ଅହମଦାବାଦ ସିରିଜ୍‌ ବୋମା ବିସ୍ଫୋରଣ : ୩୮ ଜଣଙ୍କୁ ମିଳିଲା ଫାଶୀଦଣ୍ଡ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୨୦୦୮ ମସିହା ଗୁଜରାଟର ଅହମଦାବାଦ ସିରିଜ୍‌ ବୋମା ବିସ୍ଫୋରଣରେ ବଡ଼ ରାୟ ଆସିଛି। ଏହି ସିରିଜ୍‌ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪୯ ଜଣଙ୍କ ମଧ୍ୟରୁ ୩୮ ଜଣଙ୍କୁ ଆଜି ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅହମଦାବାଦର ସ୍ୱତନ୍ତ୍ର କୋର୍ଟ ରାୟ ଶୁଣାଇବା ବେଳେ ବୋମା ବିସ୍ଫୋରଣ ପୀଡ଼ିତଙ୍କ ପାଇଁ ମଧ୍ୟ କ୍ଷତିପୂରଣ ଘୋଷଣା କରିଛନ୍ତି।
ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୧ ଲକ୍ଷ, ଗୁରୁତର ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତମାନଙ୍କୁ ୨୫ ହଜାର ଟଙ୍କା ଲେଖାଏ ଦେବାକୁ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ବର୍ଷ ଫେବୃଆରୀ ୮ରେ ସମସ୍ତ ୪୯ ଜଣ ସିରିଜ୍ ବୋମା ବିସ୍ଫୋରଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ସମୟରେ ୨୮ ଜଣଙ୍କୁ ନିର୍ଦ୍ଦୋଷ ଖଲାସ କରାଯାଇଥିଲା। ସ୍ପେଶାଲ କୋର୍ଟ ଦୀର୍ଘ ୧୩ ବର୍ଷ ହେଲା ମାମଲାର ଶୁଣାଣି କରି ରାୟ ଦେଇଛନ୍ତି।
ଅହମଦାବାଦ ସିରିଜ୍ ବୋମା ବିସ୍ଫୋରଣ ଘଟଣାରେ ମୋଟ ୭୮ ଜଣ ଅଭିଯୁକ୍ତ ଥିଲେ। ପରବର୍ତ୍ତୀ ଅବସ୍ଥାରେ ଜଣେ ଅଭିଯୁକ୍ତ ସରକାରୀ ସାକ୍ଷୀ ବନି ଯାଇଥିଲେ। ଏଥିଯୋଗୁ ୭୭ ଜଣ ଅଭିଯୁକ୍ତଙ୍କ ଉପରେ ଶୁଣାଣି ହୋଇଥିଲା। ୧୩ ବର୍ଷର ଶୁଣାଣି ସମୟରେ ମୋଟ ୧୧୬୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ତଦନ୍ତକାରୀ ଏଜେନ୍ସି ୬ ହଜାରରୁ ଅଧିକ ପ୍ରମାଣ ଭିତ୍ତିକ ସାମଗ୍ରୀ କୋର୍ଟରେ ଉପସ୍ଥାପନ କରାଯାଇଥିଲା।
ଫେବୃଆରୀ ୮ରେ ସ୍ପେଶାଲ କୋର୍ଟ ବିଚାରପତି ଅମ୍ବାଲାଲ ପଟେଲ ୬,୭୫୨ ପୃଷ୍ଠା ବିଶିଷ୍ଟ ରାୟରେ ୪୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ସମୟରେ ପ୍ରମାଣ ଅଭାବରୁ ୨୮ ଜଣଙ୍କୁ ମୁକ୍ତ କରାଯାଇଥିଲା। ପ୍ରଥମଥର ପାଇଁ ଦେଶରେ ୪୯ ଜଣଙ୍କୁ ଏକକାଳୀନ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଦୋଷୀ ସାବ୍ୟସ୍ତ କରାଯିବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା। ସମସ୍ତଙ୍କ ବିରୋଧରେ ୩୦୨ ଓ ୟୁଏପିଏ ଲାଗିଛି।
ସୂଚନାଯୋଗ୍ୟ, ୨୦୦୮ ମସିହା ଜୁଲାଇ ୨୬ ତାରିଖ ସନ୍ଧ୍ୟା ୬ଟା ୪୫ରେ ଅହମଦାବାଦରେ ପ୍ରଥମ ବିସ୍ଫୋରଣ ହୋଇଥିଲା। ମଣିନଗରରେ ହୋଇଥିବା ପ୍ରଥମ ଧମାକା ପରେ ଚାରିଆଡ଼େ ଆତଙ୍କ ଖେଳି ଯାଇଥିଲା। ତେବେ କେହି କିଛି ବୁଝିବା ଆଗରୁ ଆଗାମୀ ୭୦ ମିନିଟ୍‌ ମଧ୍ୟରେ ଆଉ ୨୦ଟି ବୋମା ବିସ୍ଫୋରଣ ହୋଇଥିଲା।
ଏଥିରେ ୫୬ ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୦୦୨ ମସିହା ଗୋଧ୍ରା ଟ୍ରେନ ପୋଡ଼ି ଘଟଣାର ବଦଲା ନେବାକୁ ଇଣ୍ଡିଆନ ମୁଜାହିଦ୍ଦିନ ଏପରି କାଣ୍ତ ଘଟାଇଥିବା ଦାବି କରିଥିଲା।

nis-ad
Leave A Reply

Your email address will not be published.