ଆଣ୍ଡାମାନରେ ବାତ୍ୟା ‘ଆସନୀ’ର ପ୍ରଭାବ, ଅନେକ ସ୍ଥାନରେ ବର୍ଷା-ପବନ ଜାରି

ନୂଆଦିଲ୍ଲୀ ୨୦।୩: ସାମୁଦ୍ରିକ ଝଡ଼ ଆସନୀ ପ୍ରଭାବରେ ରବିବାର ଆଣ୍ଡାମାନ ଏବଂ ନିକୋବାରରେ କିଛି ସ୍ଥାନରେ ବର୍ଷା ସହ ପବନ ବୋହିବା ଆରମ୍ଭ ହୋଇଛି। ଫଳରେ ସେଠାରେ ଜନଜୀବନ ପ୍ରଭାବିତ ହୋଇଛି । ପ୍ରଶାସନିକ ଅଧିକାରୀ କହିଛନ୍ତି ବର୍ଷର ପ୍ରଥମ ସାମୁଦ୍ରିକ ଝଡ ଆଣ୍ଡାମାନ ଦ୍ୱୀପ ଆଡକୁ ମାଡି ଆସୁଛି। ଏହାକୁ ନଜରରେ ରଖି ସମସ୍ତ ଜାହାଜ ସେବା ବନ୍ଦ ରଖାଯାଇଛି। ଚେନ୍ନାଇ ଏବଂ ବିଶାଖାପଟ୍ଟନମ ସହ ଅନ୍ୟ ଅଞ୍ଚଳରେ ଜାହାଜ ସେବାକୁ ସ୍ଥଗିତ ରଖାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଜାରି କରାଯାଇଛି।

ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ଆଣ୍ଡାମାନ ଏବଂ ନିକୋବାର ବିଭିନ୍ନ ଅଞ୍ଚଳରେ ଏନଡିଆରଏଫର ପ୍ରାୟ ୧୫୦ ଜଣ ଯବାନଙ୍କୁ ମୁତୟନ କରାଯାଇଛି। ଛଅଟି ଆଶ୍ରୟସ୍ଥଳୀ ପ୍ରତିଷ୍ଠା କରାଯାଇଛି । ଲୋକଙ୍କୁ ଭୟଭୀତ ନହେବାକୁ ପ୍ରଶାସନ ଅପିଲ କରିଛି।

ସୂଚନା ଅନୁସାରେ, ପୋର୍ଟ ବ୍ଲେୟର ସହ ଉତ୍ତର-ମଧ୍ୟ ଏବଂ ଦକ୍ଷିଣ ଆଣ୍ଡାମାନ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବୋହିବା ଆରମ୍ଭ କରିଛି। ଉତ୍ତର ଏବଂ ମଧ୍ୟ ଆଣ୍ଡାମାନ ଜିଲ୍ଲାର ଡେପୁଟୀ କମିଶନର ଅଞ୍ଜଳି ସହରାୱତ କହିଛନ୍ତି, ଉପକୂଳରେ ରହୁଥିବା ଲୋକଙ୍କୁ ଏନଡିଆରଏଫ ଯବାନଙ୍କ ସାହାଯ୍ୟରେ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି।ଆଇଏମଡିର ସୂଚନା ଅନୁସାରେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହା ସଲଗ୍ନ ଆଣ୍ଡମାନ ସାଗରର ଲଘୁଚାପ ଆଣ୍ଡାମାନ ନିକୋବାର ଠାରୁ ୧୧୦ କିଲୋମିଟର ଉତ୍ତର ଏବଂ ଉତ୍ତର ପଶ୍ଚିମରେ ରହିଛି । ଆସନ୍ତାକାଲି ଏହି ଲଘୁଚାପ ସାମୁଦ୍ରିକ ଝଡର ରୂପ ନେଇପାରେ। ସମ୍ଭାବ୍ୟ ବାତ୍ୟା ବାଂଲାଦେଶ ଏବଂ ମିଆଁମାରେ ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ କରାଯାଉଛି।

nis-ad
Leave A Reply

Your email address will not be published.