କଡ଼ାକଡ଼ି ପାଳନ ହେବ ଷ୍ଟ୍ରଙ୍ଗରୁମ୍ ଏସ୍‌ଓପି

ଭୁବନେଶ୍ୱର: ରାଜ୍ୟର ପୌରସଂସ୍ଥାଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟଗ୍ରହଣ ପରେ ଇଭିଏମ୍‌ଗୁଡ଼ିକୁ ସୁରକ୍ଷିତ ଭାବେ ରଖିବା ନିମନ୍ତେ ଷ୍ଟ୍ରଙ୍ଗରୁମ୍ ସ୍ଥାପନ, ନିର୍ବାଚନ ସମୟରେ ଓ ଭୋଟଗ୍ରହଣ ପରେ ଗଣତି ପାଇଁ ନିର୍ବାଚନ ସାମଗ୍ରୀ ରଖିବା ପାଇଁ ଷ୍ଟ୍ରଙ୍ଗରୁମ୍ ଖୋଲିବା ଓ ବନ୍ଦ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ କେତେକ ମାନକ କାର୍ଯ୍ୟପଦ୍ଧତି ବା ଏସ୍‌ଓପି ସ୍ଥିର କରିଛନ୍ତି ।

ଏହାକୁ ସମସ୍ତ ନିର୍ବାଚନ ଅଧିକାରୀ ସଠିକ ଭାବେ ପାଳନ କରିବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ପ୍ରତ୍ୟେକ ପୌର ପରିଷଦ ତିନି ପ୍ରକାରର ଷ୍ଟ୍ରଙ୍ଗରୁମ୍ ସ୍ଥାପନ କରିବେ । ଯଥା କାଉନ୍‌ସିଲର/କର୍ପୋରେଟର ପଦବୀ ନିମନ୍ତେ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍ ରଖିବା ପାଇଁ ଗୋଟିଏ ଷ୍ଟ୍ରଙ୍ଗରୁମ୍‌, ଅଧ୍ୟକ୍ଷ/ମେୟର ପଦବୀ ନିମନ୍ତେ ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍ ରଖିବା ପାଇଁ ଗୋଟିଏ ଏବଂ ସଂରକ୍ଷିତ ଇଭିଏମ୍ ରଖିବା ନିମନ୍ତେ ଅନ୍ୟ ଗୋଟିଏ, ଏହିପରି ୩ଟି ଷ୍ଟ୍ରଙ୍ଗରୁମ୍ ସ୍ଥାପନ କରାଯିବ । ଯଦି ଗୋଟିଏ ପ୍ରକାରର ଷ୍ଟ୍ରଙ୍ଗରୁମ୍‌ରେ ସମସ୍ତ ଇଭିଏମ୍‌କୁ ରଖିବା ପାଇଁ ସ୍ଥାନ ଅଭାବ ଦେଖାଯାଏ, ତାହେଲେ ପାଖରେ ଥିବା ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ଗୁଡ଼ିକୁ ରଖାଯିବ ଓ ସେହି ଷ୍ଟ୍ରଙ୍ଗରୁମ୍‌ର ପ୍ରବେଶ ଦ୍ୱାରରେ ସଠିକ ଭାବେ ଚିହ୍ନଟ କରାଯିବ । ପ୍ରତ୍ୟେକ ଷ୍ଟ୍ରଙ୍ଗରୁମ୍‌କୁ ଯିବାଆସିବା ପାଇଁ ଗୋଟିଏ ମାତ୍ର ଦ୍ୱାର ବା ପ୍ରବେଶ ପଥ ରହିବ । ଯଦି ଷ୍ଟ୍ରଙ୍ଗରୁମ୍‌ରେ ପୂର୍ବରୁ ଝରକା କିମ୍ବା ଅନ୍ୟଏକ ଦ୍ୱାର ଥାଏ, ତାହାହେଲେ ସେଗୁଡ଼ିକୁ ଇଟା ଦ୍ୱାରା ସଠିକ୍ ଭାବେ ସିଲ୍ କରିଦିଆଯିବ । ଷ୍ଟ୍ରଙ୍ଗରୁମ୍ ଭିତରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଇ ଷ୍ଟ୍ରଙ୍ଗରୁମ୍ ବାହାରେ ମେନ୍ ସୁଇଚ୍ ଲଗାଯିବ । ଷ୍ଟ୍ରଙ୍ଗରୁମ୍ ଭିତର ସଂପୂର୍ଣ୍ଣ ଭାବେ ଶୁଖିଲା ହୋଇଥିବା ସହ ଅନିଷ୍ଟକାରୀ କୀଟପତଙ୍ଗ କିମ୍ବା ମୂଷା ପ୍ରଭୃତି ଜୀବ ଷ୍ଟ୍ରଙ୍ଗରୁମ୍ ଭିତରେ ଯେପରି ରହୁନଥିବେ ତାହା ସୁନିଶ୍ଚିତ କରାଯିବ । ସନ୍ତସନ୍ତିଆ/ଜଳ ଜମୁଥିବା ସ୍ଥାନ, ଦୁର୍ବଳ କାନ୍ଥ ଥିବା ଘର/ଘରେ ପାଣି ଗଳୁଥିବା ଓ ଭଙ୍ଗା ଝରକା ଇତ୍ୟାଦିରୁ ଷ୍ଟ୍ରଙ୍ଗରୁମ୍ ସଂପୂର୍ଣ୍ଣ ଭାବେ ମୁକ୍ତ ହୋଇଥିବା ଆବଶ୍ୟକ । ଷ୍ଟ୍ରଙ୍ଗରୁମ୍ ଭିତରକୁ ପବନ ଚଳାଚଳ ନିମନ୍ତେ ଦରକାର ହେଲେ ପବନ ଟାଣିବା ପଙ୍ଖା ଷ୍ଟ୍ରଙ୍ଗରୁମ୍‌ର ସାମ୍ନା ପଟ ଉପରକୁ ଲାଗଯାଇପାରେ । ନିର୍ବାଚନ କମିଶନଙ୍କ ଦ୍ୱାରା ନିର୍ଦ୍ଧାରିତ ନିର୍ବାଚନ ସାମଗ୍ରୀ ଓ ଦସ୍ତାବିଜ୍ ମତଦାନ ସଂଗୃହୀତ ହୋଇଥିବା ଇଭିଏମ୍ ସହ ଷ୍ଟ୍ରଙ୍ଗରୁମ୍‌ରେ ରହିବ । ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ଗୁଡ଼ିକୁ ଗଚ୍ଛିତ କରି ରଖିବା ପୂର୍ବରୁ ନିର୍ବାଚନ ଅଧିକାରୀମାନେ ଷ୍ଟ୍ରଙ୍ଗରୁମ୍ ନିର୍ମାଣ କରିଥିବା କର୍ତ୍ତୃପକ୍ଷଙ୍କ ଠାରୁ ଷ୍ଟ୍ରଙ୍ଗରୁମ୍‌ର ସ୍ଥାୟିତ୍ୱ ଓ ଗୁଣବତ୍ତା ସଂପର୍କିତ ଏକ ପ୍ରମାଣପତ୍ର ଆଣି ନିଜ ପାଖରେ ରଖିବେ । ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ଡବଲ ଲକ୍ ବ୍ୟବସ୍ଥା କରାଯାଇ ଦୁଇଟି ଚାବିକୁ ଅଲଗା ଅଲଗା ଦୁଇଜଣ ଅଧିକାରୀଙ୍କ ଦାୟିତ୍ୱରେ ରଖାଯିବ । ଗୋଟିଏ ଚାବି ନିର୍ବାଚନ ଅଧିକାରୀ ଏବଂ ଅନ୍ୟଟି ଜିଲ୍ଲା କୋଷାଗାର ଅଧିକାରୀ କିମ୍ବା ଉପକୋଷାଗାର ଅଧିକାରୀ କିମ୍ବା ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଦ୍ୱାରା ପ୍ରାଧିକୃତ ଅଧିକାରୀଙ୍କ ନିକଟରେ ରଖାଯିବ । ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକୁ ସଶସ୍ତ୍ର ପୁଲିସ ଫୋର୍ସ ଦ୍ୱାରା ୨୪ ଘଣ୍ଟିଆ ସୁରକ୍ଷା ଦିଆଯିବ । ଇଭିଏମ୍ କମିଶନିଂ ଦିନଠାରୁ ଭୋଟଗଣତି ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମ୍‌ଗୁଡ଼ିକରେ ସିସିଟିଭି ସହ ଡିଜିଟାଲ୍ ଭିଡ଼ିଓ ରେକର୍ଡର ଲାଗଯିବ ।

