ଏକ୍‌ଜିଟ୍‌ ପୋଲ୍: ମଣିପୁରରେ ପୁଣି ଶାସନ କରିବ ବିଜେପି

ନୂଆଦିଲ୍ଲୀ: ୫ ରାଜ୍ୟ- ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ ବିଧାନସଭା ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ଆଜି ଆସିଛି ବିଭିନ୍ନ ଗଣମାଧ୍ୟମ ଓ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା କରାଯାଇଥିବା ଏକ୍‌ଜିଟ୍ ପୋଲ୍‌ ଫଳାଫଳ। ଏଥିରୁ ଅଧିକାଂଶ ମଣିପୁରରେ ବିଜେପି ବହୁମତ ପାଇବ ବୋଲି କହିଛନ୍ତି।
ମଣିପୁର ବିଧାନସଭାରେ ମୋଟ ୬୦ଟି ଆସନ ଥିବା ବେଳେ ମ୍ୟାଜିକ୍ ନମ୍ବର ହେଉଛି ୩୧। ଇଣ୍ଡିଆ ଟୁଡେ-ଆକ୍ସିସ୍‌ର ଏକ୍‌ଜିଟ୍ ପୋଲ୍ ଅନୁଯାୟୀ, ବିଜେପି ଏଠାରେ ୩୩-୪୩ଟି ଆସନରେ ଜିତିବ। କଂଗ୍ରେସ, ଏନ୍‌ପିପି ଓ ଏନ୍‌ପିଏଫ୍ ୪ରୁ୮ଟି ଲେଖାଏଁ ଆସନ ପାଇପାରନ୍ତି। ଅନ୍ୟାନ୍ୟଙ୍କୁ ୦ରୁ ୭ଟି ଆସନ ମିଳିପାରେ।
ଜୀ ନ୍ୟୁଜ୍-ଡିଜାଇନ୍‌ବକ୍ସଡର ଏକ୍‌ଜିଟ୍ ପୋଲ୍ ଅନୁଯାୟୀ, ଏଠାରେ ଦଳ ୩୨ରୁ ୩୮ଟି ଆସନ ପାଇବ। କଂଗ୍ରେସ ମେଣ୍ଟ ୧୨ରୁ ୧୭ଟି ଆସନ ପାଇବ। ସେହିପରି ନ୍ୟୁଜ୍ ୧୮ ପଞ୍ଜାବ ଓ ପି-ଏମ୍‌ଏଆର୍‌କ୍ୟୁ ଅନୁଯାୟୀ, ବିଜେପି ୨୭ରୁ ୩୧ଟି ଆସନ ପାଇବ। ଆଉ କଂଗ୍ରେସକୁ ମିଳିବ ୧୧ରୁ ୧୭ଟି ଆସନ।
ଇଣ୍ଡିଆଟିଭି-ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ ଅନୁଯାୟୀ, ବିଜେପି ୨୬-୩୧ଟି ଓ କଂଗ୍ରେସ ୧୨-୧୭ଟି ଆସନ ପାଇବେ। ଅନ୍ୟପକ୍ଷରେ ଇଣ୍ଡିଆ ନ୍ୟୁଜ୍‌ର ଏକ୍‌ଜିଟ୍ ପୋଲ୍ ଅନୁଯାୟୀ, କୌଣସି ଦଳ ମ୍ୟାଜିକ୍ ନମ୍ବର ଛୁଇଁ ପାରିବେ ନାହିଁ। ବିଜେପି ୨୩ରୁ ୨୮ଟି ଆସନ ଜିତିବ ଓ କଂଗ୍ରେସକୁ ମିଳିବ ୧୦ରୁ ୧୪ଟି ଆସନ।
ମୋଟାମୋଟି ଭାବେ ପୋଲ୍‌ ଅଫ୍ ପୋଲ୍‌କୁ ଦେଖିଲେ ଜଣାପଡୁଛି ବିଜେପି ଏଠାରେ ୩୦ଟି ଆସନ ଜିତିବାକୁ ଥିବା ବେଳେ କଂଗ୍ରେସ ୧୪ ଓ ଅନ୍ୟାନ୍ୟ ଦଳ ୧୬ଟି ଆସନ ପାଇବେ।
ସୂଚନାଯୋଗ୍ୟ, ୨୦୧୭ ନିର୍ବାଚନରେ ବିଜେପି ମେଣ୍ଟ ୩୭ଟି ଆସନ ଜିତିଥିଲା। ଏଥିରୁ ବିଜେପିର ୨୮ଟି, ଏନ୍‌ପିଏଫ୍‌ର ୪ଟି ଓ ଏନ୍‌ପିପିର ୫ଟି ଆସନ ଥିଲା। ଅନ୍ୟପକ୍ଷରେ କଂଗ୍ରେସ ୧୩ଟି ଆସନ ଜିତିଥିଲା। ସେହିପରି ଜେଡିୟୁ ଗୋଟିଏ ଆସନ ଜିତିଥିଲା।

nis-ad
Leave A Reply

Your email address will not be published.