ସୋନିଆଙ୍କୁ ଭେଟିବା ପରେ ବଡ଼ ବୟାନ ଦେଲେ ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରେ ସୃଷ୍ଟି ହୋଇଥିବା ବିବାଦ ଭିତରେ ଆଜି ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ନେଇଥିବା ଗୁଲାମ ନବୀ ଆଜାଦ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି। ବିଦ୍ରୋହୀ ଗୋଷ୍ଠୀ ବା ଜି-୨୩ ନେତା ବାରମ୍ବାର ନେତୃତ୍ୱ ପରିବର୍ତ୍ତନ ଓ ସାଂଗଠନିକ ପୁର୍ନଗଠନ କଥା କହୁଥିବାରୁ ଆଜାଦ ଆଜି ସୋନିଆଙ୍କ ସହ ସେ ସବୁ ବିଷୟରେ କଥା ହୋଇଥିବା ଆକଳନ କରାଯାଉଛି। ତେବେ ସୋନିଆଙ୍କୁ ଭେଟିବା ପରେ ଆଜାଦ ଦେଇଥିବା ବୟାନ ସମସ୍ତଙ୍କୁ ଚକିତ କରିଛି।
ଆଜାଦ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚାରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି, “କଂଗ୍ରେସ ସଭାପତିଙ୍କ ସହ ସକାରାତ୍ମକ ବୈଠକ ହୋଇଛି। ଏହା ଆପଣମାନଙ୍କ ପାଇଁ ଖବର ହୋଇଥାଇ ପାରେ। କିନ୍ତୁ ଏହା ଆମ ପାଇଁ ଗୋଟିଏ ନିୟମିତ କାମ। ସଭାପତିଙ୍କ ସହ ଦଳୀୟ ନେତାଙ୍କ ସାଧାରଣ ବୈଠକ।
କଂଗ୍ରେସକୁ କେମିତି ଏକାଠି କରି ଆଗକୁ ନିର୍ବାଚନ ଲଢ଼ିବାକୁ ହେବ, ସେ ବିଷୟରେ ଆଲୋଚନା ହୋଇଛି। ନେତୃତ୍ୱକୁ ନେଇ କୌଣସି ପ୍ରକାରର ପ୍ରଶ୍ନ ଉଠୁନି। ଜାତୀୟ କାର୍ଯ୍ୟକାରିଣୀରେ କେହି ବି ସୋନିଆ ଗାନ୍ଧିଙ୍କୁ ଇସ୍ତଫା ଦେବାକୁ କହିନାହାନ୍ତି। କାର୍ଯ୍ୟକାରୀ କମିଟିକୁ ୫ ରାଜ୍ୟରେ କଂଗ୍ରେସ କାହିଁକି ହାରିଲା, ସେ ବିଷୟରେ ମତ ରଖିବାକୁ କୁହାଯାଇଥିଲା।
କଂଗ୍ରେସର ସବୁ ସଦସ୍ୟ ସୋନିଆ ଗାନ୍ଧି ଲିଡ୍ କରନ୍ତୁ ବୋଲି ମତ ରଖିଥିଲେ। ଆମ ପାଖରେ କିଛି ପ୍ରସ୍ତାବ ଥିଲା। ଆମେ ଏହାକୁ ଉପସ୍ଥାପନ କରିଥିଲୁ। ଆଗାମୀ ଦିନରେ ସାଂଗଠନିକ ନିର୍ବାଚନ ହେଲେ କଂଗ୍ରେସ ସଭାପତି ପାଇଁ କର୍ମୀମାନେ ଭୋଟ ଦେବେ।”
