ମହାମାରୀ ଭୟ ଭିତରେ ବି ତେଲେଙ୍ଗାନାରେ ଆୟୋଜନ ହେବାକୁ ଯାଉଛି ଏସିଆର ସବୁଠାରୁ ବଡ଼ ଆଦିବାସୀ ମେଳା

ହାଇଦ୍ରାବାଦ: ମହାମାରୀ କରୋନା ସଂକ୍ରମଣର ଭୟ ଭିତରେ ତେଲେଙ୍ଗାନାରେ ଆୟୋଜନ ହେବାକୁ ଯାଉଛି ଏସିଆର ସବୁ ବଡ଼ ଆଦିବାସୀ ମେଳା। ଏଥିପାଇଁ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାର ମେଡାରାମକୁ ଶ୍ରଦ୍ଧାଳୁଙ୍କ ଆସିବା ଆରମ୍ଭ ହୋଇଗଲାଣି। ସମ୍ମାକ୍କା ସରକ୍କା ଯାତ୍ରା ନାଁରେ ଆୟୋଜିତ ହେବାକୁ ଏହି ୪ ଦିନିଆ ମେଳାରେ ପ୍ରାୟ ୧.୨୫ କୋଟି ଲୋକ ଯୋଗ ଦେବେ ବୋଲି ପ୍ରଶାସନ ଆଶା କରିଛି।
ଫେବୃଆରୀ ୧୬ରୁ ଏହି ମେଳା ଆରମ୍ଭ ହେବ। କିଛି ଲୋକ ଏହି ବିରାଟ ମେଳାକୁ ତେଲେଙ୍ଗାନାର କୁମ୍ଭମେଳା ମଧ୍ୟ କୁହାଯାଏ। ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆଦିବାସୀ ଓ ଅଣଆଦିବାସୀମାନେ ଆସନ୍ତି। ତେଲେଙ୍ଗାନା, ଆନ୍ଧ୍ର, ମହାରାଷ୍ଟ୍ର, କର୍ଣ୍ଣାଟକା, ଛତିଶଗଡ଼, ମଧ୍ୟପ୍ରଦେଶ, ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନେ ଯୋଗଦେବେ। ଏଠାରେ ଆଦିବାସୀ ପରମ୍ପରାର ଅନନ୍ୟ ଦୃଶ୍ୟକୁ ଲୋକମାନେ ଉପଭୋଗ କରନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ମଧ୍ୟରେ ପ୍ରାୟ ୪ ଲକ୍ଷ ଶ୍ରଦ୍ଧାଳୁ ମେଡାରାମକୁ ଆସି ସାରିଲେଣି। ଦେଶର ବିଭିନ୍ନ ରାଜ୍ୟରେ ଥିବା ଜଙ୍ଗଲ ଅଞ୍ଚଳରେ ରହୁଥିବା ଆଦିବାସୀମାନେ ପ୍ରତି ୨ ବର୍ଷରେ ଏହି ବିଶାଳ ମେଳା ପାଳନ କରିନ୍ତି। ଯୋଦ୍ଧା ସମ୍ମାକ୍କା ଓ ସାରକ୍କାଙ୍କ ସାହାସକୁ ସ୍ମରଣ କରିବା ପାଇଁ ଏପରି ଉତ୍ସବ ଆୟୋଜନ କରାଯାଏ। ଆଦିବାସୀମାନେ ସେମାନଙ୍କୁ ଦେବୀ ଭାବେ ପୂଜା କରନ୍ତି।
ଏଥିସହ ଆଦିବାସୀଙ୍କ ସୁରକ୍ଷା ପାଇଁ ସେମାନେ ଦେଖାଇଥିବା ବୀରତ୍ୱକୁ ମନେ ପକାନ୍ତି। ପ୍ରାୟ ୮ ଶତାବ୍ଦୀ ତଳେ କୋୟା ଆଦିବାସୀ ସଂପ୍ରଦାୟର ଏହି ମା’ ଝି ଯୋଡ଼ି କାକାଟିୟାଙ୍କ ବିରୋଧରେ ଲଢ଼େଇ କରିଥିଲେ। ଏହି ସମୟରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଆଦିବାସୀଙ୍କ ଉପରେ ୧୨ଶ ଶତାବ୍ବୀର ଶାସକ କାକାଟିୟାମାନେ ମୋଟା ଅଙ୍କର ଟିକସ ଲଗାଉଥିଲେ। ଏହାକୁ ବିରୋଧ କରି ସମ୍ମାକ୍କା ଓ ତାଙ୍କ ଝିଅ ସାରାଲାମ୍ମା ଯୁଦ୍ଧ ଡାକରା ଦେଇଥିଲେ।
ଉକ୍ତ ବଳିଦାନକୁ ସ୍ମରଣ କରିବା ପାଇଁ ଏସିଆର ଏହି ବୃହତ ଆଦିବାସୀ ମେଳା ଆୟୋଜନ କରାଯାଉଛି। ୧.୨୫ କୋଟି ଶ୍ରଦ୍ଧାଳୁ ମେଡାରାମ ଆସିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୁଖ୍ୟ ସଚିବ ସୋମେଶ କୁମାର ଓ ଡିଜିପି ମହେନ୍ଦ୍ର ରେଡ୍ଡୀ ମେଳା ସ୍ଥଳକୁ ଯାଇ ସବୁ ପ୍ରକାରର ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି। ଦର୍ଶନ ଓ ଅନ୍ୟ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମ୍ପାଦନ କରିବାକୁ ମୁଖ୍ୟ ସଚିବ ସବୁ ବିଭାଗକୁ ମିଳିତ ଭାବେ କାମ କରିବାକୁ କହିଛନ୍ତି।
ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରାୟ ୧୦ ହଜାର ସୁରକ୍ଷାକର୍ମୀ ମୁତୟନ ହେବେ। ପୁଲିସ ପକ୍ଷରୁ ୩୮୨ ସିସିଟିଭି ଓ ୨ଟି ଡ୍ରୋନର ବ୍ୟବସ୍ଥା ହୋଇଛି। ବରିଷ୍ଠ ଅଧିକାରୀମାନେ ନିୟମିତ ସ୍ଥିତିର ସମୀକ୍ଷା କରିବେ। ୨୦ଟି ସ୍କ୍ରିନ ଓ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ ହେବ। ଶ୍ରଦ୍ଧାଳୁମାନେ ପ୍ରାୟ ୩.୫ ଲକ୍ଷ କାର ଓ ୪ହଜାର ସରକାରୀ ବସ୍‌ରେ ଯିବା ଆସିବା କରିବାର ସମ୍ଭାବନା ରହିଛି। ଏଥିପାଇଁ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି।

nis-ad
Leave A Reply

Your email address will not be published.