ଭୁବନେଶ୍ୱର: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା ଦିନକୁ ଦିନ ଅତି ରହସ୍ୟମୟ ହେବାରେ ଲାଗିଛି । ଏନେଇ ତଦନ୍ତର ମୋଡ଼ ବଦଳାଇବାକୁ କମିଶନରେଟ୍ ପୋଲିସ୍ ର ସହାୟତା ଲୋଡ଼ିଛି ଚାନ୍ଦବାଲି ପୋଲିସ୍ । ହତ୍ୟା ଭୁବନେଶ୍ୱରରେ ଘଟିଥିବାରୁ ଅଧିକ ତଥ୍ୟ ପାଇଁ ସହାୟତା ଲୋଡ଼ା ଯାଇଛି । ଏନେଇ ସ୍ପେଶାଲ ସ୍କ୍ୱାର୍ଡ଼ ଏସିପି ସଂଜୀବ ଶତପଥୀ ସୁଚନା ଦେଇଛନ୍ତି । କୁହାଯାଇଛି ଯେ ‘ସେମାନେ ଆମର ସହାୟତା ଲୋଡ଼ିଛନ୍ତି ଏବଂ ଆମେ ବି ପ୍ରତି ଟି କ୍ଷେତ୍ରରେ ସହାୟତା କରୁଛୁ’ । ତେଣୁ ଫେରାର ଅଭିଯୁକ୍ତକୁ ଧରିବାକୁ ସ୍ପେଶାଲ ସ୍କ୍ୱାର୍ଡ଼ ଗଠନ କରାଯାଇଛି ।
ଚାନ୍ଦବାଲିରୁ ଅପହରଣ କରି ମାନସଙ୍କୁ ଏହି ଆଶ୍ରମର ଉପରେ ଘରେ ରଖାଯାଇଥିଲା । ଚର୍ଚ୍ଚା ହେଉଛି, ଅଶ୍ଲୀଳ ଭିଡିଓ ପାଇଁ ଅପହରଣ ଓ ପରେ ମାନସଙ୍କୁ ହତ୍ୟା କରାଯାଇଛି । ଆଶ୍ରମର ତଳ ମହଲାରେ ନିରାଶ୍ରୟ ବୁଢ଼ାବୁଢ଼ି ରହୁଥିଲେ । ଉପର ମହଲାରେ ସମ୍ପୃକ୍ତ ୱେବ ଚ୍ୟାନେଲର ଅଫିସ୍ ଚାଲୁଥିଲା ।
ଖବର ଅନୁଯାୟୀ, ୱେବ ପୋର୍ଟାଲ ମାଲିକାଣୀ ମାନସଙ୍କୁ ଅଶ୍ଳୀଳ ଫିଲ୍ମର ଶୁଟିଂ ପାଇଁ କାର୍ଯ୍ୟରେ ଲଗାଇଥିଲେ ।କିଛି ଦିନ ଧରି ଚାଲିଥିଲା ଏହି ଅଶ୍ଳୀଳ ଫିଲ୍ମର ଶୁଟିଂ। ପରେ ମାନସଙ୍କ ପାଖରେ କିଛି ଭିଡିଓ କ୍ଲିପ୍ ରହିଯାଇଥିଲା । କ୍ଲିପକୁ ଫେରାଇବା ପାଇଁ ବାରମ୍ବାର ତାଗିଦ କରୁଥିଲେ ବି ମାନସ ଫେରାଉନଥିଲେ ।