ସିଏନଜି ପମ୍ପରେ ବଡ଼ ଅଘଟଣ, ଗୋଟିଏ ରାତିରେ ୩ ଜଣଙ୍କୁ ହତ୍ୟା

ଗୁରଗାଓଁ: ଗୋଟିଏ ରାତିରେ ୩ ଜଣଙ୍କୁ ଛୁରୀ ଭୁସି ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଦିଲ୍ଲୀ-ଗୁରଗାଓଁ ଏକ୍ସପ୍ରେସ ୱେରେ ଥିବା ସିଏନଜି ପମ୍ପରେ ଏପରି ଘଟଣା ଘଟିଛି। ଏହି ୩ ଜଣଙ୍କୁ ମିଶାଇ ଗୋଟିଏ ସପ୍ତାହ ମଧ୍ୟରେ ଏଠାରେ ୫ ଜଣଙ୍କୁ ହତ୍ୟା କରାଗଲାଣି।
ପୁଲିସ୍‌ କହିଛି ଯେ ସେକ୍ଟର ୩୧ ନିକଟରେ ଏହି ସିଏନଜି ପମ୍ପରେ ଲାଗିଥିବା ସିସିଟିଭି ହତ୍ୟାକାଣ୍ଡର କିଛି ଘଣ୍ଟା ପୂର୍ବରୁ ହିଁ ଅଚଳ ହୋଇଥିଲା। ସେହିପରି ହତ୍ୟାକାରୀମାନେ କୌଣସି ଟଙ୍କା ନେଇ ନାହାନ୍ତି। ତେଣୁ ହତ୍ୟାକାରୀମାନେ ଭଲ ଭାବେ ସ୍ଥାନୀୟ ଅଞ୍ଚଳର ସ୍ଥିତି ବିଷୟରେ ଜାଣିଥିଲେ ଓ ପୂର୍ବ ଶତ୍ରୁତାକୁ ନେଇ ଏହା ଘଟିଥାଇ ପାରେ। ତଥାପି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଥିବା ପୁଲିସ୍‌ କହିଛି।
ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୩ଟା ବେଳେ ଜଣେ ବ୍ୟକ୍ତି ରକ୍ତାକ୍ତ ଅବସ୍ଥାରେ ସିଏନଜି ପମ୍ପ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେହି ସ୍ଥାନରେ ସେ ଟଳି ପଡ଼ିଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା।
ହେଲେ ସେତେବେଳକୁ ସିଏନଜି ପମ୍ପ ନିକଟରେ ଥିବା ରୁମରୁ ଆଉ ୨ଟି ମୃତଦେହ ଠାବ କରିଥିଲା। ସମସ୍ତଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ତେଣୁ ସେମାନଙ୍କୁ ବାରମ୍ବାର ଛୁରୀ ଭୁସା ଯାଇଥିବା ପୁଲିସ୍ ଜାଣିବାକୁ ପାଇଛି।
ଘଟଣାରେ ପେଟ୍ରୋଲ ପମ୍ପ ମ୍ୟାନେଜର ପୁଷ୍ପେନ୍ଦ୍ର, ଅପରେଟର ଭୁପେନ୍ଦର କୁମାର ଓ ତେଲ ଭର୍ତ୍ତି କରୁଥିବା ନରେଶ କୁମାରଙ୍କ ମୃତ୍ୟୁ ଘଟିଛି। ଭୁପେନ୍ଦରଙ୍କ ଭାଇ କହିଛନ୍ତି ପରିବାର ଲୋକ ସକାଳେ ଫୋନ କଲ ପାଇ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିଥିଲେ। ଏହି ସମୟରେ ସେମାନେ ଭୁପେନ୍ଦରଙ୍କ ମୃତଦେହ ଦେଖିଥିଲେ। ପୁଲିସ ସେମାନଙ୍କୁ ଘଟଣା ସମ୍ପର୍କରେ କିଛି କହୁ ନଥିବାରୁ ସେମାନେ ବ୍ୟସ୍ତବିବ୍ରତ ମଧ୍ୟରେ ରହିଛନ୍ତି। ଏହାପୂର୍ବରୁ ଗୁରଗାଓଁର ପଟୌଦି ସବଡିଭିଜନରେ ୨ ଭାଇଙ୍କୁ ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଗୁଳି କରିଥିଲେ।

nis-ad
Leave A Reply

Your email address will not be published.