ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଓ ପ୍ରସ୍ତାବ ଦେବାକୁ ଜନସାଧାରଣଙ୍କୁ ପ୍ରଶାସନର ଅନୁରୋଧ

ସୁନ୍ଦରଗଡ଼ (୧୧/୦୩) : ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ବିଶେଷ ଉନ୍ନତି ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନର (ଡିଏମଏଫ) ଆର୍ଥିକ ସହଯୋଗକ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଏହିସବୁ କାର୍ଯ୍ୟକ୍ରମକୁ କିପରି ଆହୁରି ପ୍ରଭାବଶାଳୀ କରାଯାଇପାରିବ ପ୍ରଶାସନ ପକ୍ଷରୁ ସେ ସମ୍ପର୍କରେ ଜନସାଧାରଣଙ୍କର ମତାମତ ଓ ପ୍ରସ୍ତାବ ଆହ୍ୱାନ କରାଯାଉଛି। ସେହିପରି ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଆଉ କେଉଁଭଳି ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରିବ ସେ ବାବଦରେ ମଧ୍ୟ ଜନସାଧାରଣ ପ୍ରସ୍ତାବ ଦେବାକୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଆଗାମୀ ଦିନରେ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ କାର୍ଯ୍ୟକ୍ରମର ପ୍ରସ୍ତୁତି ଓ ପ୍ରଣୟନ ବେଳେ ଲୋକଙ୍କ ଏହିସବୁ ମତାମତ ଓ ପ୍ରସ୍ତାବକୁ ଗୁରୁତ୍ୱ ଦିଆଯିବ।

ବିଭିନ୍ନ ଜନମଙ୍ଗଳ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଣୟନ ତଥା ନିଷ୍ପତ୍ତି ବେଳେ ସ୍ଥାନୀୟ ଜନସାଧାରଣ ଓ ହିତାଧିକାରୀମାନଙ୍କ ପ୍ରତ୍ୟକ୍ଷ ସହଭାଗିତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହାକୁ ଗୁରୁତ୍ୱ ଦେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କଠାରୁ ସିଧାସଳଖ ମତାମତ ଓ ପ୍ରସ୍ତାବ ଆହ୍ୱାନ କରାଯାଉଛି। ଏ ସମ୍ପର୍କରେ ସୂଚନା ଦେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସ୍ଥାନୀୟ ଜନସାଧାରଣ [email protected] ଇମେଲ ଯୋଗେ କିମ୍ବା ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ନମ୍ବର ୧୮୦୦ ୩୪୫ ୭୪୬୧/ ୦୧୧ ୪୧୧୮୨୧୩୮ରେ ମାଗଣାରେ କଲ୍ କରି ନିଜର ମତାମତ ଏବଂ ପ୍ରସ୍ତାବ ଦେଇପାରିବେ। ସେହିପରି ଜିଲ୍ଲା ୱେବସାଇଟ୍ www.sundergarh.nic.in ଏବଂ ଜିଲ୍ଲା କଲ୍ ସେଣ୍ଟର ୱେବସାଇଟ୍ www.callcentersundargarh.in ଯୋଗେ ମଧ୍ୟ ଜନସାଧାରଣ ସେମାନଙ୍କ ମତାମତ ଦେଇପାରିବେ।

ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଅଗ୍ରାଧିକାର ଦେଇ ସ୍ୱାସ୍ଥ୍ୟ, ପୋଷଣ, ପାନୀୟ ଜଳ, ଶିକ୍ଷା, ଦକ୍ଷତା ବିକାଶ, ଜୀବିକା, କୃଷି, ଜଳସେଚନ, ଗମନାଗମନ, ପରିମଳ ଆଦି କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହିସବୁ ଯୋଜନାର ସୁଫଳ ଖଣି ପ୍ରଭାବିତ ଅଞ୍ଚଳ ସହ ସାମଗ୍ରିକ ଭାବେ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ନିକଟରେ ପହଞ୍ଚି ପାରିଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ଜିଲ୍ଲାରେ ମାତୃ ସୁରକ୍ଷା ପାଇଁ ସ୍ୱତନ୍ତ୍ର ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ଚାଲିଛି। ସେହିପରି ସାନ ସାନ ପିଲାଙ୍କ ପୁଷ୍ଟି ସାଧନ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ମାଣ୍ଡିଆ ଲଡୁ ଏବଂ ସ୍ପିରୁଲିନା ଚିକି ବଣ୍ଟନ, ୧୧ଟି ବ୍ଲକରେ ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟ ଚାଷ, ଜିଲ୍ଲାର ସମସ୍ତ ୧୭ଟି ବ୍ଲକ ଲାଗି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଭ୍ୟାନ ଏବଂ ଅତ୍ୟାଧୁନିକ ଆମ୍ବୁଲାନ୍ସ ସେବା, ଚାଷୀଙ୍କ ଜୀବିକା ଓ ଜଳସେଚନ ଲାଗି ବ୍ୟାପକ କାର୍ଯ୍ୟକ୍ରମ, ଖଣି ପ୍ରଭାବିତ ଅଞ୍ଚଳ ପାଇଁ ଅତ୍ୟାଧୁନିକ ପରିମଳ ପରିଚାଳନା, ଗମନାଗମନକୁ ସୁଗମ କରିବା ପାଇଁ ରାସ୍ତା ସଂଯୋଗୀକରଣ ପ୍ରକଳ୍ପ, ଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତି ଉପଯୋଗୀ ତାଲିମ କାର୍ଯ୍ୟକ୍ରମ ତଥା ଭିନ୍ନକ୍ଷମଙ୍କ ସଶକ୍ତିକରଣ ପାଇଁ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ଭଳି ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକରେ ଡିଏମଏଫ ପାଣ୍ଠିର ବିନିଯୋଗ କରାଯାଉଛି।

nis-ad
Leave A Reply

Your email address will not be published.