ମୋଦି ସରକାର ଯିବା ପୂର୍ବରୁ ସାରାଦେଶକୁ ଘରୋଇକରଣ କରିଦେବେ – ଅଖିଳେଶ

ଲକ୍ଷ୍ନୌ ୧୭।୨: ବିଧାନସଭା ନିର୍ବାଚନ ଲାଗି ଉତ୍ତରପ୍ରଦେଶ ରାଜନୀତି ଏବେ ପଡଉଠ ହେଉଛି। ରାଜ୍ୟରେ ଦୁଇ ପର୍ଯ୍ୟାୟ ମତଗ୍ରହଣ ସରିଥିବା ବେଳେ ବାକି ପର୍ଯ୍ୟାୟମାନଙ୍କରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ରାଜନୈତିକ ଦଳମାନେ ଲାଗିପଡିଛନ୍ତି। ଏଥିରେ ଆରୋପ ଓ ପ୍ରତ୍ୟାରୋପର ପର୍ବ ମଧ୍ୟ ଜାରି ରହିଛି। ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ କେନ୍ଦ୍ରର ମୋଦି ସରକାର ଓ ତାଙ୍କ ଯୋଜନାକୁ ନେଇ ଭୋଟରଙ୍କ ଆଗରେ ପ୍ରଶ୍ନ ଉଠାଇଛନ୍ତି।
ଫିରୋଜାବାଦ ରାଲିରେ ଅଖିଳେଶ ପ୍ରଧାନମନ୍ତ୍ରୀଙ୍କ ସ୍ଲିପର ଚପଲ ପିନ୍ଧା ଲୋକର ବିମାନ ଯାତ୍ରା ମନ୍ତବ୍ୟକୁ ପ୍ରସଙ୍ଗ କରିଛନ୍ତି। ଦେଶରେ ମୋଦି ସରକାର ଆସିବା ଦିନରୁ ସରକାରୀ ସମ୍ପତ୍ତିକୁ ଯେଉଁପରି ବିକିବାରେ ଲାଗିଛନ୍ତି ଏଥିରୁ ସରକାର ଯିବା ପୂର୍ବରୁ ପୁରା ଦେଶର ପ୍ରାଇଭେଟାଇଜେସନ ହୋଇସାରିଥିବ ବୋଲି ଅଖିଳେଶ କହିଛନ୍ତି। ଯଦି ସବୁକିଛି ଘରୋଇ ହାତକୁ ଚାଲିଯିବ ତେବେ ଆପଣମାନଙ୍କ ଲାଗି ସମ୍ବିଧାନରେ ଥିବା ଆରକ୍ଷଣ ବ୍ୟବସ୍ଥାର କ’ଣ ହେବ ବୋଲି ସେ ଭୋଟରଙ୍କୁ ପ୍ରଶ୍ନ କରିଛନ୍ତି।
ଏକଦା ଫିରୋଜାବାଦ ସପାର ଗଡ଼ ଥିଲା। ଏହି ସାଂସଦୀୟ କ୍ଷେତ୍ରରୁ ଅଖିଳେଶ ୨୦୦୯ ଲୋକସଭା ନିର୍ବାଚନରେ ସଂସଦକୁ ନିର୍ବାଚିତ ହୋଇଥିଲେ। ତେବେ ଅଖିଳେସ ପରେ ତାଙ୍କର ଏହି ଆସନଟିକୁ ପତ୍ନୀ ଡିମ୍ପଲଙ୍କ ଲାଗି ଛାଡି ଦେଇଥିଲେ। ଗତ ୨୦୧୭ ବିଧାନସଭା ନିର୍ବାଚନରେ ଫିରୋଜାବାଦର ୫ ବିଧାନସଭା ଆସନ ମଧ୍ୟରୁ ୪ଟିରେ ବିଜେପି ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ।
ଚଳିତ ବିଧାନସଭା ନିର୍ବାଚନରେ ଏଠାରେ ସପା ଜୟନ୍ତ ଚୈଧୁରୀଙ୍କ ରାଷ୍ଟ୍ରୀୟ ଲୋକଦଳ (ଆରଏଲଡି) ସହ ମେଣ୍ଟ କରି ପ୍ରତିଦ୍ୱନ୍ଦ୍ୱୀତା କରୁଛି। ସଞ୍ଜୟ ଚୌଧୁରୀଙ୍କ ସହ ଏଠାରେ ବିଜେପିର କେନ୍ଦ୍ରମନ୍ତ୍ରୀ ଏସ.ପି.ସିଂହ ବଘେଲ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଆସନ୍ତା ରବିବାର ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ପ୍ରଥମ ୨ ପର୍ଯ୍ୟାୟ ନିର୍ବାଚନରେ ସପା ଓ ସହଯୋଗୀମାନେ ସେଞ୍ଚୁରୀ ମାରିଥିବା ଏବେ ସମସ୍ତେ ଜାଣିଗଲେଣି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ମତଦାନ ପରେ ରାଜ୍ୟର ଆଗାମୀ ସରକାର ନେଇ ସ୍ପଷ୍ଟ ଚିତ୍ର ଆସିଯିବ। ଏଣୁ ସପ୍ତମ ଓ ଚୂଡ଼ାନ୍ତ ପର୍ଯ୍ୟା ଭୋଟ ଗ୍ରହଣ ବେଳକୁ ବିଜେପି ବୁଥମାନଙ୍କରେ କେବଳ ଭୂତ ବୁଲୁଥିବେ ବୋଲି ସପା ନେତା ଅଖିଳେଶ ଯାଦବ କହିଛନ୍ତି।

nis-ad
Leave A Reply

Your email address will not be published.