୨୪ତମ କଳିଙ୍ଗ ପୁସ୍ତକ ମେଳା ସ୍ମୃତି ସ୍ମାରକୀ ପୁରସ୍କାର ଘୋଷଣା

ଭୁବନେଶ୍ୱର: ୨୪ତମ “କଳିଙ୍ଗ ପୁସ୍ତକ ମେଳା” ଚଳିତ ମାର୍ଚ୍ଚ ମାସ ୧୭ ତାରିଖ ସଂଧ୍ୟା ୬ଟା ବେଳେ ଜୟଦେବ ଭବନ ଠାରେ ପୁରସ୍କାର ବିତରଣ ଉତ୍ସବ ପାଳନ କରାଯିବ । ଏହି ଉତ୍ସବରେ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡଃ. ହୃଷିକେଶ ମଲ୍ଲିକ, ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ମୁଖ୍ୟବକ୍ତା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଧେଶକ ରଞ୍ଜନ କୁମାର ଦାସ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିବେ ।

ଏହି ସମାରୋହରେ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ବିଭାଗରେ ନିରବଚ୍ଛିନ୍ନ ଭାବେ ସାରସ୍ୱତ ସାଧନା କରୁଥିବା ୧୦ଜଣ ଲବ୍ଧ ପ୍ରତିଷ୍ଠିତ ସାହିତି୍ୟକଙ୍କୁ ସାମଗ୍ରୀକ ସାହିତ୍ୟ କୃତି ଓ ସେମାନଙ୍କ ପ୍ରକାଶିତ ପୁସ୍ତକକୁ ଆଧାର କରି ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ପୁରସ୍କାର ପ୍ରଦାନ କରାଯିବ । ତା ସହ ଜଣେ ସମାଜସେବୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ । ପଂଚାନନ କାନୁନଗୋଙ୍କ ଦ୍ୱାରା ଲିଖିତ ଉପନ୍ୟାସ “ମହାକାଳ”, ପ୍ରବନ୍ଧରେ ଡ଼ଃ. ଦେବେନ୍ଦ୍ର ନାଥ ମାନସିଂହଙ୍କ “କୋଭିଡ଼-୧୯”, ଗୀତିକବିତାରେ ଡ଼ଃ. କିଶୋର ମହାନ୍ତିଙ୍କ ରଚିତ “ଜହ୍ନ ରାତିର ଗୀତି”, କ୍ଷୁଦ୍ରଗଳ୍ପ ବିଭାଗରେ ଶାନ୍ତନୁ କୁମାର ନାୟକ “ଅବତୀର୍ଣ୍ଣ” ପୁସ୍ତକ, ବ୍ୟଙ୍ଗରେ ମନୋରମା ସାହୁଙ୍କ “ନିଶ ନିଉଜ”, କବିତାରେ ସୁଶୀଲ କୁମାର ପାଣିଗ୍ରାହୀଙ୍କ “ରେସ୍ ର ଅନ୍ତିମ ଘୋଡ଼ା”, ଶିଶୁ ସାହିତ୍ୟରେ କବିତା ସୁଧା ପଟ୍ଟନାୟକଙ୍କ ଲିଖିତ ପୁସ୍ତକ “ପେଟପୁରା”, ଅନୁବାଦ ବିଭାଗରେ ଜୟଶ୍ରୀ ଦାସଙ୍କ “ପେଟ” ପୁସ୍ତକ, ଧର୍ମ ପୁସ୍ତକରେ ଦେବେନ୍ଦ୍ର ନାଥ ଦାଶଙ୍କ “ରାମକଥା”, ଶିଶୁ ଗଳ୍ପରେ ଡ଼ଃ. ହେମନ୍ତକୁମାର ଛୋଟରାୟଙ୍କ ଲିଖିତ ପୁସ୍ତକ “ପିଲାଙ୍କ ଆଦିବାସୀ ଲୋକ କାହାଣୀ”, ନାଟକରେମେଜର ଡ଼ଃ. ସୁମିତ୍ରା ମିଶ୍ରଙ୍କ “ବିସ୍ଥାପନ”, ସମାଜସେବୀ ଗୀତାଞ୍ଜଳୀ ପଣ୍ଡାଙ୍କୁ ସର୍ବଶ୍ରେଷ୍ଠ ପୁରସ୍କାର କଳିଙ୍ଗ ପୁସ୍ତକମେଳା ଶ୍ରେଷ୍ଠ କୃତିଭାବେ ଚଳିତ ବର୍ଷ ପୁରସ୍କୃତ ହେବା ନିମନ୍ତେ ବିଚାରକ ମଣ୍ଡଳୀ ଦ୍ୱାରା ଚୟନ କରାଯାଇଛି । ସାରସ୍ୱତ ମଂଚର ନିମନ୍ତ୍ରିତ ଅତିଥି, ସାରସ୍ୱତ ସାଧକ, ବୁଦ୍ଧିଜୀବି, ପାଠକ, ଲେଖକମାନଙ୍କ ଉପସ୍ଥିତିରେ ଆୟୋଜିତ ବାର୍ଷିକ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି “କଳିଙ୍ଗ ପୁସ୍ତକ ମେଳା” କମିଟିର ସମ୍ପାଦିକା ରେଣୁକା ମିଶ୍ର ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.