ସମାଜବାଦୀ ପାର୍ଟି(ସପା) ଓ କଂଗ୍ରେସ ଉପରେ ବର୍ଷିଲେ ମୋଦି

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଚାର କରି ସମାଜବାଦୀ ପାର୍ଟି(ସପା) ଓ କଂଗ୍ରେସ ଉପରେ ବର୍ଷିଛନ୍ତି। ଏହି ଦୁଇ ଦଳ ଆତଙ୍କବାଦ ପ୍ରସଙ୍ଗରେ ନରମ ଭାବ ପୋଷଣ କରିଥିବା ସେ ଅଭିଯୋଗ କରିଛନ୍ତି।
୨୦୦୮ ଅହମଦାବାଦ ସିରିଜ ବୋମା ବିସ୍ଫୋରଣ ଘଟଣା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି କିଛି ଦଳ ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ଦେଖାଇଥିବା ମୋଦି କହିଛନ୍ତି। ଏହି ସିରିଜ୍‌ ବିସ୍ଫୋରଣରେ ୫୬ ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଅଖିଲେଶ ଯାଦବଙ୍କ ସପା ଉତ୍ତର ପ୍ରଦେଶରେ ବିଜେପିର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ। ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ମୋଦି ଉଭୟ ସପା ଓ କଂଗ୍ରେସକୁ ଆତଙ୍କବାଦ ପ୍ରସଙ୍ଗରେ ଘେରିବାକୁ ଚେଷ୍ଟା କରିଛନ୍ତି।
ରାଜ୍ୟର ହାର୍ଡୋଇରେ ଆୟୋଜିତ ଏକ ରାଲିରେ ଯୋଗଦେଇ ପୂର୍ବରୁ ଉତ୍ତର ପ୍ରଦେଶରେ କ୍ଷମତାରେ ଥିବା ସରକାର ଆତଙ୍କବାଦୀଙ୍କ ବିରୋଧରେ ରୁଜୁ ମାମଲାକୁ ପ୍ରତ୍ୟାହାର କରିଥିବା ପ୍ରଧାନମନ୍ତ୍ରୀ ମୋଦି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ସମାଜବାଦୀ ପାର୍ଟି ଓ କଂଗ୍ରେସ ନେତାମାନଙ୍କର ବ୍ୟବହାର ଅଧିକ ଆଶ୍ଚର୍ଯ୍ୟ ଓ ଚିନ୍ତାଜନକ। ଏହି ଲୋକମାନେ ଓସାମା ଭଳି ଆତଙ୍କବାଦୀକୁ ସମ୍ବୋଧନ କରିବାକୁ ଜୀ ଶବ୍ଦର ବ୍ୟବହାର କରୁଛନ୍ତି।
ବାଟଲା ହାଉସ ଏନକାଉଣ୍ଟରରେ ନିହତ ଆତଙ୍କବାଦୀମାନଙ୍କ ପାଇଁ ଏମାନେ ଲୁହ ଝରାଇବାକୁ ମଧ୍ୟ ପଛାଇ ନଥିଲେ। ସେହିପରି ୧୪ଟି ହମଲାରେ ଆତଙ୍କବାଦୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ମଧ୍ୟ ସମାଜବାଦୀ ସରକାର ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲା।
ଏହି ଆତଙ୍କବାଦୀମାନେ ବିସ୍ଫୋରଣ ପରେ ବିସ୍ଫୋରଣ କରି ଚାଲିଥିଲେ। ହେଲେ ସମାଜବାଦୀ ସରକାର ଆତଙ୍କବାଦୀଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ମଧ୍ୟ ସାମିଲ କରିବାକୁ ଆଗ୍ରହ ଦେଖା ନଥିଲା।”
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, “ନିଜର ରାଜନୀତିକ ଫାଇଦା ପାଇଁ ଯେଉଁମାନେ ଆମ ପର୍ବପର୍ବାଣୀକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି, ସେମାନେ ମାର୍ଚ୍ଚ ୧୦ରେ ଉତ୍ତର ପ୍ରଦେଶବାସୀଙ୍କ ଠାରୁ ଉଚିତ ଜବାବ ପାଇବେ। ଦେଶୀ ବନ୍ଧୁକ ବ୍ୟବହାରକାରୀଙ୍କୁ କେମିତି ସମାଜବାଦୀ ପାର୍ଟି ସରକାର ଖୋଲା ଛାଡ଼ି ଦେଇଥିଲା, ସେକଥା ସ୍ଥାନୀୟ ଲୋକମାନେ ମନେରଖିଛନ୍ତି।
ହାର୍ଡୋଇର ଲୋକମାନେ ସେଦିନଗୁଡ଼ିକୁ କେବେ ହେଲେ ଭୁଲି ନାହାନ୍ତି। ସତ୍ତା(କ୍ଷମତା)ରେ ଥିବା ଲୋକମାନେ କଟ୍ଟା(ଦେଶୀ ବନ୍ଧୁ)ର ବ୍ୟବହାର କରିବାକୁ ଅନୁମତି ଦେଉଥିଲେ। ଏସବୁର ହିସାବ ମାର୍ଚ୍ଚ ୧୦ରେ ସାମ୍ନାକୁ ଆସିବ।”
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ମୋଟ ୭ଟି ପର୍ଯ୍ୟାୟରେ ୪୦୩ ବିଧାନସଭା ଆସନ ପାଇଁ ଭୋଟିଂ ହେବ। ମାର୍ଚ୍ଚ ୧୦ରେ ଭୋଟ ଗଣତି ସହ ଫାଳଫଳ ପ୍ରକାଶ ପାଇବ।

nis-ad
Leave A Reply

Your email address will not be published.