ଶୁକଶାରୀ ମନ୍ଦିର ପାଖରେ ଆଉ ଏକ ପ୍ରାଚୀନ ମନ୍ଦିରର ସନ୍ଧାନ

ଭୁବନେଶ୍ୱର: ଶୁକଶାରୀ ମନ୍ଦିର ଚତୁପାଶ୍ୱର୍ ଖନନ ବେଳେ ପ୍ରତ୍ନତତ୍ତ୍ୱବିତମାନେ ଆଉ ଏକ ପ୍ରାଚୀନ ମନ୍ଦିରର ସନ୍ଧାନ ପାଇଛନ୍ତି । ଭବାନୀ ଶଙ୍କର ମନ୍ଦିର ଓ ଶୁକଶାରୀ ମନ୍ଦିର ମଧ୍ୟସ୍ଥଳର ପ୍ରାୟ ୧୫ ଫୁଟ ମାଟିତଳେ ଏହି କୀର୍ତ୍ତିରାଜି ଦେଖିବାକୁ ମିଳିଛି । ଖନନ ବେଳେ ମନ୍ଦିର ଜଗମୋହନ ଦୃଶ୍ୟମାନ ହୋଇଛି । ୧୫ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ମନ୍ଦିର ପଦାକୁ ଆସିଯିବ ବୋଲି ବିଭାଗୀୟ ପ୍ରତ୍ନତତ୍ତ୍ୱବିତ ସୂଚନା ଦେଇଛନ୍ତି ।

ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ)ପକ୍ଷରୁ ଏଠାରେ ଖନନ କାର୍ଯ୍ୟ ଚାଲିଛି । ଏଥିରେ ୨୫ଜଣରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଏଏସ୍‌ଆଇ ଓଡ଼ିଶା ସର୍କଲ ମୁଖ୍ୟ ଅରୁଣ କୁମାର ମଲ୍ଲିକ କହିଛନ୍ତି, ମନ୍ଦିରର ଜଗମୋହନ ଦେଖାଗଲାଣି । ଖନନ କାର୍ଯ୍ୟ ଲଗାତର ଭାବେ ଚାଲିଛି । ବିଷ୍ଣୁ, ନରସିଂହଙ୍କ ମୂର୍ତ୍ତି ମଧ୍ୟ ମିଳିଛି । ୨ ସପ୍ତାହ ଭିତରେ ସମ୍ପୂର୍ଣ୍ଣ ମନ୍ଦିରକୁ ମାଟି ତଳୁ ଉଦ୍ଧାର କରାଯିବ । ଏହାପରେ ମନ୍ଦିର ଭିତରକୁ ସହଜରେ ପ୍ରବେଶ କରିହେବ ।

ପ୍ରତ୍ନତତ୍ତ୍ୱବିତ୍‌ ଏହି ମନ୍ଦିରର ଇତିହାସ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି । ମନ୍ଦିରର ସମ୍ପର୍କ ଲିଙ୍ଗରାଜ ମନ୍ଦିର ଅବା ପୁରାଣରେ ଉଲ୍ଲେଖ ଅଛି କି ନାହିଁ ତାହା ଜଣାପଡ଼ିବ । ଦିନେ ୨ ଦିନ ଭିତରେ ମନ୍ଦିରର ମୁଖ୍ୟଦ୍ୱାର ମିଳିଯିବ । ଏଠାରେ ସୂଚନାଯୋଗ୍ୟ ଯେ ଶାରୀ ମନ୍ଦିର ଚାରିପଟ ମାଟିତଳେ ଭରି ରହିଛି ଐତିହ୍ୟ । ଦେଢ଼ ବର୍ଷର ଖନନ କାଳରେ ଅନେକ ଐତିହ୍ୟର ସନ୍ଧାନ ମିଳିଛି । କିଛି ଦିନ ତଳେ ଖନନ ବେଳେ ପ୍ରାୟ ୧୪୦୦ ବର୍ଷ ତଳର ପ୍ରାଚୀନ ବିଷ୍ଣୁ ମୂର୍ତ୍ତି ମିଳିଥିଲା । ଆଜି ଅନ୍ୟ ଏକ ମନ୍ଦିରର ମିଳିବା ଚର୍ଚ୍ଚାର ବିଷୟ ପାଲଟିଛି ।

nis-ad
Leave A Reply

Your email address will not be published.