ଏମ୍ସରେ ବାର୍ଦ୍ଧକ୍ୟ ରୋଗ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍‌

ଭୁବନେଶ୍ୱର : ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି ଏମ୍ସ ଭୁବନେଶ୍ୱର। ବାର୍ଦ୍ଧକ୍ୟ ରୋଗଜନିତ ଚିକିତ୍ସା ନିମନ୍ତେ ଏମ୍ସର ମେଡିସିନ୍‌(ଭେଷଜ) ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କ୍ଲିନିକ୍‌ ସେବା ଆରମ୍ଭ କରାଯାଇଛି। ଏହା ସପ୍ତାହର ପ୍ରତି ମଙ୍ଗଳବାର ଅପରାହ୍ନ ୨ ଟାରୁ ୫ ଟା ପର୍ଯ୍ୟନ୍ତ ସେବା ଯୋଗାଇବ।

ବିଭାଗର ଅତିରିକ୍ତ ପ୍ରଫେସର ଡା. ରଶ୍ମି ରଞ୍ଜନ ମହାନ୍ତି ଏହି କ୍ଲିନିକର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଇବେ। ଏ ସମ୍ପର୍କରେ ଡା. ମହାନ୍ତି କହିଛନ୍ତି, ଏହି କ୍ଲିନିକ ବାର୍ଦ୍ଧକ୍ୟଜନିତ ରୋଗର ସାମଗ୍ରିକ ଚିକିତ୍ସା କ୍ଷେତ୍ରରେ ବିଶେଷ ସହାୟକ ହେବ। ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବାକୁ ଆଦୌ ଅଣଦେଖା କରିବା ଉଚିତ୍‌ ନୁହେଁ ବୋଲି କୋଭିଡ୍‌ ମହାମାରୀ ସମୟରେ ଏହା ସ୍ପଷ୍ଟ ହୋଇଛି। ୨୦୩୧ ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ପ୍ରାୟ ୧୩.୧ ପ୍ରତିଶତ ବରିଷ୍ଠ ନାଗରିକଙ୍କ ଦ୍ବାରା ପୂର୍ଣ୍ଣ ହେବ। ତେଣୁ ସେମାନଙ୍କ ଚିକିତ୍ସା ତଥା ସ୍ବାସ୍ଥ୍ୟସେବାକୁ ଏମ୍ସ ଭୁବନେଶ୍ୱର ଗୁରୁତ୍ୱର ସହିତ ନେଇ ଏପରି ସେବା ଆରମ୍ଭ କରିଛି। ଏହି କ୍ଲିନିକ୍‌ ମାଧ୍ୟମରେ ବରିଷ୍ଠ ନାଗରିକଙ୍କ ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, କୋଷ୍ଠକାଠିନ୍ୟ, ସିଓପିଡି, ହୃଦ୍‌ଜନିତ, ବୃକ୍‌କ ଏବଂ ମାନସିକ ରୋଗ ଭଳି ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ଡା. ମହାନ୍ତି ସୂଚନା ଦେଇଛନ୍ତି।

ଏହି ଅବସରରେ ଜେରିଆଟ୍ରିକ୍‌ ଯତ୍ନର ବିଭିନ୍ନ ଦିଗ ଉପରେ ଆଲୋଚନା ପାଇଁ ଏକ ୱେବିନାର ଆୟୋଜନ କରାଯାଇଥିଲା। କ୍ରମବର୍ଦ୍ଧିଷ୍ଣୁ ସହରୀକରଣ ଓ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ବାର୍ଦ୍ଧକ୍ୟଜନିତ ରୋଗର ଚିକିତ୍ସା କ୍ଷେତ୍ରରେ ଏକ ପ୍ରମୁଖ ଆହ୍ବାନ ପାଲଟିଛି। ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ଜେରିଆଟ୍ରିକ୍‌ କେୟାର କ୍ଲିନିକ୍‌ ଆରମ୍ଭ ହେବା ଦ୍ବାରା ରାଜ୍ୟବାସୀଙ୍କ ପାଇଁ ନିହାତି ଉତ୍ସାହଜନକ ବୋଲି ବିଶିଷ୍ଟ ଚିକିତ୍ସକ ତଥା ଏମ୍ସ ଦିଲ୍ଲୀ ଜେରିଆଟ୍ରିକ୍‌ ବିଭାଗର ପ୍ରତିଷ୍ଠାତା ପ୍ରଫେସର ଡା. ଏ.ବି. ଦେ କହିଛନ୍ତି। ଏମ୍ସ ଭୁବନେଶ୍ୱର ମେଡିସିନ ବିଭାଗର ଡା. ଅନୁପମା ବେହେରା ଓ ଡା. ଧୃତୀ ସୁନ୍ଦର ଦାଶ ମଧ୍ୟ ଏହି ସ୍ବତନ୍ତ୍ର କ୍ଲିନିକରେ କାର୍ଯ୍ୟ କରିବେ ବୋଲି ସୂଚନା ଦିଆଯାଇଛି।

nis-ad
Leave A Reply

Your email address will not be published.