ରାଜ୍ୟରେ ଖାଇବା ତେଲର ଅଭାବ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ରାଜ୍ୟରେ ଖାଇବା ତେଲର ଅଭାବ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ସଚିବ ଭି. ଭି ଯାଦବ । ଜିଲ୍ଲାରେ ଚାହିଦା ମୁତାବକ ଖାଇବା ତେଲ ଷ୍ଟକର ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିଲର ଓ ଷ୍ଟକିଷ୍ଟଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚୋରା ବେପାର ଓ ଅତ୍ୟଧିକ ମୂଲ୍ୟବୃଦ୍ଧି ରୋକିବା ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ୟୁକ୍ରେନ ଓ ରୁଷିଆ ଯୁଦ୍ଧ ପରିପେକ୍ଷୀରେ ଖାଇବା ତେଲ, ବିଶେଷ ଭାବେ ସୂର୍ଯ୍ୟମୁଖ୍ୟ ତେଲର ଆହେତୁକ ମୂଲ୍ୟବୃଦ୍ଧିର ଆଶଙ୍କା ରହିଛି। ତେଣୁ କୃତ୍ରିମ ସଙ୍କଟ ଏବଂ କଳାବଜାରୀ ରୋକିବା ସହ ଖାଇବା ତେଲର ଅନବରତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଅଛି।

ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଘମାଘୋଟା ଯୁଦ୍ଧ ପାଇଁ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ତୈଳ ଦର । ୟୁକ୍ରେନରେ ଯୁଦ୍ଧ ଯୋଗୁଁ ସୂର୍ଯ୍ୟମୁଖୀ ଓ ପାମୋଲିନ୍ ତେଲର ଅଭାବ ଦେଖାଦେଇଛି । ଯୁଦ୍ଧ ଯୋଗୁଁ ପାମୋଲିନ୍ ତେଲ ଲିଟର ପିଛା ୩୦ ଟଙ୍କା ବଢ଼ିଛି । ସେହିପରି ସନଫ୍ଲାଓ୍ୱାର ତେଲ ବି ଆକାଶ ଛୁଆଁ ରହିଛି । ତେବେ ବର୍ତ୍ତମାନ ରାଜ୍ୟରେ ଯେତିକି ତୈଳ ଗଚ୍ଛିତ ରହିଛି ତାହା ସପ୍ତାହକ ମଧ୍ୟରେ ସରିଯିବ । ଯଦି ବିଦେଶରୁ ତୈଳ ଆମଦାନୀ ନହୁଏ ତାହାଲେ ସ୍ଥିତି ସଙ୍ଗୀନ ହେବ । ଏଭଳି ସ୍ଥିତିରେ ପଦକ୍ଷେପ ନିଆନଗଲେ ଆସନ୍ତା ସପ୍ତାହକ ମଧ୍ୟରେ ତେଲ ଦର ୫୦ ଟଙ୍କା ବୃଦ୍ଧି ପାଇବ ବୋଲି ସୂଚନା ଦେଇଥିଲେ ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା ।

କେନ୍ଦ୍ର ସରକାର ଖାଇବା ତେଲ ଉପରେ ସଂଗ୍ରହ କରୁଥିବା ଆମଦାନୀ ଏବଂ ଅନ୍ୟାନ୍ୟ ଶୁଳ୍କ ଅତିକମରେ ସାମୟିକ ଭାବେ ହ୍ରାସ କରିବା ଉଚିତ। ନ ହେଲେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ଯାସର ଦରବୃଦ୍ଧି ସହ ଖାଇବା ତେଲର ଦରବୃଦ୍ଧି ଗରିବ, ଚାଷୀ, ମୁଲିଆ, ଖଟିଖିଆ ଏପରିକି ମଧ୍ୟବିତ୍ତ ପରିବାରଙ୍କ ପାଇଁ ଦୁର୍ବିସହ ହୋଇଯିବ।

ଅନ୍ୟପଟେ ରାଜ୍ୟରେ ଖାଇବା ତେଲର ଅଭାବକୁ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ । କଳାବଜାରୀ ରୋକିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାୟ ୮0% ସୂର୍ଯ୍ୟମୁଖୀ ତେଲ ୟୁକ୍ରେନ ଓ ଋଷରୁ ଆମଦାନୀ ହୋଇଥାଏ । ଯୋଗାଣ ନିଶ୍ଚିତ ଭାବେ ପ୍ରଭାବିତ ହେବ ଓ ଦରବୃଦ୍ଧିର ସମ୍ଭାବନା ଅଛି । କେନ୍ଦ୍ର ଆମଦାନୀ ଓ ଅନ୍ୟ ଶୁଳ୍କ ସାମୟିକ ଭାବେ ହ୍ରାସ କରିବା ଉଚିତ । ନଚେତ ଦରବୃଦ୍ଧି ମଧ୍ୟବିତ୍ତ ପରିବାରଙ୍କ ପାଇଁ ଦୁର୍ବିସହ ହୋଇଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ଭାରତରେ ବାର୍ଷିକ ୧ କୋଟି ୯୦ ଲକ୍ଷ ଟନ୍ ଖାଇବା ତେଲର ଆବଶ୍ୟକତା ରହିଛି । ସେଥିରୁ ୭୪ ଲକ୍ଷ ମେଟ୍ରିକ୍ ଟନ୍ ସୂର୍ଯ୍ୟମୁଖୀ ତେଲ ଭାରତ ୟୁକ୍ରେନରୁ ଆମଦାନୀ କରିଥାଏ । ଯୁଦ୍ଧ ଲାଗି ରହିଥିବାରୁ ଯୁକ୍ରେନରୁ ତେଲ ଆସିବା ବନ୍ଦ ହୋଇଛି । ଓଡ଼ିଶାରେ ବାର୍ଷିକ ୬ ଲକ୍ଷ ମେଟ୍ରିକ ଟନ୍ ଖାଇବା ତେଲର ଚାହିଦା ଥିବାବେଳେ, ସେଥିରୁ ୨୫ ପ୍ରତିଶତ ସୂର୍ଯ୍ୟମୁଖୀ ତେଲ ଲୋକେ ବ୍ୟବହାର କରିଥାନ୍ତି ।

nis-ad
Leave A Reply

Your email address will not be published.