କଶ୍ମୀର ପଣ୍ଡିତ ନିଜ ଇଚ୍ଛାରେ ଛାଡ଼ିଥିଲେ ଭିଟାମାଟି, ନ୍ୟାସନାଲ କନଫରେନ୍ସ ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ : ବିବେକ ଅଗ୍ନିହୋତ୍ରୀଙ୍କ ଚଳଚ୍ଚିତ୍ର ‘ଦି କଶ୍ମୀର ଫାଇଲ୍ସ’କୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଛି । ଏହି ଚଳଚ୍ଚିତ୍ର ପୁଣିଥରେ ୧୯୯୦ ମସିହାରେ କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ପାଶବିକ ଅତ୍ୟାଚାର ଓ ଗଣହତ୍ୟାର କ୍ଷତକୁ ଜୀବନ୍ତ କରିଦେଇଛି । କିନ୍ତୁ ଏହି ଚଳଚ୍ଚିତ୍ରକୁ ନେଇ ଦେଶରେ ରାଜନୀତି ମଧ୍ୟ ଜାରି ରହିଛି ।
ଆଜି ନ୍ୟାସନାଲ କନଫରେନ୍ସ(ଏନସି)ର ଜଣେ ବରିଷ୍ଠ ନେତା ମୁସ୍ତାଫା କମାଲ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କଶ୍ମୀର ପଣ୍ଡିତମାନେ ନିଜ ଇଚ୍ଛାରେ ପଳାୟନ କରିଥିଲେ । ଏଥିପାଇଁ ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ବରେ ଥିବା ତତକାଳୀନ ସରକାରଙ୍କୁ ଦାୟୀ କରାଯିବା ଠିକ ନୁହେଁ । କାରଣ ସେତେବେଳେ ଫାରୁକ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଥିଲେ ଓ ସରକାର ରାଜ୍ୟପାଳ ଜଗମୋହନଙ୍କ ନିୟନ୍ତ୍ରଣରେ ଥିଲା ।
ଟାଇମ୍ସ ନାଓ ସହ ଏକ ସାକ୍ଷାତକାର ବେଳେ ସେ କହିଛନ୍ତି ଯେ ଘାଟିରେ ନ୍ୟାସନାଲ କନଫରେନ୍ସ ସରକାର ପଣ୍ଡିତ ମାନଙ୍କ ସହ ଭାଇଚାରା ରକ୍ଷା କରିଥିଲେ । କିନ୍ତୁ ପଳାୟନ ପାଇଁ ସେମାନେ ନିଜେ ଦାୟୀ । ନିଜ ଇଚ୍ଛାରେ ସେମାନେ ପଳାୟନ କରିଥିଲେ ।
କମାଲ ମଧ୍ୟ କଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ହୋଇଥିବା କଥାକୁ ଅସ୍ବୀକାର କରୁଛନ୍ତି । ସେ କହିଛନ୍ତି ଯେ ଏହି ଫିଲ୍ମରେ ଘଟଣାଗୁଡ଼ିକୁ ଅତିରଂଜିତ କରି ଦେଖାଯାଇଛି । ଜମ୍ମୁ ଓ କଶ୍ମୀରର ମୁସଲିମ ସଂପ୍ରଦାୟଙ୍କୁ ଟାର୍ଗେଟ କରିବାକୁ ଏହା କରାଯାଇଛି । ତାଙ୍କର ଏହି ବୟାନକୁ ନେଇ ବିବାଦ ସୃଷ୍ଟି ହୋଇଛି ।

nis-ad
Leave A Reply

Your email address will not be published.