ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ

ଭୁବନେଶ୍ବର: ବୁଧବାର ଦିନ ହେବ ଓଡିଶା ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ସେଥିପାଇଁ ସୋମବାର ଦିନ ଏହାର ପ୍ରଚାର ଶେଷ ହୋଇଛି। ଏହି ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ମଙ୍ଗଳବାରଠାରୁ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପୁଲିଂ ଅଫିସରମାନେ ପହଁଚି ସାରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ଭୋଟ ଗ୍ରହଣ କରାଯିବ। ଏଥିରେ ୧୬୬୯ ଟି ଗ୍ରାମ ପଞ୍ଚାୟତର ସରପଞ୍ଚ, ୱାର୍ଡ ମେମ୍ବର ଏବଂ ସମିତି ସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ। ସେହିପରି ପ୍ରଥମ ପର୍ଯ୍ୟାୟରେ ୨୦୦ଟି ଜୋନରେ ଜିଲ୍ଲା ପରିଷଦ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ଦଳରୁ ମୋଟ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୬୭ ଲକ୍ଷ ୫୧ ହଜାର ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ମୋଟ ୨୨,୩୭୯ ଟି ପୁଲିଂ ବୁଥ କରାଯାଇଛି। ସେଥି ମଧ୍ୟରୁ ୩୩୫୭ଟି ବୁଥ ଉତ୍ତେଜନା ପ୍ରବଣ ରହିଛି। ଶାନ୍ତି ଶୃଙ୍ଖଳା ପାଇଁ ୨୨୫ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ଏଥିରେ ମୋଟ ୩୭୨୪୫ ପୋଲିସ ଅଧିକାରୀ ସାମିଲ ହୋଇଛନ୍ତି।

ଏଥର ପଞ୍ଚାୟତ ନିର୍ବାଚନ ପାଞ୍ଚୋଟି ପର୍ଯ୍ୟାୟରେ କରାଯାଉଛି। ପ୍ରଥମ ପର୍ଯ୍ୟାୟ ୧୬ ତାରିଖରେ ହେଉଛି। ଏହାପରେ ୧୮ ତାରିଖ, ୨୦ ତାରିଖ, ୨୨ ତାରିଖ ଏବଂ ୨୪ ତାରିଖରେ ଭୋଟ ଗ୍ରହଣ ହେବ। ଏହି ଗଣତନ୍ତ୍ର ପର୍ବରେ ରାଜ୍ୟରୁ ମୋଟ ୨ କୋଟି ୭୯ ଲକ୍ଷ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

nis-ad
Leave A Reply

Your email address will not be published.