ଭୁବନେଶ୍ୱରରେ ଲାଗିଲା SVDS ଓ TVDS ଅତ୍ୟାଧୁନିକ କ୍ୟାମେରା

ଭୁବନେଶ୍ୱର: ଆପଣ ସହର ଭିତରେ ସ୍ପିଡରେ ଗାଡ଼ି ଚଳାଉଛନ୍ତି କି? ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି କି? ଯଦି କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏଣିକି ଆପଣଙ୍କ ଘରକୁ ଯିବ ଟ୍ରାଫିକ ଚାଲାଣ । ରାଜଧାନୀ ଭୁବନେଶ୍ୱରର ୨୨ଟି ସ୍ଥାନରେ ଲାଗିଛି ସ୍ପିଡ ଭାୟୋଲେସନ ଡିଟେକ୍ସନ ସିଷ୍ଟମ (ଏସଭିଡିଏସ) ଓ ଟ୍ରାଫିକ ଭାୟୋଲୋସନ ଡିଟେକ୍ସନ ସିଷ୍ଟମ (ଟିଭିଡିଏସ) କ୍ୟାମେରା । ଏହି ଅତ୍ୟାଧୁନିକ କ୍ୟାମେରାରେ ଚଳିତ ମାସରେ ୫୨ ଜଣ ଧରାପଡ଼ି ଜରିମାନା ଦେଇ ସାରିଲେଣି ।

ଟ୍ରାଫିକ ନିୟମ ଉଲ୍ଲଂଘନ କରି ଖସି ଯାଉଥିବା ଅମାନିଆ ଆଉ ଖସିପାରିବେନି । ସିଗନାଲ, ସାଇନ, ସ୍ପିଡଠାରୁ ଆରମ୍ଭ କରି ହେଲମେଟ, ସିଟବେଲ୍ଟ ପର୍ଯ୍ୟନ୍ତ ସବୁ ଉପରେ ନଜର ରଖିବା ଏହି ଦୁଇଟି ନୂଆ ବ୍ୟବସ୍ଥା । ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଯାଉଥିଲେ ଏସଭିଡିଏସ କ୍ୟାମେରାରେ ଧରାପଡ଼ିବେ । ଏଥିପାଇଁ କ୍ୟାପିଟାଲ ହସ୍ପିଟାଲରୁ ଏଜି ଛକ, ବରମୁଣ୍ଡାରୁ ଖଣ୍ଡଗିରି, ବାଣିବିହାରରୁ ରସୁଲଗଡ଼, ସୈନିକ ସ୍କୁଲରୁ ଆଚାର୍ଯ୍ୟ ବିହାର, ଶାସ୍ତ୍ରୀନଗରରୁ ୧୨୦ ବାଟାଲିୟନ, ଟ୍ରାଇଡେଣ୍ଟ ହୋଟେଲ, ଇନଫୋସିଟିରୁ ପଟିଆ, ମଧୁସୂଦନ ପାର୍କ, କିଟରୁ ସିଲିକନ, ନାକାଗେଟରୁ କଳିଙ୍ଗ ଷ୍ଟୁଡିଓ, ଏକାମ୍ର କାନନ ରୋଡ୍ ଭଳି ୧୨ଟି ସ୍ଥାନରେ କ୍ୟାମେରା ଲାଗିଛି । ଯିଏ ଦ୍ରୁତ ବେଗରେ ଗାଡ଼ି ଚଳାଇବ ତା’ର ଫଟୋ, ନମ୍ବର ଓ ବେଗ କ୍ୟାମେରାରେ କଏଦ ହୋଇଯିବ ।

ସେହପରି ଯଦି କେହି ହେଲମେଟ, ସିଟବେଳ୍ଟ ନ ପିନ୍ଧିବା ସହ ଜେବ୍ରା କ୍ରସିଂ ଡେଇଁବ ସେ ଟିଭିଡିଏସରେ ଧରାପଡ଼ିବ । ସେଥିପାଇଁ କଳ୍ପନା ସ୍କୋୟାର, ଶିଶୁଭବନ, ରୁପାଲି, କିଟ, ପଟିଆ, କଳିଙ୍ଗ ଷ୍ଟାଡିୟମ, କଳିଙ୍ଗ ହସ୍ପିଟାଲ, ନିକୋପାର୍କ ଛକ, ଏୟାରପୋର୍ଟ ଏବଂ କ୍ୟାପିଟାଲ ହସ୍ପିଟାଲ ଭଳି ୧୦ଟି ସ୍ଥାନରେ ଟିଭିଡିଏସ୍ କ୍ୟାମେରା ଲାଗିଛି । ଆଗକୁ ସାରା ରାଧାନୀରେ ଏହି ଦୁଇଟି ସିଷ୍ଟମକୁ ଲାଗୁ କରିବା ନେଇ କମିଶନରେଟ୍ ପୋଲିସ ଯୋଜନା କରିଛି । ଏଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସସିଏଲ)କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.