ଷ୍ଟ୍ରଙ୍ଗରୁମ୍ ଭିତରକୁ ପ୍ରତି ପ୍ରବେଶ/ପ୍ରସ୍ଥାନ ନିମନ୍ତେ ଏକ ଲଗ୍‌ବୁକ୍‌ରେ ଉଲ୍ଲେଖ କରାଯିବ ଓ ଷ୍ଟ୍ରଙ୍ଗରୁମ୍‌କୁ ବନ୍ଦ ଓ ଖୋଲିବାବେଳର ଭିଡ଼ିଓ ରେକର୍ଡିଂ କରାଯିବ । ଷ୍ଟ୍ରଙ୍ଗରୁମ୍‌ର ଉଭୟ ଭିତର ଓ ବାହାର ପାଶ୍ୱର୍ରେ ଅଗ୍ନିନିର୍ବାପକ ଯନ୍ତ୍ର ରହିବାର ବ୍ୟବସ୍ଥା କରାଯିବ । ଷ୍ଟ୍ରଙ୍ଗରୁମ୍ ଖୋଲିବା ଓ ବନ୍ଦ କରିବା ପାଇଁ ନିର୍ବାଚନ କମିଶନଙ୍କ ତରଫରୁ କେତେଗୋଟି ନିୟମ କରାଯାଇଛି । ତାହାହେଲା, ଇଭିଏମ୍ ଥିବା ଷ୍ଟ୍ରଙ୍ଗରୁମ୍‌କୁ ଖୋଲିବା/ବନ୍ଦ କରିବାର ୨୪ ଘଣ୍ଟା ପୂର୍ବରୁ ସମସ୍ତ ପ୍ରାର୍ଥୀଙ୍କୁ ଲିଖିତ ଭାବେ ଷ୍ଟ୍ରଙ୍ଗରୁମ୍ ଖୋଲିବା/ବନ୍ଦ କରିବା ସମୟ ଓ ତାରିଖ ସମ୍ପର୍କରେ ଜଣାଇ ଦିଆଯିବ । ପ୍ରାର୍ଥୀ କିମ୍ବା ତାଙ୍କର ପ୍ରାଧିକୃତ ପ୍ରତିନିଧିଙ୍କୁ ଷ୍ଟ୍ରଙ୍ଗରୁମ୍ ଖୋଲିବା/ବନ୍ଦ କରିବା ସମୟରେ ଉପସ୍ଥିତ ରହିବା ପାଇଁ ଅନୁମତି ଦେବା ସହ ଏହାର ସମ୍ପୂର୍ଣ୍ଣ ଭିଡ଼ିଓଗ୍ରାଫି କରାଯିବ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଇଭିଏମ୍‌ଗୁଡ଼ିକୁ କମିଶନିଂ କରିବା ପୂର୍ବରୁ ଲିଖିତ ଭାବେ କମିଶନିଂର ସ୍ଥାନ, ସମୟ ଓ ତାରିଖ ସମ୍ପର୍କରେ ସମସ୍ତ ପ୍ରାର୍ଥୀଙ୍କୁ ଜଣାଇ ଦିଆଯିବ । ଯାହାଫଳରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ କିମ୍ବା ତାଙ୍କର ପ୍ରାଧିକୃତ ପ୍ରତିନିଧିମାନେ ଇଭିଏମ୍ କମିଶନିଂ ସମୟରେ ଉପସ୍ଥିତ ରହିବେ । ଇଭିଏମ୍‌ଗୁଡ଼ିକର କମିଶନିଂ ପରେ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ବାଲାଟ୍ ୟୁନିଟ୍ ଓ କଣ୍ଟ୍ରୋଲ ୟୁନିଟ୍‌କୁ ସଂଯୋଗ କରି ନିର୍ଦ୍ଧାରିତ ବୁଥ୍ ପାଇଁ ଷ୍ଟ୍ରଙ୍ଗରୁମ୍‌ରେ ପ୍ରସ୍ତୁତ କରି ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଇଭିଏମ୍‌ଗୁଡ଼ିକୁ ଦୁଇଟି ଅଲଗା ଅଲଗା ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ । ବିଜ୍ଞାପିତ ଅଞ୍ଚଳ ପରିଷଦ/ମ୍ୟୁନିସିପାଲିଟିର କାଉନ୍‌ସିଲର ଓ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଗୋଟିଏ ଷ୍ଟ୍ରଙ୍ଗରୁମ୍ ଏବଂ ମହାନଗର ନିଗମର କର୍ପୋରେଟର ଓ ମେୟର ନିର୍ବାଚନ ନିମନ୍ତେ ଅନ୍ୟ ଗୋଟିଏ ଷ୍ଟ୍ରଙ୍ଗରୁମ୍‌ରେ ଇଭିଏମ୍‌ଗୁଡ଼ିକୁ ରଖାଯିବ । କେଉଁ ଷ୍ଟ୍ରଙ୍ଗରୁମ୍‌ରେ କେଉଁ ପ୍ରାର୍ଥୀମାନଙ୍କ ପାଇଁ ଇଭିଏମ୍ ରହିଛି, ଷ୍ଟ୍ରଙ୍ଗରୁମ୍ ବାହାରେ ସଠିକ୍ ଭାବେ ଚିହ୍ନିତ କରାଯିବ । ଅନ୍ୟ ଏକ ଷ୍ଟ୍ରଙ୍ଗରୁମ୍‌ରେ ଅବ୍ୟବହୃତ ଓ ଖରାପ ହୋଇଥିବା ଇଭିଏମ୍‌ଗୁଡ଼ିକୁ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସଂରକ୍ଷିତ ଷ୍ଟ୍ରଙ୍ଗରୁମ୍ ବାହାରେ ସଠିକ୍ ଭାବେ ଚିହ୍ନିତ କରାଯିବ । ଭୋଟଗ୍ରହଣ ପରେ ଇଭିଏମ୍ (ବାଲାଟ୍ ୟୁନିଟ୍ ଓ କଣ୍ଟ୍ରୋଲ ୟୁନିଟ୍‌)ଗୁଡ଼ିକୁ କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇ ଷ୍ଟ୍ରଙ୍ଗରୁମ୍ ଭିତରେ କ୍ରମିକ ସଂଖ୍ୟାନୁସାରେ ନିର୍ଦ୍ଦିଷ୍ଟ ବୁଥ୍ ନିମନ୍ତେ ଚିହ୍ନଟ ହୋଇଥିବା ବର୍ଗାକାର ଆକୃତି ମଧ୍ୟରେ ରଖାଯିବ । ଭୋଟଗ୍ରହଣ ପରେ ଇଭିଏମ୍‌ଗୁଡ଼ିକୁ ଷ୍ଟ୍ରଙ୍ଗରୁମ୍‌ରେ ରଖିବାର ୨୪ ଘଣ୍ଟା ପୂର୍ବରୁ ଷ୍ଟ୍ରଙ୍ଗରୁମ୍ ନିମନ୍ତେ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ ପାଇଁ ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିମାନଙ୍କୁ ଆଗୁଆ ଜଣାଇ ଦିଆଯିବ ଓ ସେମାନଙ୍କୁ ଷ୍ଟ୍ରଙ୍ଗରୁମ୍ ବାହାରେ ବ୍ୟବସ୍ଥା ହୋଇଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ରହିବାକୁ ଅନୁମତି ଦିଆଯବ । ଯଦି ଷ୍ଟ୍ରଙ୍ଗରୁମ୍‌ର ପ୍ରବେଶ ପଥ ଦୃଶ୍ୟମାନ ହେଉନଥିବ, ତାହାହେଲେ ସିସିଟିଭିର ବ୍ୟବସ୍ଥା କରାଯିବ । ଭୋଟଗଣତି ଶେଷ ହେବାପରେ କଣ୍ଟ୍ରୋଲ ୟୁନିଟ୍‌କୁ ସିଲ୍‌କରି କୋଷାଗାର/ଉପକୋଷାଗାରରେ ଥିବା ଷ୍ଟ୍ରଙ୍ଗରୁମ୍‌ରେ ରଖାଯିବ । କଣ୍ଟ୍ରୋଲ ୟୁନିଟ୍‌ଗୁଡ଼ିକୁ ନିର୍ବାଚନ ପିଟିସନ୍ ସମୟ ଅର୍ଥାତ୍ ଭୋଟଗଣତି ଓ ଫଳାଫଳ ଘୋଷଣାର ୪୫ ଦିନ ପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଭାବରେ ରଖିବା ନିମନ୍ତେ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ନର୍ଦ୍ଦେଶ ଦେଇଛନ୍ତି ।

nis-ad
Leave A Reply

Your email address will not be published.