ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ପାଇଁ ଗାଇଡ୍‌ଲାଇନ୍‌ ଜାରି

ଭୁବନେଶ୍ବର : ରାଜ୍ୟରେ ଗତକାଲି ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଶେଷ ହୋଇଛି । ଆଉ ଦୁଇଟି ପର୍ଯ୍ୟାୟ ମତଦାନ ପରେ ରାଜ୍ୟରେ ଶେଷ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହାପରେ ଫେବୃଆରୀ ୨୬ରୁ ଆରମ୍ଭ ହେବ ଭୋଟ ଗଣତି। ଫେବୃଆରୀ ୨୬ରୁ ୨୮ ତାରିଖ ଯାଏଁ ୩ ଦିନ ଭୋଟ ଗଣତି ହେବ। ତେବେ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ନେଇ ଏବେ ଆସିଛି କୋଭିଡ୍ ଗାଇଡଲାଇନ୍।

ପୂର୍ବରୁ ଜାନୁଆରୀ ମାସରେ ଭୋଟ ଗଣତି ପାଇଁ ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ଭୋଟ ଗଣତି କଟକଣାରେ ମଧ୍ୟ କୋହଳ କରିଛନ୍ତି। ଏହାପୂର୍ବରୁ ଜାନୁଆରୀ ମାସରେ ଭୋଟ ଗଣତି ପାଇଁ ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ଗାଇଡଲାଇନରେ ଭୋଟ୍ ଗଣନା ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଗଣନା କେନ୍ଦ୍ରରେ ପ୍ରବେଶ କରୁଥିବା ଏଜେଣ୍ଟଙ୍କର କୋଭିଡ ଟେଷ୍ଟ ରିପୋର୍ଟକୁ ବାଧ୍ୟତାମୂଳକ ଥିଲା। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶନାମା ଜାରି କରିଥିଲେ। ସଂପୂର୍ଣ୍ଣ ଟିକାକରଣ ହୋଇଥିଲେ ମଧ୍ୟ ସେମାନଙ୍କୁ ପରୀକ୍ଷା ପାଇଁ ଯିବାକୁ କୁହାଯାଇଥିଲା। କିନ୍ତୁ ଏବେ ରାଜ୍ୟରେ କୋଭିଡ ମାମଲା ହ୍ରାସ ପାଇବା କାରଣରୁ ରାଜ୍ୟ ନିର୍ବାଚନ କମିଶନଙ୍କ ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଗଣନା କେନ୍ଦ୍ରରେ ପ୍ରବେଶ କରୁଥିବା ସମସ୍ତ ବ୍ୟକ୍ତିଙ୍କର ଥର୍ମାଲ୍ ସ୍କାନ୍ କରାଯିବ। କିନ୍ତୁ ଗଣନା କେନ୍ଦ୍ର ଭିତରେ କେବଳ ଦୁଇଥର ଡବଲ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଅନୁମତି ଦିଆଯିବ। ଏତଦବ୍ୟତୀତ ଯେଉଁମାନଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯାଉଛି, ସେମାନଙ୍କୁ କେନ୍ଦ୍ର ଭିତରେ ଅନୁମତି ଦିଆଯିବ ନାହିଁ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଆସନ୍ତା ୨୪ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ହେବ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତୃ୍ତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ସମସ୍ତ ଭୋଟବାକ୍ସକୁ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଚଳିତ ପଞ୍ଚାୟତ ନିର୍ବାଚନ ସମୟରେ ଯେହେତୁ ବିଭିନ୍ନ ସ୍ଥାନରୁ ହିଂସାକାଣ୍ଡର ଖବର ସାମ୍ନାକୁ ଆସିଛି ତେଣୁ ଭୋଟ ଗଣତି ସମୟରେ ସୁରକ୍ଷାବ୍ୟବସ୍ଥା କିପରି କଡାକଡି ରହିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।

nis-ad
Leave A Reply

Your email address will not be published.