ବିଜୟୀ ହେଲେ ଯୋଗୀ ଆଦିତ୍ୟନାଥ, ଉତ୍ତରପ୍ରେଦଶରେ ବିଜେପି ସରକାର ଦ୍ବିତୀୟବାର

ଲକ୍ଷ୍ନୌ: ଜିତିଲେ ଯୋଗୀ। ଉତ୍ତରପ୍ରଦେଶରେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟିଠାରୁ ଏବେ ବହୁ ଆଗରେ ରହିଛି ବିଜେପି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲଢ଼ୁଥିବା  ଗୋରାଖପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗଣନା ଶେଷ ହୋଇଛି। ଏଠାରେ ବିପୁଳ ଭୋଟ‌ ପାଇ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ସମୁଦାୟ ୧,୦୨,୦୦୦ ‌ଭୋଟ ପାଇ ଯୋଗୀ ବିଜୟ ହାସଲ କରିଥିବା ଜଣାପଡ଼ିଛି।
ଶେଷ ଫଳାଫଳ ଅନୁସାରେ ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ବିଜେପି ୨୭୩ ଆସନରେ ଆଗୁଆ ଥିବା ବେଳେ ଏଯାବତ୍ ୨୩୨ଟିରେ ବିଜୟୀ ହୋଇଛି। ଅନ୍ୟ ପକ୍ଷରେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ୧୨୫ଟିରେ ଆଗୁଆ ରହିଥିବା ବେଳେ ୪ଟିରେ ବିଜୟ ଲାଭ କରିଛି। ତେବେ ଫଳାଫଳକୁ ଦେଖି ଏବେ ବିଜେପି ସରକାର ଗଢ଼ିବାକୁ ଅଣ୍ଟା ଭିଡ଼ିଥିବା ବେଳେ ଗତବର୍ଷ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିବା କଥା ସତ ହେଉଥିବା ଦେଖାଯାଇଛି। ଗତବର୍ଷ ସେପ୍ଟେମ୍ବରରେ ଯୋଗୀ କହିଥିଲେ ଯେ, ମୁଁ ୩୭ବର୍ଷର ଅଭିଶପ୍ତ ପରମ୍ପରା ଭାଙ୍ଗିବି। ୩୭ବର୍ଷ ହେଲା ‌କେହି ଲଗାତାର ଦ୍ବିତୀୟ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇ ନଥିବା ବେଳେ ମୁଁ ଏହି ପରମ୍ପରା ଭାଙ୍ଗିବି। ଏହା ଆଜିର ଫଳାଫଳ ଦେଖିବା ପରେ ଏହା ସତ ହେବ‌ ବୋଲି ସ୍ପଷ୍ଟ ହୋଇଯାଇଛି।
ଗତ ୩୭ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ କୌଣସି ମୁଖ୍ୟମନ୍ତ୍ରୀ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିନାହାନ୍ତି। ୪ଜଣ ମୁଖ୍ୟମନ୍ତ୍ରୀ ଅତୀତରେ ଉତ୍ତରପ୍ରଦେଶରେ କ୍ଷମତାକୁ ଫେରିଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ପାଞ୍ଚ ବର୍ଷ କ୍ଷମତାରେ ରହିପାରିନାହାନ୍ତି। ୧୯୮୫ରେ ଶେଷ ଥର ପାଇଁ ଲଗାତାର ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ପଦବୀ ଜିତିବାରେ ସଫଳ ହୋଇଥିଲେ ନାରାୟଣ ଦତ୍ତ ତିୱାରୀ।
୧୯୮୫ ପୂର୍ବରୁ ଲଗାତାର କ୍ଷମତାକୁ ଆସିଥିବା ଅନ୍ୟ ୟୁପି ମୁଖ୍ୟମନ୍ତ୍ରୀମାନେ ହେଲେ ୧୯୫୭ରେ ସମ୍ପୂର୍ଣ୍ଣାନନ୍ଦ, ୧୯୬୨ମସିହାରେ ଚନ୍ଦ୍ରଭାନୁ ଗୁପ୍ତା ଏବଂ ୧୯୭୪ ରେ ହେମବତୀ ନନ୍ଦନ ବହୁଗୁଣା। ତେବେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିବାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ରାଜ୍ୟରେ ପାଞ୍ଚ ବର୍ଷର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବାରେ ତୃତୀୟ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

nis-ad
Leave A Reply

Your email address will not be published.