ବଢିଲା ଡିଜେଲ ଦର, ଲିଟର ପିଛା ୨୫ ଟଙ୍କା ମହଙ୍ଗା ହେଲା ଦାମ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅବଶ୍ୟ ରିଟେଲ ଗ୍ରାହକମାନଙ୍କ ଉପରେ ଏହାର ପ୍ରଭାବ ପଡି ନାହିଁ କିନ୍ତୁ ତୈଳ ମହଜୁଦ ରଖୁଥିବା ବଡ ବଡ କମ୍ପାନୀଙ୍କ ଉପରେ ପଡିବା ଆରମ୍ଭ କରିଛି । ଫଳରେ ଡିଜେଲ ଦର ଲିଟର ପିଛା ଏକାଥରେ ୨୫ଟଙ୍କା ବୃଦ୍ଧି ପାଇଛି । ଏ ନେଇ ଖବର ସରବରାହ ସଂସ୍ଥା ଏନ୍‌ଆଇ ପକ୍ଷରୁ ସୂଚନା ପ୍ରକାଶ ପାଇଛି ।

ତେବେ ଏହାର ପ୍ରଭାବ ପେଟ୍ରୋଲ ପମ୍ପଗୁଡିକରେ ରିଟେଲ ଗ୍ରାହକମାନଙ୍କ ଉପରେ ପଡିନାହିଁ । ଦିଲ୍ଲୀରେ ବଲ୍କ ଗ୍ରାହକଙ୍କ ପାଇଁ ଡିଜେଳ ଦାମ ବର୍ତ୍ତମାନ ୧୧୫ ଟଙ୍କା ହୋଇଯାଇଛି । ସେହିଭଳି ପେଟ୍ରୋଲ ପମ୍ପ ଗୁଡିକରେ ଏବେ ଡିଜେଲ ଦର ଲିଟର ପ୍ରତି ରହିଛି ୮୬.୬୭ ଟଙ୍କା । ମୁମ୍ବାଇରେ ଏବେ ବଲ୍କ କ୍ରେତା(ଅଧିକ ପରିମାଣରେ ତେଲ କିଣୁଥିବା କମ୍ପାନୀ)ମାନଙ୍କ ପାଇଁ ଲିଟର ପିଛା ଡିଜେଲ ଦର ୧୨୨.୦୫ ଟଙ୍କାରେ ପହଞ୍ଚିଯାଇଛି । ସେହିଭଳି ମୁମ୍ବାଇ ପେଟ୍ରୋଲ ପମ୍ପ ଗୁଡିକରେ ଡିଜେଲ ଦାମ ଲିଟର ପିଛା ୯୪.୧୪ ଟଙ୍କା ରହିଛି ।

ପ୍ରତିରକ୍ଷା, ରେଲଓ୍ବେ ଏବଂ ପରିବହନ ନିଗମ, ପାଓ୍ବାର ପ୍ଲାଣ୍ଟ, ସିମେଣ୍ଟ ପ୍ଲାଣ୍ଟ ଏବଂ କେମିକାଲ ପ୍ଲାଣ୍ଟଗୁଡିକ ମୁଖ୍ୟତଃ ବଲ୍କ ଗ୍ରାହକ କୁହାଯାଏ । ତୈଳ କମ୍ପାନୀଗୁଡିକ ଏହି ବଡ ବଡ ଗ୍ରାହକମାନଙ୍କୁ ଆବଶ୍ୟକ ଅନୁଯାୟୀ, ବିପୁଳ ପରିମାଣର ତେଲ ଯୋଗାଇଥାନ୍ତି ।

ସବୁଠାରୁ ବଡ କଥା ହେଉଛି, ବିଶ୍ବ ବଜାରରେ ଅଶୋଧିତ ତୈଳ ଦର ଅହେତୁକ ମାତ୍ରାରେ ବୃଦ୍ଧିପାଇଥିଲେ ହେଁ, ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦାମ ଦୀର୍ଘ ଦିନ ହେଲା ସ୍ଥିର ରହିଛି । ପ୍ରାୟ ୧୩୬ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ସ୍ଥିର ରହିଛି । ୨୦୨୧ ପରେ ଦେଶରେ ତୈଳ ଦର ଆଦୌ ବୃଦ୍ଧି ପାଇନାହିଁ ।

ତେବେ ବ୍ଲକ ଗ୍ରାହକମାନଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ପାଇବା ଯୋଗୁଁ ପ୍ରତିରକ୍ଷା, ରେଲଓ୍ବେ ଏବଂ ପରିବହନ ନିଗମ, ପାଓ୍ବାର ପ୍ଲାଣ୍ଟ, ସିମେଣ୍ଟ ପ୍ଲାଣ୍ଟ ଏବଂ କେମିକାଲ ପ୍ଲାଣ୍ଟଗୁଡିକ ବିପୁଳ ପରିମାଣର କ୍ଷତି ସହିବାକୁ ଯାଉଛନ୍ତି । ତେବେ ଏମାନଙ୍କ ପାଇଁ ତୈଳ ଦର ଏକସଙ୍ଗେ ୨୫ ଟଙ୍କା ବୃଦ୍ଧିପାଇବା ଫଳ​‌ରେ ଦରଦାମ ବୃଦ୍ଧି ଆଶଙ୍କା ମଧ୍ୟ ଦେଖାଯାଇଛି ।

nis-ad
Leave A Reply

Your email address will not be published.