ବିନା ପ୍ରମାଣରେ ଜେଲରେ ୧୬ ଦିନ ବିତାଇସାରିଲିଣି; ମୋତେ ମୁକ୍ତ କରାଯାଉ: ବମ୍ବେ ହାଇକୋର୍ଟରେ ଆବେଦନ କଲେ ନଓ୍ଵାବ ମଲିକ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗତ ମାସରେ ଗିରଫ ହୋଇଥିବା ମହାରାଷ୍ଟ୍ର କ୍ୟାବିନେଟ ମନ୍ତ୍ରୀ ନଓ୍ଵାବ ମଲିକ ବୁଧବାର ଦିନ ହେପାଜତରୁ ମୁକ୍ତ ହେବା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ପାରିତ କରିବାକୁ ନିବେଦନ କରି ବମ୍ବେ ହାଇକୋର୍ଟରେ ଏକ ଯାଚିକା ଆଗତ କରିଛନ୍ତି।
ପୁଲିସ କର୍ତ୍ତୃପକ୍ଷ ବା ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥା ବିନା କୌଣସି ଠୋସ ପ୍ରମାଣରେ କେବଳ ମାତ୍ର କଳ୍ପନା ଆଧାରରେ ଏକ ସଂଗଠିତ ଅପରାଧରେ ତାଙ୍କର ସମ୍ପୃକ୍ତି ରହିଛି ବୋଲି ଆରୋପ ଲଗାଇ ତାଙ୍କୁ ଅପମାନିତ କରିପାରିବେ ନାହିଁ।
ଆଜି ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ପିବି ଭାରାଲେଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କାଳରେ ମଲିକଙ୍କ ଓକିଲ ଶ୍ରୀ ଦେଶାଇ କହିଛନ୍ତି ଯେ ବେଆଇନ ଆର୍ଥିକ କାରବାର ବା ମନିଲଣ୍ଡରିଂ ସହ ଶ୍ରୀ ମଲିକଙ୍କର କୌଣସି ସଂପର୍କ ନାହିଁ କିମ୍ବା ସେ ପଳାତକ ଅଣ୍ଡରଓ୍ଵାର୍ଲଡ ଡନ୍‌ ଦାଉଦ ଇବ୍ରାହିମ୍‌ ସହ କୌଣସି ଉପାୟରେ ବି ସଂପୃକ୍ତ ନୁହନ୍ତି। ଇଡିର ସଂପୂର୍ଣ୍ଣ କଳ୍ପନାପ୍ରସୂତ ଅଭିଯୋଗ ଓ ତଦନ୍ତ ଆଧାରରେ ସେ ୧୬ ଦିନ କାରାଗାରରେ ବିାଇ ସାରିଲେଣି। ତେଣୁ, ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ରିଲିଫ୍‌ ପ୍ରଦାନ ପୂର୍ବକ କାରାଗାରରୁ ମୁକ୍ତ କରାଯାଉ ବୋଲି ସେ ଖଣ୍ଡପୀଠଙ୍କୁ କହିଛନ୍ତି।
ଆଜି (ବୁଧବାର) ଏହି ମାମଲାର ଶୁଣାଣି କଲାପରେ ହାଇକୋର୍ଟ ଗୁରୁବାର ଦିନ ମଧ୍ୟ ଏହି ଆବେଦନର ଶୁଣାଣି ଜାରି ରଖିବେ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.