଶ୍ରୀ ଜଗଦ୍ଦେବ ବାଣପୁର ବ୍ଲକ ପରିସରକୁ ନିଜେ କାର ଚଳାଇ ଯାଇ ଲୋକଙ୍କ ଭିଡ଼ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ।
ଯେଉଁଥିରେ ୧୦ଜଣ ପୁଲିସ କର୍ମୀ, କିଛି ସାମ୍ବାଦିକଙ୍କ ସମେତ ମୋଟ ୨୭ଜଣ ଆହତ ହୋଇଥିଲେ । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ପ୍ରଶାନ୍ତଙ୍କୁ ନିସ୍ତୁକ ପିଟିବା ସହ ସେ ଚଳାଉଥିବା ରେଞ୍ଜ ରୋଭର (ଡିସକଭରୀ ସ୍ପୋର୍ଟସ) ଗାଡ଼ି ନମ୍ବର- ‘ଓଡ଼ି୨୫କେ୫୭୭୫’କୁ ମଧ୍ୟ ଭାଙ୍ଗି ଦେଇଥିଲେ । ଏହାପରଠୁ ଜଗଦ୍ଦେବ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ଗତକାଲି ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା ।

ପୁଲିସ ଘଟଣାସ୍ଥଳରୁ ଜଗଦ୍ଦେବ ଚଳାଉଥିବା ରେଞ୍ଜ ରୋଭର ଗାଡ଼ିକୁ ଜବତ କରିବା ସହ ନିଜ ଆଡ଼ୁ ଶ୍ରୀ ଜଗଦ୍ଦେବଙ୍କ ବିରୁଦ୍ଧରେ ବାଣପୁର ଥାନାରେ ବିଭିନ୍ନ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ କରିଥିଲା । ମାତ୍ର ନିଜର ୧୦ଜଣ ଯବାନ ଓ ଅଧିକାରୀ ଆହତ ହୋଇଥିବା ସତ୍ତ୍ୱେ ପୁଲିସ ଜଗଦ୍ଦେବଙ୍କ ପ୍ରତି ଥିବା ସରକାରୀ ପ୍ରୋତ୍ସାହନର ଚାପରେ ଏହି ସମ୍ପୂର୍ଣ୍ଣ ମାମଲାକୁ ଦୁର୍ବଳ କରିଦେଇଥିବା ଚର୍ଚ୍ଚା ହେଉଛି ।

ବାଣପୁର ଥାନାରେ ହୋଇଥିବା ଏଫଆଇଆରରେ ଶ୍ରୀ ଜଗଦ୍ଦେବ ମାର୍ଚ୍ଚ ୧୨ରେ ଯେଉଁ ଗାଡ଼ିରେ ଅନ୍ୟମାନଙ୍କୁ ମାରିବାକୁ ଉଦ୍ୟମ କରିଥିଲେ ସେହି ଗାଡ଼ି ନମ୍ବରକୁ ପୁଲିସ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ଜଗଦ୍ଦେବ ଘଟଣାଦିନ ଯେଉଁ ଗାଡ଼ିି ରେଞ୍ଜ ରୋଭର (ଡିସକଭରୀ ସ୍ପୋର୍ଟସ) ଚଲାଉଥିଲେ ତାକୁ ଗଣମାଧ୍ୟମ ଜରିଆରେ ଦେଶବ୍ୟାପୀ ଲୋକ ଦେଖିଥିବାବେଳେ ପୁଲିସ ରେକର୍ଡରେ କିଭଳି ସେହି ଗାଡ଼ି ‘ହୁଣ୍ଡାଇ କ୍ରେଟା’କୁ ବଦଳିଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

nis-ad
Leave A Reply

Your email address will not be published.