ଜି-୨୩ ନେତାମାନଙ୍କ ପକ୍ଷରୁ କ’ଣ ସବୁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ସୋନିଆ ଗାନ୍ଧିଙ୍କୁ ଦିଆଯାଇଛି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସେ କହିଛନ୍ତି, “କଂଗ୍ରେସ ଗୋଟିଏ ଦଳ ଓ ସୋନିଆ ଗାନ୍ଧି ହେଉଛନ୍ତି ସଭାପତି। ଆମେ ସମସ୍ତେ କଂଗ୍ରେସର ନେତା। ଦଳର ନେତା କ’ଣ ପ୍ରସ୍ତାବ ଦେଇଛନ୍ତି, ତାହା ଆଭ୍ୟନ୍ତରୀଣ ବ୍ୟାପାର। ଏହାକୁ ସାର୍ବଜନୀନ କରାଯାଇ ପାରିବ ନାହିଁ।”
୨୦୨୦ରେ ଏହି ଜି-୨୩ ନେତାମାନେ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ସାଂଗଠନିକ ପରିବର୍ତ୍ତନ ପାଇଁ କହିଥିଲେ। ହେଲେ ଏଯାଏ ଏହା ସମ୍ଭବ ହୋଇପାରୁନି। ସାଂଗଠନିକ ପରିବର୍ତ୍ତନ ହେଉ ନଥିବାରୁ କଂଗ୍ରେସ ବିଭିନ୍ନ ରାଜ୍ୟରେ ହାରୁଛି ବୋଲି ଜି-୨୩ ନେତାମାନେ ମତ ରଖିଥିଲେ।
ଦଳୀୟ ନେତୃତ୍ୱ ଓ ପରିଚାଳନାରେ ଖୁସି ନଥିବା ପ୍ରାୟ ୧୮ ଜଣ ନେତା ଏହି ତଥାକଥିତ ଜି-୨୩ର ସଦସ୍ୟ। ସେମାନେ କଂଗ୍ରେସର ଆଗାମୀ ଭବିଷ୍ୟତକୁ ନେଇ ମାନସମନ୍ଥନ କରୁଛନ୍ତି। ଏହି ବିଦ୍ରୋହୀ ଗୋଷ୍ଠୀରେ କପିଲ ଶିବଲ, ଭୂପିନ୍ଦର ସିଂହ ହୁଡା, ଶଶି ଥରୁର, ମନୀଷ ତିୱାରୀ, ଆନନ୍ଦ ଶର୍ମାଙ୍କ ଭଳି ବରିଷ୍ଠ ନେତା ରହିଛନ୍ତି।
ନିର୍ବାଚନ ବିପର୍ଯ୍ୟୟ ପରେ କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀ ବୈଠକ ବସିଥିଲା। ଏହି ବୈଠକରେ ସୋନିଆ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ। ଏଥିସହ ନେତୃତ୍ୱ ପରିବର୍ତ୍ତନ କରି କଂଗ୍ରେସକୁ ଆଗକୁ ନେବାକୁ ଚାହିଁଥିଲେ। ହେଲେ ବୈଠକରେ ଯୋଗଦେଇଥିବା ସଦସ୍ୟମାନେ ଏଥିରେ ରାଜି ନ ହେବାରୁ ସୋନିଆ ପୁଣି କଂଗ୍ରେସ ଦାୟିତ୍ୱ ନେବାକୁ ରାଜି ହୋଇଛନ୍ତି।
ତେବେ ଦୀର୍ଘ ଦିନ ହେଲା ସାଂଗଠନିକ ପୁର୍ନଗଠନ ଓ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରି ଆସୁଥିବା ଜି-୨୩ ନେତା ଏପରି ନିଷ୍ପତ୍ତିକୁ ସହ୍ୟ କରିପାରି ନାହାନ୍ତି। ସାଂଗଠନିକ ପୁର୍ନଗଠନ ନ ହେଲେ, କଂଗ୍ରେସ କେବେ ବି ଆଗକୁ ଯାଇ ପାରିବ ନାହିଁ ବୋଲି ସେମାନେ କହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସେମାନେ ଘନଘନ ବୈଠକ କରିବାରେ ଲାଗିଛନ୍ତି।

nis-ad
Leave A Reply

Your email address will not be published.