ଗଞ୍ଜାମ ଜିଲ୍ଲାରେ ୧୧ ଗୋଟି ସହରାଞ୍ଚଳ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା କେନ୍ଦ୍ର ପ୍ରତିଷ୍ଠା ହେବ

ଛତ୍ରପୁର (୧୯/୦୨) : ସହରାଞ୍ଚଳ ଗୁଡିକରେ ବିଦ୍ୟମାନ ଉଚ୍ଚ ପ୍ରାଥମିକ ଚିକିତ୍ସା କେନ୍ଦ୍ର (UPHC) ଗୁଡିକ ସ୍ତରରୁ ବିସ୍ତୃତ ପ୍ରାଥମିକ ସ୍ବାସ୍ଥ୍ୟସେବାକୁ ବିକେନ୍ଦ୍ରୀକରଣ କରିବା ଯୋଜନା କରାଯାଉଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଜ୍ଞାପିତ ଅଞ୍ଚଳ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ, ଆସ୍କା ବିଜ୍ଞାପିତ ଅଞ୍ଚଳ, ପୋଲସରା ବିଜ୍ଞାପିତ ଅଞ୍ଚଳ ଏବଂ କୋଦଳା ବିଜ୍ଞାପିତ ଅଞ୍ଚଳ ଗୁଡିକରେ ଗୋଟିଏ ଲେଖାଏଁ ସହରାଞ୍ଚଳ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା କେନ୍ଦ୍ର(Urban Health & Wellness Centre) ପ୍ରତିଷ୍ଠା ହେବ । ସେହିପରି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଆଙ୍କୁଲି ଡିସପେନସାରୀ, ମିନାକ୍ଷୀ ସାହି ଏବଂ ଇନ୍ଦିରା ସାହି, ଆମ୍ବପୁଆ ଗ୍ରାମରେ ଗୋଟିଏ ଲେଖାଏଁ ଏହିଭଳି ୬ ଗୋଟି ସହରାଞ୍ଚଳ ଏବଂ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବ । ଏଥି ସକାଶେ ଶନିବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଜୁମ୍ ଆଭାସୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ପ୍ରତିଷ୍ଠା ହେବାକୁଥିବା ଏହି ୧୧ ଗୋଟି ସହରାଞ୍ଚଳ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା କେନ୍ଦ୍ର ଘରଭଡା ନେଇ କାର୍ଯ୍ୟକ୍ଷମ ହେବ । ଏହି କେନ୍ଦ୍ର ମାନଙ୍କରେ ସକାଳ ୮ ଘ. ଠାରୁ ପୂର୍ବାହ୍ନ ୧୧ ଘ. ଏବଂ ସଂଧ୍ୟା ୫ ଘ. ଠାରୁ ରାତ୍ର ୮ ଘ. ପର୍ଯ୍ୟନ୍ତ ବହିଃବିଭାଗ ଚିକିତ୍ସା ସୁବିଧା ଜନ ସାଧାରଣଙ୍କୁ ଯୋଗାଇ ଦିଆଯିବ । ନିରାମୟ ଯୋଜନାରେ ଔ‘ଷଧ ବିତରଣ, ପରୀକ୍ଷାଗାର, ଟେଲିମେଡିସିନ୍ ସେବା, ଫିଜିଓଥେରାପି ସେବା, ଯୋଗ ସେବା ପ୍ରଭୃତି ଯୋଗାଇ ଦିଆଯିବ । ଗୋଟିଏ UHWC ନିମନ୍ତେ ବାର୍ଷିକ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଯୋଜନା ରହିଛି । ଏହି କାର୍ଯ୍ୟର ପରିଚାଳନା ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ କମିଶନର ଏବଂ ସଂପୃକ୍ତ ଅଞ୍ଚଳର କାର୍ଯ୍ୟ ନିର୍ବାହୀ ଅଧିକାରୀଗଣ ନିର୍ଦ୍ଧାରୀତ ସମୟସୁଦ୍ଧା ଚିହ୍ନଟ କରି UHWC ଗୁଡିକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଦିଗରେ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।
ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନ୍ ର ଜିଲ୍ଲା ଯୋଜନା ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ UHWC ଗୁଡିକ କିଭଳି ଯୋଜନାବଦ୍ଧ ଭାବରେ ପ୍ରସ୍ତୁତ ହୋଇ କାର୍ଯ୍ୟକ୍ଷମ ହେବ ସେହି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ବର ବଳୀରାମ ବୋନ୍ଦାର, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜିଲ୍ଲା ଟାସ୍କଫୋର୍ସର ସମସ୍ତ ସଭ୍ୟା ଓ ସଭ୍ୟଗଣ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.